କଟକ: ଜାତୀୟ କ୍ରୀଡ଼ାର ଚତୁର୍ଥ ଦିନ ଅର୍ଥାତ୍ ସୋମବାର ଓଡ଼ିଶାକୁ ଆଉ ୫ (୩ ରୌପ୍ୟ, ୨ କାଂସ୍ୟ) ପଦକ ମିଳିଛି। ଫଳରେ ଓଡ଼ିଶାର ମୋଟ ପଦକ ସଂଖ୍ୟା ୧୪ (୩ ସ୍ବର୍ଣ୍ଣ, ୫ ରୌପ୍ୟ, ୬ କାଂସ୍ୟ)ରେ ପହଞ୍ଚିଛି। ଚତୁର୍ଥ ଦିନରେ ବନ୍ଧୁକଚାଳନା ୫୦ ମିଟର ରାଇଫଲରେ ଶ୍ରୀୟଙ୍କା ଷଡ଼ଙ୍ଗୀ ରୌପ୍ୟ ପଦକ ଜିତିଛନ୍ତି। ସାଇକ୍ଲିଂ ଓମ୍ନିୟମ୍ରେ ସ୍ବସ୍ତି ସିଂହ ରୌପ୍ୟ ପଦକ ପାଇଛନ୍ତି। ତାଙ୍କ ବ୍ୟତୀତ ଅନ୍ୟତ ତିନି ପଦକ ରୋଇଂରୁ ଆସିଛି। ମହିଳା କକ୍ସଲେସ ୮ରେ ରୌପ୍ୟ ଏବଂ ଡବଲ ସ୍କଲ୍ ଓ କ୍ବାଡ୍ରାପଲ ସ୍କଲ୍ରେ ଓଡ଼ିଶାକୁ କାଂସ୍ୟ ପଦକ ମିଳିଛି।
ବନ୍ଧୁକ ଚାଳନାରେ ଶ୍ରୀୟଙ୍କାଙ୍କୁ ରୌପ୍ୟ
ବନ୍ଧୁକଚାଳନାରେ ଓଡ଼ିଶାରୁ ଏକମାତ୍ର କ୍ରୀଡ଼ାବିତ୍ ଭାବେ ଜାତୀୟ କ୍ରୀଡ଼ାର ଅଂଶଗ୍ରହଣ କରିଥିବା ଶ୍ରୀୟଙ୍କା ଷଡ଼ଙ୍ଗୀ ଅଳ୍ପକେ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି। ୫୦ ମିଟର ରାଇଫଲ ୩ ପୋଜିସନ୍ସରେ ପଞ୍ଜାବର ସିଫ୍ଟ କୌର ସମ୍ରାଙ୍କ ସହ ଶ୍ରୀୟଙ୍କାଙ୍କ କଡ଼ା ମୁକାବିଲା ହୋଇଥିଲା। ପଏଣ୍ଟ୍ରେ ଯଦିଓ ପ୍ରଥମେ ଶ୍ରୀୟଙ୍କା (୪୦୨.୬) ଆଗରେ ଥିଲେ କିନ୍ତୁ ଚୂଡ଼ାନ୍ତ ଫଳ ଆସିବା ବେଳକୁ ଉଭୟଙ୍କ ମଧ୍ୟରେ ସମାନ ସ୍ଥିତି ହୋଇଯାଇଥିଲା। ତେଣୁ ଶେଷ ରାଉଣ୍ଡରେ ସମ୍ରା ୧୮ ପଏଣ୍ଟ୍ ଆଗରେ ରହିଯାଇଥିଲା ବେଳେ ଶ୍ରୀୟଙ୍କା ୧୬ ପଏଣ୍ଟ୍ରେ ତାଙ୍କ ପଛକୁ ରହିଥିଲେ। ପଞ୍ଜାବର ଅଞ୍ଜୁମ ମୌଦଗିଲ (୪୦୦.୮) କାଂସ୍ୟ ପଦକ ପାଇଛନ୍ତି।
ସାଇକ୍ଲିଂରୁ ପ୍ରଥମ ପଦକ ଦେଲେ ସ୍ବସ୍ତି
