ଏନ୍‌ସିଏଫ୍‌ର ବିକାଶ ପାଇଁ ଜାତୀୟ ପରିଚାଳନା କମିଟି ଗଠିତ

ଭୁବନେଶ୍ବର : ଜାତୀୟ ପାଠ୍ୟକ୍ରମ ଫ୍ରେମୱାର୍କ(ଏନ୍‌ସିଏଫ୍‌)ର ବିକାଶ ପାଇଁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପରିଚାଳନା କମିଟି ଗଠନ କରାଯାଇଛି। ଏହି କମିଟିରେ ଇସ୍ରୋର ପୂର୍ବତନ ବୈଜ୍ଞାନିକ କେ କେସ୍ତୁରୀରଙ୍ଗନ୍‌ ମୁଖ୍ୟ ଥିବା ବେଳେ ଏନ୍‌ଆଇଇପିଏର କୁଳାଧିପତି ମହେଶ ପନ୍ଥ, ଏନ୍‌ବିଟିର ଚେୟାରମ୍ୟାନ୍‌ ଗୋବିନ୍ଦ ପ୍ରସାଦ ଶର୍ମା, ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ବବିଦ୍ୟାଳୟର କୁଳପତି ନଜମା ଅଖ୍‌ତର୍‌, ଟି କେ କାଟ୍ଟିମାନି, ମିଚେଲ୍‌ ଡାନିନୋ, ମିଲିଣ୍ଡ କାମ୍ବଲେ, ଜଗବୀର ସିଂ, ମଞ୍ଜୁଲ ଭାର୍ଗବ, ଏମ୍‌ କେ ଶ୍ରୀଧର, ଧୀର ଜିଙ୍ଗରାନ୍‌, ଶଙ୍କର ମାରୁୱାଡା ସଦସ୍ୟ ରହିଛନ୍ତି।

ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ଏହି କମିଟି ୪ଟି ଜାତୀୟ ପାଠ୍ୟକ୍ରମ ଢାଞ୍ଚା ଅର୍ଥାତ୍ ବିଦ୍ୟାଳୟ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ଢାଞ୍ଚା, ପ୍ରାଥମିକ ଶିଶୁ ଯତ୍ନ ଓ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ, ଶିକ୍ଷକ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ଢାଞ୍ଚା ଓ ବୟସ୍କଙ୍କ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ଢାଞ୍ଚା ପ୍ରସ୍ତୁତ କରିବ। ପାଠ୍ୟକ୍ରମ ସଂସ୍କାର ପ୍ରସ୍ତାବ ଲାଗି ଉକ୍ତ ୪ଟି କ୍ଷେତ୍ର ସହ ଜଡ଼ିତ ଜାତୀୟ ଶିକ୍ଷା ନୀତି-୨୦୨୦ର ସମସ୍ତ ସୁପାରିଶକୁ ଧ୍ୟାନରେ ରଖି କମିଟି ବିଦ୍ୟାଳୟ ଶିକ୍ଷା, ପ୍ରାଥମିକ ଶିଶୁ ଯତ୍ନ ଓ ଶିକ୍ଷା, ଶିକ୍ଷକ ଶିକ୍ଷା ଏବଂ ବୟସ୍କ ଶିକ୍ଷା ବିଷୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିବ। ଜାତୀୟ ପାଠ୍ୟକ୍ରମ ଫ୍ରେମୱାର୍କ ପାଇଁ ରାଜ୍ୟ ପାଠ୍ୟକ୍ରମ ଫ୍ରେମୱାର୍କରୁ କମିଟି କିଛି ଗ୍ରହଣ କରିପାରିବ। ସମସ୍ତ ଜାତୀୟ ପାଠ୍ୟକ୍ରମ ଢାଞ୍ଚାଗୁଡ଼ିକ ଭବିଷ୍ୟତ ପାଇଁ କୋଭିଡ୍‌-୧୯ ସଂକ୍ରମଣ ପରି ସ୍ଥିତିର ପ୍ରଭାବ ଉପରେ ଯେପରି ପ୍ରତିଫଳିତ ହୁଏ ତାହା ଉପରେ ଧ୍ୟାନ ଦେବାକୁ ହେବ। ବୈଠକ ଡକାଯିବା ବେଳେ କମିଟି ବିଷୟ ବିଶେଷଜ୍ଞ, ବିଦ୍ୱାନ, ଶିକ୍ଷାବିତ୍‌ଙ୍କୁ ମଧ୍ୟ ଆମନ୍ତ୍ରଣ କରିପାରନ୍ତି। ଏନସିଇଆରଟିର କାର୍ଯ୍ୟନିର୍ବାହୀ କମିଟି ଓ ଜେନେରାଲ୍ ବଡି, କେନ୍ଦ୍ରୀୟ ପରାମର୍ଶଦାତା ବୋର୍ଡ ଅଫ୍ ଏଜୁକେସନ୍‌ର ବୈଠକ ପରି ବିଭିନ୍ନ ହିତାଧିକାରୀଙ୍କଠାରୁ ଗ୍ରହଣ କରାଯାଇଥିବା ପରାମର୍ଶକୁ ଅନ୍ତର୍ଭୁକ୍ତ କରିବା ପରେ ଏହି କମିଟି ଜାତୀୟ ପାଠ୍ୟକ୍ରମ ଢାଞ୍ଚାଗୁଡ଼ିକୁ ଚୂଡ଼ାନ୍ତ କରିବ। ଏହି କମିଟିର କାର୍ଯ୍ୟକାଳ ବିଜ୍ଞପ୍ତି ପ୍ରକାଶଠାରୁ ତିନି ବର୍ଷ ପର୍ଯ୍ୟନ୍ତ ହେବ। ଏହାର ମଡ୍ୟୁଲ୍ ସମ୍ପୂର୍ଣ୍ଣ କରିବାକୁ ଏନ୍‌ସିଇଆରଟି ନିର୍ଦ୍ଦେଶକ ସବ୍‌ କମିଟିକୁ ସାହାଯ୍ୟ କରିବେ। ଆବଶ୍ୟକତା ଅନୁଯାୟୀ ଏହାର ସର୍ତ୍ତାବଳୀରେ ପରିବର୍ତନ କରାଯାଇପାରେ।

ସମ୍ବନ୍ଧିତ ଖବର