କଂଟାବାଞ୍ଜି : ଦୁସ୍ଥ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ଯୋଗାଇଦେବା ଜରୁରି। ଖାଦ୍ୟ, ସ୍ୱାସ୍ଥ୍ୟ, ଶିକ୍ଷା ଅଧିକାର ସହ ସେମାନେ ହରାଇ ବସିଥିବା ଭୋଟଦାନର ଅଧିକାର ମଧ୍ୟ ସେମାନେ ସାବ୍ୟସ୍ତ କରିବା ଆବଶ୍ୟକ। କଂଟାବାଞ୍ଜିସ୍ଥିତ କେ.ଭି. ମହାବିଦ୍ୟାଳୟଠାରେ ଆଇକ୍ୟୁଏସି ଓ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ‘ଦୁସ୍ଥ ଦାଦନ ଶ୍ରମିକ ସମସ୍ୟା ଓ ଗଣତାନ୍ତ୍ରିକ ଉପାୟରେ ସମାଧାନର ରାସ୍ତା ଶୀର୍ଷକ ଜାତୀୟ ୱେବିନାରରେ ଉଦ୍‌ଘାଟକ ଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମତ ପୋଷଣ କରିଛନ୍ତି ‘ସମ୍ବାଦର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଜାତୀୟ ୱେବିନାରରେ ରାଜସ୍ଥାନ ଉଦୟପୁରସ୍ଥିତ ଆଜୀବିକା ବ୍ୟୁରୋ ସଂସ୍ଥାର ମୁଖ୍ୟ ରାଜୀବ ଖଣ୍ଡେଲୱାଲ (ଅମିତାଭ ବଚ୍ଚନଙ୍କ ଦ୍ୱାରା ପରିଚାଳିତ କୌନ ବନେଗା କରୋଡ଼ପତିର କର୍ମବୀର ଶୃଙ୍ଖଳାରେ ଆମନ୍ତ୍ରିତ) ଓ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ପବ୍ଲିକ ଆଡମିନିଷ୍ଟ୍ରେସନର ଅଧ୍ୟାପକ ଡ. ସୁଜିତ ପୃଷେଠ ଅତିଥି ଆଲୋଚକ ଭାବେ ଯୋଗ ଦେଇଥିଲେ।

Advertisment

publive-imageମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ଦୁସ୍ଥ ଦାଦନ ଶ୍ରମିକମାନଙ୍କ ସ୍ଥିତି ଉପରେ ଆଲୋଚନା କରି ସେମାନେ ରାଜନୈତିକ ପ୍ରକ୍ରିୟାର ଏକ ପ୍ରମୁଖ ଅଙ୍ଗ ହୋଇଥିଲେ ହେଁ ବିଭିନ୍ନ କାରଣରୁ ସେମାନଙ୍କ ସମସ୍ୟା ସବୁ ଅସାମାହିତ ହୋଇ ରହିଯାଉଛି ବୋଲି ମତ ଦେଇଥିଲେ। ସେମାନେ ଅନେକ ସ୍ଥଳରେ ହଇରାଣ ଓ ନିର୍ଯାତନାର ଶିକାର ହେଉଛନ୍ତି। ଭୋଟ ସମୟରେ ପ୍ରବାସରେ ରହୁଥିବାରୁ ସେମାନେ ଭୋଟଦାନରୁ ମଧ୍ୟ ବଂଚିତ ହେଉଛନ୍ତି। ଏହା ଏକ ବଡ଼ ସମସ୍ୟା। ସେମାନେ କିପରି ଭୋଟଦାନରେ ଭାଗ ନେଇପାରିବେ ସେ ଦିଗରେ ଉଦ୍ୟମ ପାଇଁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ। ଦାଦନ ଶ୍ରମିକମାନଙ୍କୁ ସମାଜ ଓ ରାଷ୍ଟ୍ରର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ସେମାନଙ୍କର ସମସ୍ତ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ ପାଇଁ ରାସ୍ତା ପ୍ରଶସ୍ତ କରିବାର କାର୍ଯ୍ୟ ଅନ୍ତ୍ୟନ୍ତ ଜରୁରି ଏବଂ ତାହା ନୀତି ନିର୍ମାଣକାରୀଙ୍କ ସହ ନୀତି ପ୍ରଚଳନକାରୀ ଓ ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ମତ ଦେଇଥିଲେ। ଏଥିସହ କଂଟାବାଞ୍ଜି ମହାବିଦ୍ୟାଳୟରେ ଉକ୍ତ ସମସ୍ୟାକୁ ନେଇ ଜାତୀୟ ୱେବିନାର କରାଯାଇଥିବାରୁ ସେ କଲେଜ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଦେଇଥିଲେ।

publive-image

ଅତିଥି ଆଲୋଚକ ଶ୍ରୀ ଖଣ୍ଡେଲୱାଲ ଦାଦନ ଶ୍ରମିକମାନଙ୍କର ସୁରକ୍ଷା ପାଇଁ ଅଧିକ ସଂଖ୍ୟକ ଦାଦନ ଯାଉଥିବା ଅଂଚଳ ବା କ୍ଷେତ୍ରଗୁଡ଼ିକରେ ଦାଦନ ଯାଉଥିବା ରାଜ୍ୟ ତରଫରୁ ରେସିଡେଣ୍ଟ କମିସନର ଅଫିସ ଖୋଲିବାର ପ୍ରସ୍ତାବ ଦେଇଥିଲେ।

ଅତିଥି ଆଲୋଚକ ଡ. ପୃଷେଠ କାର୍ଯ୍ୟସ୍ଥଳରେ ମହିଳାମାନଙ୍କ ପ୍ରତି ହେଉଥିବା ନିର୍ଯାତନା ଏବଂ ଅଧାରୁ ପାଠ ଛାଡୁଥିବା ଶିଶୁ ଶ୍ରମିକମାନଙ୍କର ଶିକ୍ଷା ଓ ଶୈଶବର ସୁରକ୍ଷା ପାଇଁ ନୀତି ନିର୍ଧାରଣ ଓ ତାର ପ୍ରକୃତ କାର୍ଯ୍ୟକାରିତା ଉପରେ ଜୋର ଦେଇଥିଲେ। କେ.ଭି. ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରତାପ ବଲ୍ଲଭ ପାଣିଗ୍ରାହୀ ଉକ୍ତ ୱେବିନାର ପରିଚାଳନା କରିଥିଲେ। ଅଧ୍ୟାପକ ନୀଳାମ୍ବର ସାରକା ଧନ୍ୟବାଦ ଦେଇଥିଲେ। ଆଇକ୍ୟୁଏସି ସଂଯୋଜକ ଡ. ସଂଜୟ ମିଶ୍ର, ଇଂରାଜୀ ପ୍ରାଧ୍ୟାପକ ଲୋହିତାକ୍ଷ ଯୋଷୀ, ଅର୍ଥନୀତି ପ୍ରାଧ୍ୟାପକ ଦେବେନ୍ଦ୍ରନାଥ ମେହେର, ଅଧ୍ୟାପକ କରୁଣାକର ନାଏକ ପ୍ରମୁଖ ସହଯୋଗ କରିଥିଲେ। ୱେବିନାରରେ ଓଡ଼ିଶା, ମହାରାଷ୍ଟ, ରାଜସ୍ଥାନ, ଦିଲ୍ଲୀ, ଉତ୍ତରପ୍ରଦେଶ ଆଦି ଅଂଚଳର ଅନେକ ଗବେଷକ, ଛାତ୍ର ଓ ଅଧ୍ୟାପକ ଯୋଗ ଦେଇଥିଲେ।