ସ୍ନାତକରେ ଇଲେକ୍ଟିଭ୍ ବିଷୟ ହେବ ଏନ୍ଏସ୍ଏସ୍
୩ ଶିକ୍ଷାନୁଷ୍ଠାନରୁ କଟିଲା ଏନ୍ଏସ୍ଏସ୍ ସିଟ୍
ଭୁବନେଶ୍ବର : ବିଶ୍ବବିଦ୍ୟାଳୟ ଓ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଏଣିକି ସୋସିଆଲ ସର୍ଭିସ୍ ଫି’(ସାମାଜିକ ସେବା) ବାବଦରେ ଅଧିକ ଅର୍ଥ ଦେବାକୁ ହେବ। ପୂର୍ବରୁ ଆଡମିସନ ଓ ରି-ଆଡମିସନ ସମୟରେ ଜଣଙ୍କ ପିଛା ୧୦ ଟଙ୍କା ଆଦାୟ କରାଯାଉଥିବା ବେଳେ ଏବେ ତାହାକୁ ୨୦ ଟଙ୍କା କରାଯିବ। ଏବାବଦରେ ପିଲାଙ୍କଠାରୁ ଯେଉଁ ଅର୍ଥ ଆଦାୟ ହେବ ତାହା କଲେଜର ଅଲଗା ଆକାଉଣ୍ଟ କିମ୍ବା ଏନ୍ଏସ୍ଏସ୍(ଜାତୀୟ ସେବା ଯୋଜନା) ବ୍ୟୁରୋ ଆକାଉଣ୍ଟରେ ଦାଖଲ କରାଯିବ। ଫି’ ବାବଦରେ ଉଭୟ କଲେଜ ଅଧ୍ୟକ୍ଷ ଓ କାର୍ଯ୍ୟକ୍ରମ ସଂଯୋଜକଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।
ସ୍ନାତକ ପାଠ୍ୟକ୍ରମରେ ଏନ୍ଏସ୍ଏସ୍କୁ ଇଲେକ୍ଟିଭ୍ ବିଷୟ ଭାବେ ରଖାଯିବ। ଛାତ୍ରଛାତ୍ରୀ ଚାହିଁଲେ ଏହାକୁ ନେଇ ପଢ଼ିପାରିବେ। ଏନ୍ଏସ୍ଏସ୍କୁ ପାଠ୍ୟକ୍ରମରେ ଇଲେକ୍ଟିଭ୍ ବିଷୟ ଭାବେ ସାମିଲ କରିବାକୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଅଧ୍ୟକ୍ଷଙ୍କ ପକ୍ଷରୁ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତିମାନଙ୍କୁ ଚିଠି ଲେଖାଯାଇଥିଲା, ଯାହାକି ୟୁଜିସି ୱେବସାଇଟ୍ରେ ଉପଲବ୍ଧ ରହିଛି। ସେପଟେ ପିଲା ହେଉ ନ ଥିବାରୁ ରାଜ୍ୟର ୩ଟି ଶିକ୍ଷାନୁଷ୍ଠାନର ୧୬୦୦ ଏନ୍ଏସ୍ଏସ୍ ସିଟ୍ କାଟି ଦିଆଯାଇଛି। ଆଇଆଇଟି ଭୁବନେଶ୍ବର, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ଓ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପାଇଁ ହଜାରେ ଲେଖାଏ ସିଟ୍ ଅନୁମୋଦନ ହୋଇଥିଲା। ତେବେ ପିଲା ହେଉ ନ ଥିବାରୁ ଆଇଆଇଟି ଓ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରୁ ୭୦୦ ଲେଖାଏ ସିଟ୍ ଏବଂ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରୁ ୨୦୦ ସିଟ୍ ହ୍ରାସ କରାଯାଇଛି। ଉକ୍ତ ୧୬୦୦ ସିଟ୍କୁ ୫ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ବାଣ୍ଟି ଦିଆଯାଇଛି। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଓ ଏହା ଅଧୀନ କଲେଜ ପାଇଁ ୩୫୦ ସିଟ୍ ଦିଆଯାଇଥିବା ବେଳେ ଉତ୍କଳ ବିଶ୍ବବିଦ୍ୟାଳୟ ଓ ଅଧୀନ କଲେଜ ପାଇଁ ୨୫୦, ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟକୁ ୩୦୦, କିସ୍ ପାଇଁ ୫୦୦ ଓ ସେଞ୍ଜୁରିଆନ୍ ବିଶ୍ବବିଦ୍ୟାଳୟ ଲାଗି ୨୦୦ ସିଟ୍ ପ୍ରଦାନ କରାଯାଇଛି।