ସୋମବାର ସାଇକ୍ଲିଂରୁ ପ୍ରଥମ ପଦକ ଆସିଛି। ଫାଇନାଲ୍ରେ ସ୍ବସ୍ତି ସିଂହ ଓମ୍ନିୟମରେ ୧୨୬ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ହରିଆଣାର ମିନାକ୍ଷୀ ୧୩୯ ପଏଣ୍ଟ ସହ ସ୍ବର୍ଣ୍ଣ ଏବଂ ମଣିପୁରର କେ. ରେଜିଆ ଦେବୀ ୧୨୧ ପଏଣ୍ଟ୍ ସହ କାଂସ୍ୟ ପଦକ ଜିତିଛନ୍ତି।
ରୋଇଂରୁ ୧ ରୌପ୍ୟ, ୨ କାଂସ୍ୟ
ତୃତୀୟ ଦିନ ପରି ଚତୁର୍ଥ ଦିନରେ ବି ରୋଇଂରେ ଓଡ଼ିଶାକୁ ଅଧିକ ପଦକ ମିଳିଛି। ମହିଳା ବିଭାଗର କକ୍ସଲେସ୍ ୮ରେ ଓଡ଼ିଶାକୁ ରୌପ୍ୟ ପଦକ ମିଳିଛି। ଏହି ଇଭେଣ୍ଟରେ ଓଡ଼ିଶାରୁ ରିତୁ କାଉଡ଼ି, ଦୀପିକା ଖେସ୍, ଝରଣା ହସ୍ତି, ସୋନାଲି ସ୍ବାଇଁ, ରେଶ୍ମା ଲାକ୍ରା, ଅସ୍ମିତା କେର୍କେଟା, ସଂଯୁକ୍ତା ଡୁଙ୍ଗଡୁଙ୍ଗ, ମନିଷା କିସ୍ପୋଟା, ଶୁଭଶ୍ରୀ ବିଶ୍ବାଳ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ୬:୪୩.୧ ମିନିଟ୍ ସମୟ ନେଇ ଏହି ରେସ୍ ଶେଷ କରିଥିଲା। ଏହି ଇଭେଣ୍ଟ୍ରେ କେରଳ (୬:୩୫.୦)କୁ ସ୍ବର୍ଣ୍ଣ ଏବଂ ତାମିଲନାଡ଼ୁ (୬:୪୬.୦)କୁ କାଂସ୍ୟ ମିଳିଥିଲା। କ୍ବାଡ୍ରାପଲ ସ୍କଲ୍ରେ ସୋନାଲିକା ଦାସ, ଅଂଶିକା ଭାରତୀ, ଅରୁଣପ୍ରୀତ୍ ପୌର, ରିଚେଲ ଲାକ୍ରା ଓଡ଼ିଶାକୁ କାଂସ୍ୟ ପଦକ ଭେଟି ଦେଇଥିଲେ। ଏମାନେ ୭:୧୭.୧ ମିନିଟ୍ରେ ରେସ୍ ଶେଷ କରି ତୃତୀୟ ସ୍ଥାନରେ ରହିଥିଲେ। ଏହି ଇଭେଣ୍ଟ୍ରେ ମଧ୍ୟପ୍ରଦେଶ (୬:୪୦.୮)କୁ ସ୍ବର୍ଣ୍ଣ ଏବଂ ହରିୟାଣା (୬:୪୯.୫)କୁ ରୌପ୍ୟ ମିଳିଥିଲା। ସେହିଭଳି ଲାଇଟ୍ ଡବଲ୍ ସ୍କଲ୍ରେ ଅଂଶିକା ଭାରତୀ ଓ ସୋନାଲିକା ଦାସଙ୍କ ଯୋଡ଼ି କାଂସ୍ୟ ପଦକ ଜିତିଥିଲେ। ଏହି ଯୋଡ଼ି ୭:୪୮.୫ ମିନିଟ୍ ସମୟରେ ରେସ୍ ଶେଷ କରି ତୃତୀୟ ସ୍ଥାନରେ ରହିଥିଲେ। ମଧ୍ୟପ୍ରଦେଶ (୭:୨୯.୮) ସ୍ବର୍ଣ୍ଣ ଏବଂ ହରିୟାଣା (୭:୪୫.୯) ରୌପ୍ୟ ପଦକ କରାୟତ୍ତ କରିଥିଲେ।
