କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବ୍ୟବସାୟ ପରିଚାଳନା ବିଭାଗ ପକ୍ଷରୁ ଆୟୋଜିତ 'ବିକଶିତ ଭାରତ@୨୦୪୭: ଅର୍ଥନୈତିକ ଓ ପରିଚାଳନା ଚ୍ୟାଲେଞ୍ଜ' ଶୀର୍ଷକ ଦୁଇ ଦିନିଆ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ମାର୍ଚ୍ଚ ୨୮, ୨୦୨୪ରେ ଏକ ସମାପନୀ କାର୍ଯ୍ୟକ୍ରମ ସହିତ ସେମିନାର ସଫଳତାର ସହ ଶେଷ ହୋଇଥିଲା।

Advertisment

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ବ୍ୟବସାୟ ପରିଚାଳନା ବିଭାଗମୁଖ୍ୟ ତଥା ସେମିନାରର ଆବାହକ ଡ. ପଦ୍ମ ଚରଣ ମିଶ୍ର, ଅର୍ଥନୀତି ବିଭାଗର ସହ ପ୍ରାଧ୍ୟାପକ ତଥା ସଂଗଠନ ସମ୍ପାଦକ ଡ. ପ୍ରଶାନ୍ତ କୁମାର ବେହେରା, ସଂଯୋଜକ ଡ. ସୁବାସ ଚନ୍ଦ୍ର ପଟ୍ଟନାୟକ ଏବଂ ସମଗ୍ର ଆୟୋଜକ ଟିମ କୁ ସେମାନଙ୍କ ପ୍ରଶଂସନୀୟ ପ୍ରୟାସ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ପ୍ରଫେସର ତ୍ରିପାଠୀ ଏମବିଏ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ଏବଂ ଇଭେଣ୍ଟ ମ୍ୟାନେଜମେଣ୍ଟ ଦକ୍ଷତାକୁ ପ୍ରଶଂସା କରିବା ସହ ଭବିଷ୍ୟତରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ନିରନ୍ତର ସମର୍ଥନ ପ୍ରଦାନ କରିବା ସହ ଛାତ୍ରଛାତ୍ରୀଙ୍କୁ ଶୈକ୍ଷିକ ଉତ୍କର୍ଷତା ଏବଂ ନିଯୁକ୍ତି ସୁଯୋଗରେ ସହାୟତା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ରାଞ୍ଚିସ୍ଥିତ ମେକନ୍ ଲିମିଟେଡ୍ ର ଅବସରପ୍ରାପ୍ତ କାର୍ଯ୍ୟନିର୍ବାହୀ ନିର୍ଦେଶକ (କର୍ପୋରେଟ୍ ସର୍ଭିସେସ୍) ଶ୍ରୀ ସଞ୍ଜୀବ କୁମାର, ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ପ୍ରଫେସର ଇରାଲା ଲୋକାନନ୍ଦ ରେଡ୍ଡୀ; ପଞ୍ଜାବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଫେସର ପବିତ୍ର କୁମାର ମିଶ୍ର; ଜଗଦଲପୁର ମେକନ୍ ଲିମିଟେଡ୍ ର ଡାକ୍ତର ମନୋରଞ୍ଜନ ବିଶ୍ୱାସ, ଡାକ୍ତର ପଦ୍ମ ଚରଣ ମିଶ୍ର ଓ ଡାକ୍ତର ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଏହି ସମାପନୀ କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ।

ଏହି ସେମିନାରରେ ଦୁଇଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳ ଏବଂ ଦେଶର ବିଭିନ୍ନ ଅନୁଷ୍ଠାନର ଅଧ୍ୟାପକ ଏବଂ ଗବେଷକମାନେ ଉଭୟ ଶାରୀରିକ ଏବଂ ଭର୍ଚୁଆଲ ଭାବରେ ୭୦ରୁ ଅଧିକ ପେପର ଉପସ୍ଥାପନ କରିଥିଲେ। ଏହାବ୍ୟତୀତ ୬ଟି ବିଷୟବସ୍ତୁ ଭିତ୍ତିକ ଅଧିବେଶନରେ ବିଶିଷ୍ଟ ବକ୍ତାମାନେ ବିଭିନ୍ନ ବିଷୟକୁ ନେଇ ସାରଗର୍ଭକ ବକ୍ତୃତା ପ୍ରଦାନ କରିଥିଲେ।

