ଭୁବନେଶ୍ବର: ଓଡ଼ିଶାର ଗୌରବମୟ ନୌବାଣିଜ୍ୟକୁ ନୂଆ ରୂପ ଦେବାକୁ ୧୫ ବର୍ଷ ପୂର୍ବରୁ ଯୋଜନା କରାଯାଇଛି। ଏପରିକି ଅନୁମୋଦିତ ହୋଇଥିବା ଜାତୀୟ ଜଳପଥ-୫ ପ୍ରକଳ୍ପ ନିର୍ମାଣ କାମ ଆରମ୍ଭ ହୋଇ ଅଟକି ଯାଇଛି। ଏହି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଓଡ଼ିଶା ଓ ପଶ୍ଚିମବଙ୍ଗର ଖଣିଜ ସମ୍ପଦ ପରିବହନ, ମତ୍ସ୍ୟ ସମ୍ପଦର ବିକାଶ ସହିତ ନୌବାଣିଜ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ ଏକ ସୁବର୍ଣ୍ଣଯୁଗ ସୃଷ୍ଟି କରିବାର ଲକ୍ଷ୍ୟ ରହିଥିଲା। ତେବେ ଏହି ମହତ ପ୍ରକଳ୍ପ ଶୀତଳ ଭଣ୍ଡାରରେ ପଡ଼ିଥିବା ବେଳେ ପ୍ରକଳ୍ପର ମୂଲ୍ୟ ୪୩୮୦ କୋଟି ଟଙ୍କାରୁ ବୃଦ୍ଧି ପାଇ ଏବେ ୧୨ ହଜାର କୋଟି ଟଙ୍କାରେ ପହଞ୍ଚିଲାଣି। ଗତବର୍ଷ ଏହି ପ୍ରକଳ୍ପର କାର୍ଯ୍ୟକାରିତା ନେଇ ସରକାର ସମୀକ୍ଷା କରିଥିଲେ ହେଁ ନିର୍ମାଣ କାମ ଆରମ୍ଭ ହୋଇପାରୁନାହିଁ।
ଗୌରବମୟ ନୌବାଣିଜ୍ୟ ଯୋଜନା ଶୀତଳଭଣ୍ଡାରରେ
ପ୍ରକାଶଥାଉକି, ଭୂଖଣ୍ଡକୁ ଜଳପଥରେ ପରିବହନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଦେଶରେ ୧୧୧ଟି ଜାତୀୟ ଜଳପଥ ଚିହ୍ନଟ କରାଯାଇଛି। ଜାତୀୟ ଜଳପଥ ଆଇନ୍-୨୦୧୬ ଅନୁଯାୟୀ ଦେଶର ଚିହ୍ନଟ ୧୧୧ଟି ଜଳପଥ ମଧ୍ୟରୁ ୧୦୬କୁ ଗ୍ରହଣ କରାଯାଇଛି। ସେଥିରୁ ୧,୨,୩ ,୪ ନମ୍ବର ଜାତୀୟ ଜଳପଥ ପ୍ରକଳ୍ପ ଜରିଆରେ ପରିବହନ ଆରମ୍ଭ ହୋଇଯାଇଛି। ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟରେ ୧ନମ୍ବର ଜାତୀୟ ଜଳପଥ ଦ୍ବାରା ଗଙ୍ଗା-ଭାଗିରଥୀ- ହୁଗୁଳି ନଦୀର ୧୬୨୦କିମି ଅନ୍ତର୍ଭୁକ୍ତ କରାଯାଇଛି। ସେହିପରି ୨ନମ୍ବର ଜାତୀୟ ଜଳପଥ ଆସାମର ବ୍ରହ୍ମପୁତ୍ର ନଦୀ ୮୯୧କିମି, ୩ନମ୍ବର ଜାତୀୟ ଜଳପଥରେ କେରଳର କୋଲ୍ଲମ-କୋଟ୍ଟାପୁରମ ଅନ୍ତର୍ଗତ କେନାଲଗୁଡ଼ିକର ୩୬୫କିମି ଓ ଆନ୍ଧ୍ରପ୍ରଦେଶର କାକିନାଡ଼ା-ପୁଡୁଚେରି ପର୍ଯ୍ୟନ୍ତ ୪ନମ୍ବର ଜାତୀୟ ଜଳପଥର ୧୦୯୫ କିମି ବିକାଶ ହୋଇଛି। ଅଥଚ ଓଡ଼ିଶାରେ ୫ନମ୍ବର ଜାତୀୟ ଜଳପଥ ପ୍ରକଳ୍ପକୁ ୨୦୧୦ରେ ସମଗ୍ର ପ୍ରକଳ୍ପ ରିପୋର୍ଟ (ଡିପିଆର୍) ଚୂଡ଼ାନ୍ତ ହୋଇଥିଲେ ମଧ୍ୟ ଖନନ ଆରମ୍ଭ ହୋଇ ଅଟକି ରହିଛି।
ଏହି ୫ ନମ୍ବର ଜାତୀୟ ଜଳପଥ ପ୍ରକଳ୍ପ ଦ୍ବାରା ପଶ୍ଚିମବଙ୍ଗ ଓ ଓଡ଼ିଶାର ୬୨୩ କିମି ଜଳପଥରେ ବିକାଶ କରିବାର ବ୍ୟବସ୍ଥା ରହିଛି। ୨୦୧୪-୧୫ରେ ଏହି ପ୍ରକଳ୍ପ ପାଇଁ ୪୩୮୦କୋଟି ଟଙ୍କାର ବ୍ୟୟ ଅଟକଳ ଅନୁମୋଦନ ଲାଭ କରିଥିଲା। ଏପରିକି ଯାଜପୁରଜିଲ୍ଲା ଅନ୍ତର୍ଗତ ବରୀ ବ୍ଲକ୍ର ତନ୍ତିଘାଇଠାରେ ନିର୍ମାଣ କାମ ଆରମ୍ଭ ହୋଇ ଠିକାଦାର ବିବାଦରୁ ଏହି ମହତ ପ୍ରକଳ୍ପ ଅଟକି ଯାଇଛି। ଏହା ମଧ୍ୟରେ ୧୦ ବର୍ଷ ବିତିଗଲାଣି। ଏହି ପ୍ରକଳ୍ପ ଦ୍ବାରା ଓଡ଼ିଶାର ତାଳଚେରରୁ ଧାମରା-ପାରାଦୀପ ବନ୍ଦରକୁ ଜଳପଥ ଯୋଗାଯୋଗ କରିବା କ୍ଷେତ୍ରରେ ବ୍ରାହ୍ମଣୀ, ଖରସ୍ରୋତା, ତନ୍ତିଘାଇ, ପଣ୍ଡୁଆନାଳ, ଦୁଧେଇନାଳ, କାଣୀ ନଦୀଗୁଡ଼ିକ ସଂଯୋଗୀକରଣ କରିବା ସହିତ ମହାନଦୀ ତ୍ରିକୋଣ ଭୂମିର ବିକାଶର ଲକ୍ଷ୍ୟ ରହିଛି। ଏହି ଜଳପଥ ପ୍ରକଳ୍ପରେ ତାଳଚେରରୁ କୋଇଲା, ଯାଜପୁରରୁ ଲୁହାପଥର ଓ ଇସ୍ପାତ ରାଜଧାନୀର ଶିଳ୍ପାନୁଷ୍ଠାନର ଉତ୍ପାଦନ ସାମଗ୍ରୀ ପରିବହନରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ପ୍ରସ୍ତାବ ରହିଛି। ଜଳପଥ ବିକାଶ ହୋଇପାରିଲେ ରାଜ୍ୟରେ ବୃଦ୍ଧି ପାଉଥିବା ସଡ଼କପଥ ଟ୍ରାଫିକ ସମସ୍ୟା, ଦୁର୍ଘଟଣା ନିୟନ୍ତ୍ରଣ, ପ୍ରଦୂଷଣ ଓ ପରିବହନ ବ୍ୟୟ ହ୍ରାସ ଘଟିବ। ନଦୀନାଳ ସଂଯୋଗୀକରଣ ଦ୍ବାରା ବନ୍ୟା ନିୟନ୍ତ୍ରଣ ସହିତ ମତ୍ସ୍ୟ ସମ୍ପଦ ବୃଦ୍ଧି ଓ ପର୍ଯ୍ୟଟନର ମଧ୍ୟ ବିକାଶ ହୋଇପାରିବ ବୋଲି ବିଶେଷଜ୍ଞ ମହଲରେ ମତପ୍ରକାଶ ପାଇଛି।