୪୦୦ ମିଟର ବାଧାଦୌଡ଼ ଫାଇନାଲ୍ରେ ପ୍ରଜ୍ଞା
୪୦୦ ମିଟର ବାଧାଦୌଡ଼ରେ ଓଡ଼ିଶାର ପ୍ରଜ୍ଞା ପ୍ରଶାନ୍ତି ସାହୁ ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଫାଇନାଲ୍ ମଙ୍ଗଳବାର ଅନୁଷ୍ଠିତ ହେବ। ସୋମବାର ଅନୁଷ୍ଠିତ ହିଟ୍ସରେ ପ୍ରଜ୍ଞା ଏହି ଦୂରତାକୁ ୧:୦୧.୧୨ ମିନିଟ୍ ସମୟ ନେଇ ଫାଇନାଲ୍ ଯୋଗ୍ୟତା ଅର୍ଜନ କରିଥିଲେ।
ଲନ୍ ବଲ୍ରେ ଓଡ଼ିଶା ସବୁ ମ୍ୟାଚ୍ ହାରିଲା
ଲନ୍ ବଲ୍ରେ ସୋମବାର ଓଡ଼ିଶା ପାଇଁ ନିରାଶାଜନକ ରହିଥିଲା। ଏଥିରେ ଓଡ଼ିଶା କୌଣସି ମ୍ୟାଚ୍ ଜିତିପାରିନଥିଲା। ଯୁଗଳରେ ଝାଡ଼ଖଣ୍ଡ ୨୫-୯ ରେ, ଟ୍ରିପଲ୍ରେ ଦିଲ୍ଲୀ ୨୧-୮ରେ, ଫୋର୍ସରେ ବିହାର ୨୪-୨ରେ ଓଡ଼ିଶାକୁ ହରାଇଥିଲେ। ସେହିପରି ଏକକରେ ଦିଲ୍ଲୀର ବିକ୍ରମ ରଜାକ ୨୧-୬ରେ ସୁଦେଶ ଶ୍ରବଣ ସାହୁଙ୍କୁ ହରାଇବାରୁ ପଦକ ଆଶା ମଉଳିଥିଲା। ଫୋର୍ସ ଓ ଟ୍ରିପଲ୍ସରେ ଶେଷ ଲିଗ୍ ମ୍ୟାଚ୍ ମଙ୍ଗଳବାର ଖେଳାଯିବ।
ଭାରୋତ୍ତଳନ ଶିବରାମ ସାହୁ ଷଷ୍ଠରେ ରହିଲେ
୧୦୯ କେଜି ପୁରୁଷ ଭାରୋତ୍ତଳନରେ ଓଡ଼ିଶାର ଶିବରାମ ସାହୁ ଷଷ୍ଠ ସ୍ଥାନରେ ରହିଥିଲେ। ସେ ମୋଟ ୨୬୫ ପଏଣ୍ଟ୍ ପାଇଛନ୍ତି। ଏହି ଇଭେଣ୍ଟରେ ସର୍ଭିସେସ୍ର ଲଭ୍ପ୍ରୀତ୍ ସିଂହ (୩୩୮) ସ୍ବର୍ଣ୍ଣ, ହରିୟାଣାର ବିଶାଲ ସୋଲାଙ୍କି (୩୨୩) ରୌପ୍ୟ ଓ ନବୀନ (୩୨୨) କାଂସ୍ୟ ପଦକ ଜିତିଛନ୍ତି।
ମହିଳା ହକିରେ ଓଡ଼ିଶା ପରାସ୍ତ