publive-image

ସେମିନାରର ପ୍ରଥମ ଦିନରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧୁ ଭୂଷଣ ମିଶ୍ର " ବିକଶିତ ଭାରତ @୨୦୪୭: ଅର୍ଥନୈତିକ ପ୍ରଭାବ" ଶୀର୍ଷକ ବକ୍ତୃତା ପ୍ରଦାନ କରିଥିଲେ। ଏହାବ୍ୟତୀତ ଏନ୍ଆଇଟି ରାଉରକେଲାର ମାନବିକତା ଓ ସାମାଜିକ ବିଜ୍ଞାନ ବିଭାଗର ମୁଖ୍ୟ ତଥା ପ୍ରଫେସର ନାରାୟଣ ସେଠୀ ଅନ୍ ଲାଇନ୍ ମାଧ୍ୟମରେ '୫ ଟ୍ରିଲିୟନ ଅର୍ଥନୀତି ପାଇଁ ଭାରତର ଆକାଂକ୍ଷା: ସ୍ୱପ୍ନ ନା ବାସ୍ତବତା' ଶୀର୍ଷକ ବକ୍ତୃତା ପ୍ରଦାନ କରିଥିଲେ। ଏହି ଅଧିବେଶନରେ ପ୍ରଫେସର ପବିତ୍ର କୁମାର ମିଶ୍ରଙ୍କ ଦ୍ୱାରା "Arrow has Left the Bow: Challenges in Hitting the Target", ପ୍ରଫେସର ଇରାଲା ଲୋକାନନ୍ଦ ରେଡ୍ଡୀଙ୍କ ଦ୍ୱାରା "Harnessing Technology for Viksit Bharat" ଏବଂ ଡ. ମନୋରଞ୍ଜନ ବିଶ୍ୱାସଙ୍କ "Organized Labour: A Touchstone for Industrial and National Progression" ଶୀର୍ଷକ ବକ୍ତୃତା ଅନୁଷ୍ଠିତ ହୋଇଥିଲା।

ଏହାପରେ ଏକ ପ୍ୟାନେଲ ଆଲୋଚନା ହୋଇଥିଲା, ଯେଉଁଥିରେ ବକ୍ତା ଏବଂ ଛାତ୍ରଛାତ୍ରୀମାନେ ବିକଶିତ ଭାରତ @ ୨୦୪୭ ର ଧାରଣା ଉପରେ ବିଚାର ବିମର୍ଶ ଅଧିବେଶନରେ ନିୟୋଜିତ ହୋଇଥିଲେ । ଏହି ଆଲୋଚନାଚକ୍ରରେ ଡ. ପ୍ରଶାନ୍ତ କୁମାର ବେହେରା, ଡ. ସୁବାସ ଚନ୍ଦ୍ର ପଟ୍ଟନାୟକ ଓ ଡ. ସୀତାନାଥ ରାୟଗୁରୁଙ୍କ ସମ୍ପାଦିତ ପୁସ୍ତକ "Compendium of Management Research and Cases" ଉନ୍ମୋଚିତ ହୋଇଥିଲା।

ଉପସ୍ଥାପକମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯିବା ସହ ବିଶିଷ୍ଟ ବକ୍ତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏକ ପ୍ଲେସମେଣ୍ଟ ବ୍ରୋସର୍ ମଧ୍ୟ ଉନ୍ମୋଚନ କରାଯାଇଥିଲା। ଡ. ପଦ୍ମଚରଣ ମିଶ୍ର ବିଭାଗ ର ବିବରଣୀ ପ୍ରଦାନ କରିଥିବା ବେଳେ ଡ. ପ୍ରଶାନ୍ତ କୁମାର ବେହେରା ଆଲୋଚନାଚକ୍ର ରିପୋର୍ଟ ପ୍ରଦାନ କରିଥିଲେ ଓ ଡ. ସୁବାସ ଚନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ବିଶ୍ବବିଦ୍ୟାଳୟର ଜନସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ସୂଚନା ଦେଇଛନ୍ତି । ସୁଶ୍ରୀ ପ୍ରୀତିନନ୍ଦ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଭାଗୀୟ ଅଧ୍ୟାପକ ଡ. ସୀତାନାଥ ରାୟଗୁରୁ, ଶ୍ରୀନିବାସ ରାଓ କେ ଓ ନୀତିନ କୁମାର ହୋତା କାର୍ଯ୍ୟକ୍ରମକୁ ସୁରୁଖୁରୁରେ ପରିଚାଳନା କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।ବିଶ୍ୱବିଦ୍ୟାଳୟର ଓ ଅନ୍ୟ ଅନୁଷ୍ଠାନର ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ।