ପର୍ଯ୍ୟଟନ ବିକାଶ ପାଇଁ କେନ୍ଦ୍ର-ରାଜ୍ୟ ଭୂମିକାକୁ ନେଇ ଆଲୋଚନା
ଇକୋ-ରିଟ୍ରିଟକୁ ବିଭିନ୍ନ ରାଜ୍ୟର ସଚିବଙ୍କ ପ୍ରଶଂସା
କୋଣାର୍କ/ପୁରୀ : କୋଣାର୍କ ମେରାଇନ୍ ଡ୍ରାଇଭ୍ ରୋଡ୍ ଇକୋ ରିଟ୍ରିଟ ଠାରେ ଆୟୋଜିତ ସର୍ବଭାରତୀୟ ପର୍ଯ୍ୟଟନ ସମ୍ମିଳନୀର ଦ୍ବିତୀୟ ଦିନରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଯୋଗଦେଇ ପୁରୀ- କୋଣାର୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ପୁରୀ-କୋଣାର୍କକୁ ମିଶାଇ ଏକ ଆଇକନ୍ ସିଟି କରାଯିବ। ଏ ବାବଦରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅଢ଼େଇ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ରଖିଥିବା ସେ କହିଛନ୍ତି। ତେବେ, ଏହାକୁ ଆଇକନ୍ ସିଟି ମାନ୍ୟତା ଦେବା ଓ ଏହାର ଭିତ୍ତିଭୂମି ବିକାଶ ପାଇଁ ଯାହା ପଦକ୍ଷେପ ନେବା କଥା ତୁରନ୍ତ ନିଆଯିବ। ଖୁବ୍ଶୀଘ୍ର ଏହି କାମ ଆରମ୍ଭ ହେବ ବୋଲି କୋଣାର୍କ ଗସ୍ତ ଅବସରେ ଗଣମାଧ୍ୟମକୁ ଶ୍ରୀ ପଟେଲ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ ମଧ୍ୟ ଇକୋ ରିଟ୍ରିଟର ସଫଳତାକୁ ମଧ୍ୟ ପ୍ରଶଂସା କରିଥିଲେ। ଏଥିସହିତ, ଓଡ଼ିଶାରେ ପର୍ଯ୍ୟଟନ ବିକାଶ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି ଏବଂ ଏହାର ସଦୁପଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଆହୁରି ମଧ୍ୟ କହିଥିଲେ ଯେ, କେନ୍ଦ୍ର ସରକାର ଏ ଦିଗରେ ସବୁ ପ୍ରକାର ସହାୟତା ଯୋଗାଇ ଦେବେ । ପର୍ଯ୍ୟଟନ ଶିଳ୍ପର ବିକାଶ ହେଲେ ଓଡ଼ିଶାରୁ ବେରୋଜଗାର ସମସ୍ୟା ଦୂର ହେବା ସହିତ ଅର୍ଥନୀତି ସୁଦୃଢ ହୋଇପାରିବ। ଇକୋ ରିଟ୍ରିଟ ଉତ୍ସବ ବେଳାଭୂମି ପର୍ଯ୍ୟଟନ ଓ ପରିବେଶ ପର୍ଯ୍ୟଟନର ବିକାଶରେ ମଧ୍ୟ ସହାୟକ ହେବ ବୋଲି ସେ କହିଥିଲେ।
ଅନ୍ୟପକ୍ଷରେ, ସମ୍ମିଳନୀରେ ଯୋଗ ଦେଇଥିବା ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ସଚିବ, ଅଧିକାରୀ, ମନ୍ତ୍ରୀ ଓ ଶିଳ୍ପ ସହିତ ଜଡ଼ିତ ଅନୁଷ୍ଠାନ ଦେଶର ପର୍ଯ୍ୟଟନ ବିକାଶକୁ ନେଇ ଦିନତମାମ ମାନସ ମନ୍ଥନ କରିଥିଲେ। ସାମଗ୍ରିକ ଭାବେ ପର୍ଯ୍ୟଟନ ବିକାଶ ପାଇଁ ରାଜ୍ୟ ରାଜ୍ୟ ମଧ୍ୟରେ ସଂପର୍କ ଓ କେନ୍ଦ୍ର-ରାଜ୍ୟ ମଧ୍ୟରେ ବୁଝାମଣାକୁ ନେଇ ଆଲୋଚନା ହୋଇଥିଲା।
ଆଜି ପୂର୍ବାହ୍ନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ବରିଷ୍ଠ ଅଧିକାରୀଙ୍କୁ କିଛି ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ସୂର୍ଯ୍ୟମନ୍ଦିରରେ ପହଞ୍ଚିବା ପରେ ମନ୍ତ୍ରୀ ପ୍ରତିଟି କାରୁକାର୍ଯ୍ୟ ଓ କଳାକୃତିକୁ ଦେଖିଥିଲେ। ମନ୍ଦିର ପରିସରରେ ଥିବା ରୋଷଶାଳା, ବାମ୍ଫି , ଭୋଗ ମଣ୍ଡପ ବୁଲି ଦେଖିଥିଲେ। କୋଣାର୍କ କେବଳ ଓଡ଼ିଆ ଜାତିର ନୁହେଁ ବରଂ ଭାରତ ବର୍ଷର ସ୍ବାଭିମାନର ପ୍ରତୀକ ହେବା ଉଚିତ ବୋଲି କହିଥିଲେ। ବିଶ୍ବର କୋଣ ଅନୁକୋଣର ପର୍ଯ୍ୟଟକ କିଭଳି କୋଣାର୍କ ପ୍ରତି ଆକୃଷ୍ଟ ହେବେ ସେଥିପାଇଁ ଏହାର ପ୍ରଚାର ପ୍ରସାର କରିବା ଓ ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହେବା ଭଳି ସୂଚନା ଫଳକ ଲଗାଇବାକୁ ମନ୍ତ୍ରୀ ଏଏସ୍ଆଇ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ତେବେ ମନ୍ଦିରର ବିଭିନ୍ନ ସ୍ଥାନରେ ସାଦା ପଥର ବ୍ୟବହାର କରାଯାଉଥିବା ନେଇ ମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିଥିଲେ। ଅପସାରଣ ହେଉଥିବା ପଥର ଓ ସେ ସ୍ଥାନରେ ଲାଗୁଥିବା ପଥରରେ କାହିଁକି ଅବିକଳ କଳାକୃତି ଅଙ୍କା ଯାଉନାହିଁ ବୋଲି ପ୍ରଶ୍ନ କରିଥିଲେ। ତେବେ ଏଥିପାଇଁ ରହିଥିବା ନିୟମ ସଂପର୍କରେ ଆଲୋଚନା କରାଯାଇ ସାଦା ପଥର ନୁହେଁ ବରଂ ସେହି ଶୈଳୀରେ କଳାକୃତି ଆଙ୍କିବାକୁ କହିଥିଲେ। ସପ୍ରଚାର ଓ ପ୍ରସାରକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଥିଲା। ଏଥିପାଇଁ ଏକ ଖସଡ଼ା ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଥିଲା। ଗୋଟିଏ ରାଜ୍ୟର ପର୍ଯ୍ୟଟନ ଚିତ୍ରରେ ଅନ୍ୟ ରାଜ୍ୟର ପର୍ଯ୍ୟଟନ କି ଭଳି ପ୍ରଚାର ହୋଇପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲେ।
କେନ୍ଦ୍ରମନ୍ତ୍ରୀଙ୍କ ସହିତ ଗୁଜୁରାଟ ପର୍ଯ୍ୟଟନ ମନ୍ତ୍ରୀ , କେନ୍ଦ୍ର ପର୍ଯ୍ୟଟନ ନିର୍ଦ୍ଦେଶକଙ୍କ ସମେତ ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ସଚିବ ଓ ଓଡ଼ିଶା ପର୍ଯ୍ୟଟନର ବରିଷ୍ଠ ଅଧିକାରୀମାନେ ଏହି ସମ୍ମିଳନୀରେ ଉପସ୍ଥିତ ରହିଥିଲେ । ଗୁଜୁରାଟ ପର୍ଯ୍ୟଟନ ମନ୍ତ୍ରୀ ଭାସନ ଭାଇ ଆହିର, ଓଡ଼ିଶା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପର୍ଯ୍ୟଟନ ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ରୁପିନ୍ଦର ବ୍ରାର, ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ପର୍ଯ୍ୟଟନ କମିସନର ତଥା ସଚିବ ବିଶାଲ ଦେବ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ।