ସୂର୍ଯ୍ୟମନ୍ଦିର ସଂରକ୍ଷଣ ପାଇଁ ଦୁଇଦିନିଆ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର : କୋଣାର୍କ ସୂର୍ଯ୍ୟମନ୍ଦିର ସଂରକ୍ଷଣକୁ ନେଇ ଚିନ୍ତା ବଢ଼ିଛି। ପୂର୍ବରୁ ବିଭିନ୍ନ ସମୟରେ ଏହାର ସଂରକ୍ଷଣକୁ ନେଇ ବିଚାରବିମର୍ଶ ହୋଇଛି। ତେବେ ପ୍ରଥମଥର ପାଇଁ କୋଣାର୍କରେ ବିଭିନ୍ନ ବର୍ଗର ବ୍ୟକ୍ତିବି‌ଶେଷଙ୍କୁ ନେଇ ଆସନ୍ତା ୨୮ ଓ ୨୯ ତାରିଖରେ ଦୁଇଦିନିଆ ଏକ ସମ୍ମିଳନୀ ହେବାକୁ ଯାଉଛି। ‘କୋଣାର୍କ ସୂର୍ଯ୍ୟମନ୍ଦିର ସଂରକ୍ଷଣକୁ ନେଇ ଜାତୀୟ ସମ୍ମିଳନୀ’ ଶୀର୍ଷକ ଏହି ଆଲୋଚନାରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଓ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ, କେନ୍ଦ୍ର ଓ ରାଜ୍ୟ ସଂସ୍କୃତି ସଚିବଙ୍କ ସମେତ ହାଇକୋର୍ଟଙ୍କ ଦ୍ବାରା ନିଯୁକ୍ତିପ୍ରାପ୍ତ ଆମିକସ କ୍ୟୁରି, ଏଏସ୍‌ଆଇ ଡିଜି, ଜଏଣ୍ଟ ଡିଜି, ଚେନ୍ନାଇ ଆଇଆଇଟିର ବରିଷ୍ଠ ଅଧିକାରୀ, ସଂରକ୍ଷଣ ଏକ୍ସପର୍ଟ, ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ବରିଷ୍ଠ ଅଧିକାରୀ, ପୂର୍ତ୍ତ ବିଭାଗର ଏନ୍‌ସି ପାଲ, ଜିସି ମିତ୍ର ପ୍ରମୁଖ ଯୋଗ ଦେବେ। ଏଥିରେ ମନ୍ଦିରର ସଂରକ୍ଷଣ ଓ ସୁରକ୍ଷା ଦିଗରେ ଦୁଇଦିନ ଧରି ମାନସମନ୍ଥନ ହେବ। ଯାହା ନିର୍ଯ୍ୟାସ ବାହାରିବ, ତାହା ଉପରେ ଏଏସ୍‌ଆଇ କାମ କରିବ। ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଥିବା ମନ୍ଦିର ଭିତରୁ ବାଲି କାଢ଼ିବା ପ୍ରସଙ୍ଗ ଉପରେ ମଧ୍ୟ ତର୍ଜମା ହେବ ବୋଲି ଜଣାପଡ଼ିଛି। ଏହାକୁ ନେଇ ନିଷ୍ପତ୍ତି ହେଲେ ପର୍ଯ୍ୟଟକଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ ହେବ ବୋଲି କୁହାଯାଉଛି। କୋଣାର୍କ ଯାତ୍ରୀ ନିବାସରେ ଏହି ଦୁଇଦିନିଆ କାର୍ଯ୍ୟକ୍ରମ ହେବ ବୋଲି ଏଏସ୍‌ଆଇ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର