ଭୁବନେଶ୍ୱର : ଗଣତନ୍ତ୍ର ରାଷ୍ଟ୍ରରେ ନିର୍ବାଚନ ହେଉଛି ପରିବର୍ତନର ଏକ ସୁଯୋଗ, ଯାହାଦ୍ୱାରା ଦେଶରେ ବଡ଼ ପରିବର୍ତନ କରାଯାଇପାରିବ। ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ମଧ୍ୟ ଭୋଟଦାନ ପ୍ରମୁଖ ଅସ୍ତ୍ର। ବିନା ଟୋପାଏ ରକ୍ତ ଝରାଇ ଆମେ ଦେଶରେ ବଡ଼ ପରିବର୍ତନ ଆଣିପାରିବା ବୋଲି ରାଜ୍ୟପାଳ ଏସ୍.ସି. ଜମିର କହିଛନ୍ତି।
ଅଷ୍ଟମ ଜାତୀୟ ମତଦାତା ଦିବସ ପାଳନ ଅବସରରେ ଆଜି ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ରାଜ୍ୟପାଳ ମୁଖ୍ୟଅତିଥିଭାବେ ଯୋଗଦେଇ କହିଲେ ମତଦାନ ହେଉଛି ସମସ୍ତଙ୍କ ଅଧିକାର। ଏଥିସହ ଏହା ମଧ୍ୟ ଏକ ଦାୟିତ୍ୱ। ଭାରତୀୟ ଗଣତନ୍ତ୍ର ମତଦାନ ଉପରେ ପ୍ରତିଷ୍ଠିତ ହୋଇଥିବାରୁ ଯଦି ଲୋକେ ଭୋଟଦାନରୁ ବିରତ ରୁହନ୍ତି ଅଥବା ଠିକ୍ ଭାବେ ମତାଧିକାର ସାବ୍ୟସ୍ତ ନ କରନ୍ତି, ତାହା ଗଣତନ୍ତ୍ର ବ୍ୟବସ୍ଥାକୁ ପ୍ରଭାବିତ କରିବ। ଦେଶର ୫୦ ପ୍ରତିଶତ ଲୋକ ୩୫ ବର୍ଷ ତଳେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ୧୮ ବର୍ଷରେ ପଦାର୍ପଣ କରୁଛନ୍ତି। ସେମାନଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି। ଯଦି ଆମେ ଭବିଷ୍ୟତ କଥା ଚିନ୍ତା କରିବା ତେବେ ଭୋଟଦାନରେ ସାମିଲ ହେଇ ନିହାତି ମତାମତ ଦେବା। ଗତ ୬୭ ବର୍ଷରୁ ଅଧିକ ସମୟ ଧରି ନିର୍ବାଚନ କମିସନ ମୁକ୍ତ, ଅବାଧ ଓ ବିଶ୍ୱାସନୀୟ ଢଙ୍ଗରେ ନିର୍ବାଚନ ପରିଚାଳନା କରି ସାରା ବିଶ୍ୱରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି ବୋଲି ରାଜ୍ୟପାଳ କହିଥିଲେ।
ରାଜ୍ୟ ନିର୍ବାଚନ କମିସନର ରବିନାରାୟଣ ସେନାପତି ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଆମର ପ୍ରମୁଖ କାର୍ଯ୍ୟକ୍ରମ ମଧ୍ୟରୁ ମତଦାନ ଅନ୍ୟତମ। ସେଥିରେ ବ୍ୟାପକ ସଂସ୍କାର ଅଣାଯାଇଛି। ଅଧିକରୁ ଅଧିକ ଭୋଟର କିଭଳି ନିଜର ମତଦାନ ସାବ୍ୟସ୍ତ କରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି ବୋଲି ସେ ମତବ୍ୟକ୍ତ କରିଥିଲେ। ମୁଖ୍ୟ ନିର୍ବାଚନ ଅଧିକାରୀ ଡି.ଏନ୍. ଗୁପ୍ତା ସ୍ୱାଗତ ଭାଷଣ ଦେଇ କହିଲେ, ଏବେ ସୁଦ୍ଧା ରାଜ୍ୟର ଭୋଟରଙ୍କ ସଂଖ୍ୟା ୩.୦୯ କୋଟିରେ ପହଞ୍ଚିଛି। ସେମାନଙ୍କ ମଧ୍ୟରେ ୧.୬୦ କୋଟି ପୁରୁଷ ଓ ୧.୪୯ କୋଟି ମହିଳା ଭୋଟର ରହିଛନ୍ତି। ଗଣତନ୍ତ୍ର ଲାଗି ଭୋଟଦାନର ପ୍ରମୁଖ ଭୂମିକା ରହିଥିବାରୁ ପ୍ରତ୍ୟେକ ଭୋଟରଙ୍କ ମଧ୍ୟରେ ମତଦାନ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ନେଇ ସେ ସୂଚନା ଦେଇଥିଲେ।
ଏହି ଅବସରରେ ରାଜ୍ୟପାଳ ମତଦାତାଙ୍କ ସଂକଳ୍ପ ପାଠ କରାଇଥିଲେ। ନୂତନ ଭୋଟରଙ୍କୁ ଭୋଟ ପରିଚୟପତ୍ର ବଣ୍ଟନ କରାଯିବା ସହ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଜାତୀୟ ମତଦାତା ଦିବସ ଅବସରରେ ସକାଳ ୭ଟା ୩୦ରେ ମାଷ୍ଟରକ୍ୟାଣ୍ଟିନ୍ ଛକଠାରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ରବୀନ୍ଦ୍ରମଣ୍ଡପରେ ପହଞ୍ଚିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/govrner.jpg-f.jpg)