ବାରିପଦା : ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ “ଆଗାମୀ ଦିନରେ ଜୈବ ବିବିଧତା ସଂରକ୍ଷଣର ଆହ୍ୱାନ’’ ଶୀର୍ଷକ ଏକ ଜାତୀୟ ସ୍ତରର ୱେବିନାର ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉଦ୍ଭିଦ ବିଜ୍ଞାନ ବିଭାଗର ପ୍ରଫେସର ଉମା ବଲ୍ଲଭ ମହାପାତ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉପଲକ୍ଷେ ବିଭାଗ ପକ୍ଷରୁ ଆୟୋଜିତ ଏହି  ୱେବିନାରକୁ କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଜୈବ ବିବିଧତାର ବୈଶିଷ୍ଟ୍ୟ ସମ୍ବନ୍ଧରେ ଆଲୋକପାତ କରିବା ସହିତ, ଆଗାମୀ ଦିନମାନଙ୍କରେ ଏକ ସୁସ୍ଥ ପରିବେଶ ସୁରକ୍ଷା ପରିପ୍ରେକ୍ଷୀରେ ଜୈବ ବିବିଧତା ସଂରକ୍ଷଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ତଥା ବିଭାଗୀୟ ମୁଖ୍ୟ ପ୍ରଫେସର ଅନୀଲ କୁମାର ବିଶ୍ୱାଳ ଏହି ୱେବିନାରରେ ସଭାପତିତ୍ୱ କରିଥିଲେ।

Advertisment

ଏହି ୱେବିନାର୍‌ରେ ରେଭେନ୍ସା ବିଶ୍ୱବିଦ୍ୟାଳୟ, କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ବାଲେଶ୍ୱରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟ, ଭୁବନେଶ୍ଵରର ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ, ଗୁଜରାଟ ବିଶ୍ୱବିଦ୍ୟାଳୟ, ମହାରାଷ୍ଟ୍ରର ଶିବାଜୀ ବିଶ୍ୱବିଦ୍ୟାଳୟ, ଭୁବନେଶ୍ଵରସ୍ଥିତ ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ ଅଧୀନସ୍ଥ ଆଞ୍ଚଳିକ ଶିକ୍ଷାନୁଷ୍ଠାନ ଏବଂ ଭାରତ ସରକାରଙ୍କ ବିଜ୍ଞାନ ଓ ଶିଳ୍ପଭିତ୍ତିକ ଗବେଷଣା ପରିଷଦ (ସି.ଏସ୍.ଆଇ.ଆର୍) ଅଧୀନସ୍ଥ ଖଣିଜ ଓ ବସ୍ତୁ ସଂସ୍ଥାନ ତଥା ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟର ପ୍ରଫେସର, ପ୍ରାଧ୍ୟାପକ, ଅଧ୍ୟାପକ, ବୈଜ୍ଞାନିକ, ଗବେଷକ, ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

ୱେବିନାରରେ ଶିବାଜୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଏସ୍. ଆର୍ ଯାଦବ “ଶିକ୍ଷାନୁଷ୍ଠାନ ମାନଙ୍କରେ ଜୈବବିବିଧତା ସଂରକ୍ଷଣର ଭୂମିକା’’, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପ୍ରଫେସର ଉମା ବଲ୍ଲଭ ମହାପାତ୍ର “ଜୈବବିବିଧତା ଓ ଜୈବ ପ୍ରଯୁକ୍ତି ପ୍ରୟୋଗ’’,  କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଫେସର ଶରତ କୁମାର ପଲିତା “ଜୈବବିବିଧତା ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ”; ସି.ଏସ୍.ଆଇ.ଆର୍.ଆଇ.ଏମ୍.ଏମ୍.ଟି ର  ମୁଖ୍ୟ ବୈଜ୍ଞାନିକ ଡ. ନବୀନ କୁମାର ଧଳ “ପୂର୍ବଘାଟ ପର୍ବତମାଳାର ଜୈବବିବିଧତା ଓ ନିରବିଚ୍ଛିନ୍ନ ଉନ୍ନତି” ସମ୍ବନ୍ଧରେ ସବିଶେଷ ଆଲୋଚନା କରିଥିଲେ । ୱେବିନାରର ସଂପାଦକ ସୁଦାମ ଚରଣ ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।