ଏବେ ରାଜ୍ୟରେ ୧ ଲକ୍ଷ ୧୫ ହଜାର ୫୦୦ ଏନ୍ଏସ୍ଏସ୍ ସିଟ୍ ରହିଛି। ୨୦୨୦-୨୧ ଶିକ୍ଷାବର୍ଷରେ ଆଉ ୧୯ ହଜାର ୫୦୦ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ରାଜ୍ୟରେ ମୋଟ ଏନ୍ଏସ୍ଏସ୍ ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ୧ ଲକ୍ଷ ୩୫ ହଜାର କରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୧୬-୧୭, ୨୦୧୭-୧୮ ଓ ୨୦୧୮-୧୯ ଆର୍ଥିକ ବର୍ଷରେ ଏନ୍ଏସ୍ଏସ୍ ବାବଦରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ଅନୁଦାନ ମିଳି ନାହିଁ। ବିଭିନ୍ନ ଏନ୍ଏସ୍ଏସ୍ ବ୍ୟୁରୋରେ ବଳକା ରହିଥିବା ଅର୍ଥକୁ ୨୦୧୮-୧୯ ଶିକ୍ଷାବର୍ଷରେ ଖର୍ଚ୍ଚ କରାଯାଇଛି। ତେବେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ଓ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ଏନ୍ଏସ୍ଏସ୍ ବ୍ୟୁରୋରୁ ୪୩ ଲକ୍ଷ ୨୫ ହଜାର ୯୨୫ ଟଙ୍କା ଫେରାଇ ଅଣାଯାଇ ତାହାକୁ ଉତ୍କଳ ବିଶ୍ବବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଦ୍ୟାଳୟ, ଫକୀର ମୋହନ ବିଶ୍ବବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଓ ଆଇଆଇଟି ଭୁବନେଶ୍ବର ମଧ୍ୟରେ ବାଣ୍ଟି ଦିଆଯାଇଛି।
ଏନ୍ଏସ୍ଏସ୍ରେ ନୂଆ କରି ନିଯୁକ୍ତ ହୋଇଥିବା ପୋଗ୍ରାମ ଅଫିସରଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ କରାଯିବ। ବେସିକ୍ ସାଇନ୍ସ କଲେଜର ନିର୍ଦେଶକ ତଥା ରାଜ୍ୟ ଏନ୍ଏସ୍ଏସ୍ ପ୍ରଶିକ୍ଷକ ସଂଯୋଜକ ବିକାଶ କୁମାର ପଣ୍ଡାଙ୍କ ନେତୃତ୍ବରେ ନିୟମିତ ଭାବେ ତାଲିମ କାର୍ଯ୍ୟକ୍ରମ ଚାଲିବ। ୨୦୧୭ର ବିଜ୍ଞପ୍ତି ଅନୁଯାୟୀ ଯେଉଁ ଏନ୍ଏସ୍ଏସ୍ ପୋଗ୍ରାମ ଅଫିସର ୬ ବର୍ଷ ପୂରଣ କରିଥିବେ ସେମାନଙ୍କୁ ପରିବର୍ତନ କରାଯିବ। ତେବେ ଯେଉଁ ଅଫିସରମାନେ ଭଲ ପ୍ରଦର୍ଶନ କରିଥିବେ ସେମାନଙ୍କର କାର୍ଯ୍ୟକାଳ ଆଉ ବର୍ଷେ ବୃଦ୍ଧି କରିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ପ୍ରସ୍ତାବ ଦେଇଛନ୍ତି।