ରାଉରକେଲା ଓ ପୁରୀରେ ଆୟୋଜନ ହେବ ନ୍ୟାସନାଲ ରୋଡ ସେଫ୍ଟି ସର୍ଟ ଫିଲ୍ମ ଫେଷ୍ଟିଭାଲ୍, ବଢ଼ିଲା ପୁରସ୍କାର ରାଶି

ଭୁବନେଶ୍ବର: ସଡ଼କ ସୁରକ୍ଷା ବାର୍ତ୍ତାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ନୂଆ ପଦକ୍ଷେପ ନେଇଛି ରାଜ୍ୟ ପରିବହନ ବିଭାଗ ।  ଏ ଦିଗରେ ଜନସଚେତନତା ସୃଷ୍ଟି ପାଇଁ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣକୁ ପ୍ରୋତ୍ସା‌ହିତ କରାଯିବା ସହ ନ୍ୟାସନାଲ ରୋଡ ସେଫ୍ଟି ସର୍ଟ ଫିଲ୍ମ ଫେଷ୍ଟିଭାଲ ଆୟୋଜନ ହେବ। ଏହି ଫେଷ୍ଟିଭାଲରେ ପ୍ରଦର୍ଶନ ପରେ ଶ୍ରେଷ୍ଠ ବିବେଚିତ ୩ ଛବି ଲାଗି ଉଦ୍ଦିଷ୍ଟ ପୁରସ୍କାର ପରିମାଣକୁ ମଧ୍ୟ ବୃଦ୍ଧି କରାଯାଇଛି । ସଡକ ସୁରକ୍ଷାକୁ ନେଇ ନିର୍ମାଣ କରନ୍ତୁ କ୍ଷୁଦ୍ର ଚଳଚ୍ଚିତ୍ର ଆଉ ପାଆନ୍ତୁ ରାଜ୍ୟ ସରକାରଙ୍କ ଠାରୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି । ଏଥି ସହ ଭଲ ବାର୍ତ୍ତାଥିବା ଚଳଚ୍ଚିତ୍ର ନିର୍ମାତା ସରକାରଙ୍କଠାରୁ ସମ୍ବର୍ଦ୍ଧିତ ହୋଇ ପାରିବେ ବୋଲି ନ୍ୟାସନାଲ ରୋଡ ସେଫ୍ଟି ସର୍ଟ ଫିଲ୍ମ ଫେଷ୍ଟିଭାଲ ପାଇଁ ପରିବହନ ବିଭାଗ ପକ୍ଷରୁ ଭୁବନେଶ୍ୱର ପୁଲିସ ଭବନ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ବିଷ୍ଣୁପଦ ସେଠୀ ଏହି ଘୋଷଣା କରିଛନ୍ତି।

ସୂଚନା ଅନୁସାରେ ମାତ୍ର ୨ ମିନିଟ ଅବଧି ଭିତରେ ସଡ଼କ ସୁରକ୍ଷା ବାର୍ତ୍ତା  ନେଇ ଫୁଲ୍ ଏଚଡି ଭିଡିଓ ପ୍ରସ୍ତୁତ କରି ଗୁଗୁଲ ଡ୍ରାଇଭ କିମ୍ବା [email protected] କିମ୍ୱା [email protected] ରେ ଜୁନ ୩ ତାରିଖ ମଧ୍ୟରେ ପଠାଇପାରିବେ । ଓଡ଼ିଆ ଓ ଅନ୍ୟ ଯେକୌଣସି ଗୋଟିଏ ଭାଷାରେ ସାରା ଭାରତର ଯେ କୌଣସି ବ୍ୟକ୍ତି ଏହି ଭିଡିଓ ସିନେମା ନିର୍ମାଣ କରି ଏଥିରେ ଅଂଶଗ୍ରହଣ କରିପାରିବେ । ଆସନ୍ତା ଜୁନ ୧୮ ଓ ୧୯ ତାରିଖ ରେ ରାଉରକେଲାରେ ଏହାକୁ ପ୍ରଦର୍ଶିତ କରାଯାଇ ଏଥିଲାଗି ଗଠିତ ବିଚାରକ ମଣ୍ଡଳୀ ଦ୍ବାରା ଶ୍ରେଷ୍ଠ ଚଳଚ୍ଚିତ୍ର ଚୟନ କରାଯିବ ।

ଏହା ପରେ ପୁରୀରେ ଆସନ୍ତା ୨୪ ଓ ୨୫ରେ ବିଜେତାମାନଙ୍କ ନାମ ଘୋଷଣା ସହ ପୁରସ୍କୃତ କରାଯିବ । ଓଡ଼ିଆ ବିଭାଗ ଓ ଅଣ-ଓଡ଼ିଆ ବିଭାଗରେ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିବା ବେଳେ ପ୍ରଥମ ରନର୍ସ ଅପ୍ ପାଇଁ ୮୦ ହଜାର ଓ ଦ୍ଵିତୀୟ ରନର୍ସ ଅପ୍ ପାଇଁ ୬୦ ହଜାର ଟଙ୍କା ପୁରସ୍କାର ରାଶି ରଖାଯାଇଛି । ସେହିପରି ଶ୍ରେଷ୍ଠ ନିର୍ଦେଶନା, ସଂଳାପ, ସିନେମାଟୋଗ୍ରାଫି ଏବଂ ଶ୍ରେଷ୍ଠ ଅଭିନେତା ଓ ଶ୍ରେଷ୍ଠ ଅଭିନେତ୍ରୀଙ୍କ ପାଇଁ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ଏଡିଜି (କ୍ରାଇମ୍‌ ବ୍ରାଞ୍ଚ) ଅରୁଣ ବୋଥ୍ରାଙ୍କ ସମେତ ବିଚାରକ ମଣ୍ଡଳୀ ସଦସ୍ୟ ଅଭିନେତା କୁନା ତ୍ରିପାଠୀ, ସବ୍ୟସାଚୀ, ସିଦ୍ଧାନ୍ତ ମହାପାତ୍ର, ସମାଜ‌ସେବୀ ଶ୍ରୁତି ମହାପାତ୍ର ଏବଂ ସମ୍ବାଦ ଗ୍ରୁପ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ସଡ଼କ ସୁରକ୍ଷା ପାଇଁ ସବୁବେଳେ ସଚେତନତା କାର୍ଯକ୍ରମ ଜାରି ରହିଛି । କିନ୍ତୁ ଏବେ ଏହି ସର୍ଟ ଫିଲ୍ମ କରାଇ ଆଉ ପାଦେ ସଡ଼କ ସୁରକ୍ଷା ବାର୍ତ୍ତା ଆଗକୁ ଯିବ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର