ଭୁବନେଶ୍ବର : ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିସନରେ ୯୦ ପ୍ରତିଶତ ଅର୍ଥ ଖର୍ଚ କରିବାକୁ ନିର୍ଦେଶ ଦିଆଯାଇଛି। ୨୦୧୯/୨୦ ଆର୍ଥିକ ବର୍ଷର ପ୍ରଥମ ୪ ମାସରେ ରାଜ୍ୟରେ ହାରାହାରି ୧୯ ପ୍ରତିଶତ ଅର୍ଥ ଏହି ଯୋଜନାରେ ଖର୍ଚ ହୋଇଛି। ଢେଙ୍କାନାଳ ଜିଲ୍ଲା ଆଗରେ ରହିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ସବୁଠାରୁ ପଛରେ ରହିଛି। ଯେଉଁସବୁ ଜିଲ୍ଲାରେ ଏହି ଯୋଜନାରେ କମ୍ ଅର୍ଥ ଖର୍ଚ ହୋଇଛି ତୁରନ୍ତ ଯୋଜନା ପ୍ରସ୍ତୁତ କରି ବିନିଯୋଗ ବୃଦ୍ଧି କରିବା ଲାଗି ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦେଶିକା ଶାଳିନୀ ପଣ୍ଡିତ ନିର୍ଦେଶ ଦେଇଛନ୍ତି।

Advertisment

ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିସନ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଥିଲା। ବୈଠକରେ ଶ୍ରୀମତୀ ପଣ୍ଡିତ ଯୋଗଦେଇ କହିଲେ, ସହରାଞ୍ଚଳରେ ସ୍ବାସ୍ଥ୍ୟସେବାକୁ ଅଧିକରୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ଯୋଜନା ଜରିଆରେ ଲକ୍ଷ୍ୟଭିତ୍ତିକ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି। ଏହାର ସୁଫଳ ଯେପରି ପ୍ରତ୍ୟେକ ବ୍ୟକ୍ତି ପାଇପାରିବେ ସେଥିପାଇଁ ସମସ୍ତଙ୍କୁ ନିଷ୍ଠାର ସହିତ କାମ କରିବାକୁ ହେବ। ସମସ୍ତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକ ‘କାୟାକଳ୍ପ’ ପୁରସ୍କାର ପାଇବା ପାଇଁ ଲକ୍ଷ୍ୟ ରଖିବା ଉଚିତ୍। ଏଥିପାଇଁ ପ୍ରସ୍ତୁତ ହେବା ଆବଶ୍ୟକ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଅତିକମ୍‌ରେ ୨୦ ପ୍ରତିଶତ ସହରାଞ୍ଚଳ ପିଏଚ୍‌ସି ଏନ୍‌କ୍ୟୁଏଏସ୍‌ ବା ଲକ୍ଷ୍ୟ ପ୍ରାମାଣିକତା ହାସଲ କରିବା ଜରୁରି। ପ୍ରାଥିମିକ ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକ ସ୍ବାସ୍ଥ୍ୟ ଓ ୱେଲନେ୍‌ସ କେନ୍ଦ୍ର ଭାବେ କାମ କରିବା ଉଚିତ୍। ପ୍ରତ୍ୟେକ ସହରରେ ପରିମଳ ଓ ‌ସଫେଇ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନିୟମିତ କରିବା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ଏମ୍‌ସିଏଚ୍‌ରୁ ବିଶେଷଜ୍ଞ ଡାକ୍ତରଙ୍କୁ ‘ଆମ କ୍ଲିନିକ୍‌’କୁ ନେଇ ଚିକିତ୍ସା ସେବା ଯୋଗାଇ ଦେବାକୁ ଶ୍ରୀମତୀ ପଣ୍ଡିତ ପରାମର୍ଶ ଦେଇଥିଲେ।

ଏହି ସମୀକ୍ଷା ବୈଠକରେ ପ୍ରତ୍ୟେକ ଜିଲ୍ଲା ଓ ସହରାଞ୍ଚଳ ସ୍ବାସ୍ଥ୍ୟ ଅଧୀନସ୍ଥ କିଛି ଅଭିନବ କାର୍ଯ୍ୟକ୍ରମ ଗ୍ରହଣ କରିବା ପାଇଁ ପରାମର୍ଶ ଦିଆଯାଇଛି। ସଂଧ୍ୟାରେ ବହିର୍ବିଭାଗ ବା ଓପିଡି ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଇଥିଲା। ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଯଥାଶୀଘ୍ର ସମସ୍ତ ନିର୍ମାଣ କାର୍ଯ୍ୟ‌ ଶେଷ କରିବା ସହିତ ଔଷଧ ବିତରଣ କେନ୍ଦ୍ର ଓ ପରିବାର ନିୟୋଜନ ପ୍ରକୋଷ୍ଠ କାର୍ଯ୍ୟକ୍ଷମ କରିବାକୁ ପରାମର୍ଶ ଦିଆଯାଇଛି। ଉଲ୍ଲେଖ ଯେ, ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିସନ ଜରିଆରେ ୫୦ହଜାରରୁ ଅଧିକ ଲୋକସଂଖ୍ୟା ବିଶିଷ୍ଟ ୫ଟି ମହାନଗର ନିଗମ ସମେତ ୩୬ଟି ପୌରାଞ୍ଚଳରେ ସ୍ବାସ୍ଥ୍ୟସେବାରେ ଉନ୍ନତି ପାଇଁ ଗୁରୁତ୍ବ ଦିଆଯାଇଛି।

ଏହି ବୈଠକରେ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ଅତିରିକ୍ତ ନିର୍ଦେଶକ ମୃଣାଳକାନ୍ତି ଦାସ, ରାଜ୍ୟ ପ୍ରୋଗ୍ରାମ ମ୍ୟାନେଜର ସୁକାନ୍ତ ମିଶ୍ର, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ, ସହରାଞ୍ଚଳ ସ୍ବାସ୍ଥ୍ୟ ମିସନର ଅତିରିକ୍ତ ନିର୍ଦେଶକ(ଜନସ୍ବାସ୍ଥ୍ୟ) ଓ ସହରାଞ୍ଚଳ କାର୍ଯ୍ୟକ୍ରମ ପରିଚାଳକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଯୋଗ ଦେଇଥିଲେ।