ଛତ୍ରପୁର: ଗଞ୍ଜାମ ଜିଲ୍ଲା ପୁଣିଥରେ ଜାତୀୟସ୍ତରରେ ଶ୍ରେଷ୍ଠ ଜିଲ୍ଲାର ମାନ୍ୟତା ପାଇଛି। ଜଳଉତ୍ସ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରାଳୟ, ନଦୀବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ ପକ୍ଷରୁ ‘ଚତୁର୍ଥ ଜାତୀୟ ଜଳ ପୁରସ୍କାର-୨୦୨୨’ ପାଇବାକୁ ‌ଯୋଗ୍ୟ ବିବେଚିତ ହୋଇଛି। ସମଗ୍ର ଦେଶରେ ଏକନମ୍ବର ସ୍ଥାନରେ ରହିଥିବା ଗଞ୍ଜାମ ଶ୍ରେଷ୍ଠ ଜିଲ୍ଲା ବର୍ଗରେ ପୁରସ୍କୃତ ହେବ ବୋଲି ମନ୍ତ୍ରାଳୟ ସଚିବ ପଙ୍କଜ କୁମାର ଏକ ପତ୍ର ମାଧ୍ୟମରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଅବଗତ କରାଇଛନ୍ତି।

Advertisment

ଚଳିତବର୍ଷ ଫେବ୍ରୁଆରିରେ ଜଳଶକ୍ତି ମନ୍ତ୍ରାଳୟ, ଜଳସମ୍ପଦ ବିଭାଗ, ନଦୀବିକାଶ ଏବଂ ଗଙ୍ଗା ନବୀକରଣ ବିଭାଗ ଦ୍ୱାରା ଗଠିତ ଏକ କମିଟି ଅନୁଧ୍ୟାନ କରିଥିଲା।। ଏହି କମିଟି ଜଳସେଚନ ସଂରକ୍ଷଣ ବୃଦ୍ଧି ପାଇଁ ଜଳସେଚନ ପ୍ରକଳ୍ପ ଗୁଡିକର ଉନ୍ନତୀକରଣ, ବୃହତ୍ ନାଳ ଏବଂ ନଦୀପଠାର ମରାମତି ଓ ପୁନରୁଦ୍ଧାର, ମୃତ୍ତିକା ସଂରକ୍ଷଣ ଏବଂ ଜଳସେଚନ ପରିଚାଳନା, ବୃକ୍ଷରୋପଣ, ଜଳଯୋଗାଣ, ବର୍ଜ୍ୟଜଳର ସଂରକ୍ଷଣ ଏବଂ ଶୁଦ୍ଧୀକରଣ, ଜଳବାୟୁ ସ୍ଥିରତା ପାଇଁ ଉଦ୍ଦିଷ୍ଟ ପଦକ୍ଷେପ ଏବଂ ଜଳଉତ୍ସ ସଂରକ୍ଷଣରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ନିଜସ୍ବ ପଦକ୍ଷେପ ଆଦିକୁ ବିଚାରକୁ ନେଇଥିଲେ। ଏହି ଆଧାରରେ ଗଞ୍ଜାମ ଜିଲ୍ଲା ଗଞ୍ଜାମ ଜିଲ୍ଲାକୁ ଜାତୀୟଜଳ ପୁରସ୍କାର ପାଇଁ ଶ୍ରେଷ୍ଠ ଜିଲ୍ଲା ବର୍ଗରେ ପ୍ରଥମ ସ୍ଥାନ ମିଳିଛି। ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ଓ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତିଭାସନ୍‌ଙ୍କ ପ୍ରଚେଷ୍ଟା ସମେତ ଜଳସମ୍ପଦ, ଜଳସେଚନ, ଜଙ୍ଗଲ, ଉଦ୍ୟାନ କୃଷି, କୃଷି, ଭୂତଳ ଜଳ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ମିଳିତ ଉଦ୍ୟମରେ ଏହା ସମ୍ଭବପର ହୋଇପାରିଥିବା ମତପ୍ରକାଶ ପାଇଛି। ପୁରସ୍କାର ପ୍ରଦାନ ନେଇ ତାରିଖ ଖୁବ୍‌ଶୀଘ୍ର ଘୋଷଣା ହେବ ‌ବୋଲି ଜଣାପଡ଼ିଛି।