ମହିଳା ହକିରେ ଓଡ଼ିଶା ଖେଳିଥିବା ଦ୍ବିତୀୟ ଲିଗ୍ ମ୍ୟାଚରେ ପରାସ୍ତ ହୋଇଛି। ରାଜକୋଟର ମେଜର ଧ୍ୟାନଚାନ୍ଦ ହକି ପଡ଼ିଆରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ହରିୟାଣା ୪-୦ରେ ଓଡ଼ିଶାକୁ ହରାଇଛି। ଏଥିପୂର୍ବରୁ ରବିବାର ପ୍ରଥମ ମ୍ୟାଚ୍ରେ ଓଡ଼ିଶା ୩-୨ରେ ଉତ୍ତରପ୍ରଦେଶକୁ ହରାଇଥିଲା। ବୁଧବାର ଓଡ଼ିଶା ତୃତୀୟ ମ୍ୟାଚ୍ ଗୁଜରାଟ ବିପକ୍ଷରେ ଖେଳିବ।
ଫାଇନାଲ୍ ପ୍ରବେଶ ସହ ପଦକ ପକ୍କା କଲା ମହିଳା ଖୋ ଖୋ ଦଳ
ଖୋ ଖୋରୁ ଓଡ଼ିଶାକୁ ଏକ ପଦକ ମିଳିବା ନିଶ୍ଚିତ ହୋଇଛି। ସୋମବାର ଖେଳାଯାଇଥିବା ମହିଳା ସେମିଫାଇନାଲ୍ ମ୍ୟାଚ୍ରେ ଓଡ଼ିଶା ୩୬-୨୪ରେ କର୍ଣ୍ଣାଟକକୁ ହରାଇ ଫାଇନାଲ୍ରେ ପ୍ରବେଶ କରିଛି। ମଙ୍ଗଳବାର ଫାଇନାଲ୍ରେ ଏହି ଦଳ ମହାରାଷ୍ଟ୍ରକୁ ଭେଟିବ। ପ୍ରଥମ ପାଳିରେ ୧୮-୧୨ ଓ ଦ୍ବିତୀୟ ପାଳିରେ ୧୮-୧୨ ସ୍କୋର କରି ଓଡ଼ିଶା ଏହି ବିଜୟ ପାଇଥିଲା। ଏଥିପୂର୍ବରୁ ଲିଗ୍ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ରେ ପଞ୍ଜାବକୁ ୨୮-୨୦ ରେ ହରାଇଥିଲାବେଳେ ଦ୍ବିତୀୟ ମ୍ୟାଚ୍ରେ ମହାରାଷ୍ଟ୍ରଠୁ ୨୦-୩୮ରେ ଓଡ଼ିଶା ପରାସ୍ତ ହୋଇଥିଲା। ତୃତୀୟ ମ୍ୟାଚ୍ରେ ଗୁଜରାଟକୁ ୧୮-୧୬ରେ ହରାଇ ଓଡ଼ିଶା ସେମିଫାଇନାଲ୍ରେ ପ୍ରବେଶ କରିଥିଲା।
ଓଡ଼ିଶା ଦଳ: ସସ୍ମିତା ନାଥଶର୍ମା, ସବିଲା ଖାତୁନ, ପୁଷ୍ପା ମାରାଣ୍ଡି, ଆଶା ମାରାଣ୍ଡି, ଅର୍ଚ୍ଚନା ମାଝି, କାଦମ୍ବନୀ ମାଝି, ଶୁଭଶ୍ରୀ ସିଂହ, ଅର୍ଚ୍ଚନା ପ୍ରଧାନ, ସ୍ମରଣିକା ସାହୁ, ମଗାଇ ମାଝି, ରୁପାଲି ପ୍ରଧାନ, ରଞ୍ଜିତା ବାରିକ, ଲିପି ନାଏକ, ପ୍ରତିମା ଦେ, ସଂଜୀବ ଶର୍ମା (ପ୍ରଶିକ୍ଷକ), ଚିନ୍ତାମଣି ପ୍ରଧାନ (ପ୍ରବନ୍ଧକ) ଓ ଡ. ଶୋଭେନ କୁମାର (ଫିଜିଓ) ।