ଭୁବନେଶ୍ୱର: ରାଜ୍ୟସ୍ତରୀୟ ୧୧ତମ ଜାତୀୟ ମତଦାତା ଦିବସ ପାଳନ ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସରିଛି । କୋଭିଡ-୧୯ ମହାମାରୀର କଟକଣାକୁ ଦୃଷ୍ଟିରେ ରଖି ଏବର୍ଷ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜାତୀୟ ମତଦାତା ଦିବସ ତା ଜାନୁଆରି ୨୫ (ସୋମବାର) ମଧ୍ୟାହ୍ନ ୧୨ଟା ସମୟରେ ପାଳନ କରାଯିବାକୁ ସ୍ଥିର କରାଯାଇଛି ଓ ଅନ୍ଲାଇନ୍ ମାଧ୍ୟମରେ କାର୍ଯ୍ୟକ୍ରମକୁ ଉପଭୋଗ କରିବା ନିମନ୍ତେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ଭାରତ ନିର୍ବାଚନ ଆୟୋଗଙ୍କ ସୁପାରିସ୍ ଅନୁସାରେ ଏହି କାର୍ଯ୍ୟକ୍ରମ ପାଳନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍ କୁମାର ଲୋହାନୀ ପ୍ରକାଶ କରିଛନ୍ତି ।
୧୯୫୦ ମସିହା ଜାନୁୟାରି ୨୫ ତାରିଖରେ ଭାରତ ନିର୍ବାଚନ ଆୟୋଗ ଗଠନ କରାଯାଇଥିଲା । ଏହାର ସ୍ମୃତି ଚାରଣ ନିମନ୍ତେ ୨୦୧୧ ମସିହା ଜାନୁୟାରି ୨୫ ଠାରୁ ପ୍ରତିବର୍ଷ ଏହି ଦିନରେ ସମଗ୍ର ଭାରତରେ ଜାତୀୟ ମତଦାତା ଦିବସ ପାଳନ ହୋଇ ଆସୁଛି । ମୁଖ୍ୟତଃ ରାଜନୈତିକ ପ୍ରକ୍ରିୟାରେ ନୂତନ ଭୋଟରମାନଙ୍କୁ ସାମିଲ୍ କରିବା, ମତଦାନ ନିମନ୍ତେ ଉତ୍ସାହିତ କରିବା, ଅଧିକ ସଂଖ୍ୟକ ନୂତନ ଭୋଟର ତାଲିକାରେ ପଞ୍ଜୀକୃତ ହେବ ଓ ସମସ୍ତ ପ୍ରକାରର ନିର୍ବାଚନରେ ଅଂଶଗ୍ରହଣ ନିମନ୍ତେ ଭୋଟରଙ୍କୁ ସଚେତନ କରାଇବା ହେଉଛି ଜାତୀୟ ମତଦାତା ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ।
ଆମ ଭୋଟରଙ୍କୁ ସଶକ୍ତ, ସତର୍କ, ସୁରକ୍ଷିତ ଓ ସଚେତନ କରାଇବା ହେଉଛି ଏ ବର୍ଷର ବିଷୟ ବସ୍ତୁ । କୋଭିଡ-୧୯ ମହାମାରୀ ଦୃଷ୍ଟିରୁ ନିର୍ବାଚନ ଆୟୋଗ ଏହି ବିଷୟ ବସ୍ତୁ ରଖିଛନ୍ତି । ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରଥମ ଥର ପାଇଁ ଏବର୍ଷ ଭୋଟରମାନଙ୍କ ନିମନ୍ତେ ଇଲୋକ୍ଟ୍ରନିକ୍ସ ଫଟୋ ପରିଚୟ ପତ୍ରର ଶୁଭାରମ୍ଭ କରାଯିବ । ଅନୁରୂପ ଭାବେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍ କୁମାର ଲୋହାନୀ ରାଜ୍ୟରେ ଏହାର ଶୁଭାରମ୍ଭ କରିବେ ।
ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ, ରାଜ୍ୟ, ଜିଲ୍ଲା ଏବଂ ବୁଥ୍ ସ୍ତରରେ ଜାତୀୟ ମତଦାତା ଦିବସ ପାଳନ କରାଯିବାକୁ ସ୍ଥିର କରାଯାଇଛି । ଏହି ଦିବସ ପାଳନ ଅବସରରେ ସବୁ ସ୍ତରରେ ଭୋଟରମାନଙ୍କୁ ଭୋଟର ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍ କୁମାର ଲୋହାନୀ ପ୍ରକାଶ କରିଛନ୍ତି ।
ସଦ୍ୟ ସମାପ୍ତ ହୋଇଥିବା ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ୟ୍ୟକ୍ରମରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ତିନିଗୋଟି ଜିଲ୍ଲା ଯଥା- ସୁନ୍ଦରଗଡ, ରାୟଗଡା ଏବଂ କୋରାପୁଟ ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ, ୧୧ ଜଣ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଏବଂ ୦୬ ଜଣ ବୁଥ୍ ସ୍ତରୀୟ ଅଧିକାରୀଙ୍କୁ ଜାତୀୟ ମତଦାତା ଦିବସ ପାଳନ ଅବସରରେ ସମ୍ମାନୀତ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍ କୁମାର ଲୋହାନୀ ଜଣାଇଛନ୍ତି ।
ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲାର ଶ୍ରେଷ୍ଠ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କୁ ସମ୍ନାନୀତ କରାଯିବାକୁ ସ୍ଥିର କରାଯାଇଛି ।
ଏହି କାର୍ଯ୍ୟକ୍ରମକୁ ସାଧାରଣ ନାଗରିକମାନେ ଘରେ ବସି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଫେସବୁକ, ଟ୍ୟୁଟର ଓ ୟୁଟୁବ ଲିଙ୍କ ମାଧ୍ୟମରେ ମଧ୍ୟ ଦେଖିପାରିବେ ।