ଭୁବନେଶ୍ବର : ରାଜ୍ୟର ଖାଉଟିମାନଙ୍କ ସ୍ବାର୍ଥକୁ ସରକାର ପ୍ରାଥମିକତା ଦେଇଛନ୍ତି। ଏବେ ଡିଜିଟାଲ୍ ଓ ଅନ୍ଲାଇନର ବ୍ୟାପକ ଉପଯୋଗ ଦ୍ବାରା ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଆସିବା ସହ ଖାଉଟିମାନଙ୍କ ପାଇଁ ନୂତନ ପ୍ରକାର ସମସ୍ୟା ସୃଷ୍ଟି ହୋଇଛି। ଏହି ସମସ୍ୟାର ନିରାକରଣ ପାଇଁ ଖାଉଟି ସୁରକ୍ଷା ଆଇନ ୨୦୧୯ରେ ବ୍ୟବସ୍ଥା କରାଯାଇଛି। ଆଜି ଏ ନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ସହଯୋଗରେ ଏକ ଜାତୀୟ ସ୍ତରର ଓ୍ବେବିନାର୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି, ଖାଉଟିମାନଙ୍କୁ ସଚେତନ କରି ସଶକ୍ତିକରଣ କରିବା ଦିଗରେ ଉଦ୍ୟମ କରାଯାଉଛି। ଏଥିପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏବେ ଡଜିଟାଲ କିଣାବିକା ବୃଦ୍ଧି ପାଇଥିବାରୁ କିପରି ଉପଭୋକ୍ତାମାନଙ୍କ ସ୍ବାର୍ଥକୁ ସୁରକ୍ଷା ଦିଆଯାଇପାରିବ, ସେ ନେଇ ନାଗରିକମାନେ ଆଇନର ବ୍ୟବସ୍ଥା ସମ୍ପର୍କରେ ଅବଗତ ହେବା ଦରକାର। ଆଲୋଚନାରେ ରାଜ୍ୟ ସରକାରଙ୍କ ‘ମୋ ସରକାର’ ଓ ୫‘ଟି’ ବ୍ୟବସ୍ଥାକୁ ପ୍ରଶଂସା କରାଯାଇଛି।
ୱେବିନାର୍ରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଞ୍ଜୀବ କୁମାର ପାଣିଗ୍ରାହୀ ସାମିଲ ହୋଇ ନକଲି ଖାଦ୍ୟଦ୍ରବ୍ୟ ଉତ୍ପାଦନ ଓ ବିକ୍ରିକୁ ଦୃଢ଼ ହସ୍ତରେ ଦମନ କରିବା ପାଇଁ ପରାମର୍ଶ ଦେଇଥିଲେ। ଖାଉଟି ବିବାଦ ସମାଧାନ ମଞ୍ଚ ଦକ୍ଷ ଲୋକଙ୍କ ଦ୍ବାରା ପରିଚାଳିତ ହେବା ଉଚିତ୍। ଏଥିସହିତ ଜିଲ୍ଲା ସ୍ତରରେ ମଧ୍ୟସ୍ଥତା କେନ୍ଦ୍ର ଖୋଲାଯିବା ଉପରେ ସେ ମତ ଦେଇଥିଲେ। ଓଡ଼ିଶା ରାଜ୍ୟ ଖାଉଟି ବିବାଦ ସମାଧାନ କମିସନ ସଭାପତି ବିଚାରପତି ଜଷ୍ଟିସ ଡ.ଡି.ପି ଚୌଧୁରୀ ଖାଉଟି ଅଧିକାର ଇତିହାସ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ତର୍ଜାତୀୟ ଖାଉଟି ନୀତି ବିଶାରଦ ପ୍ରଫେସର ବେଜନ ମିଶ୍ର କହିଥିଲେ, ଓଡ଼ିଶା ସରକାରଙ୍କ ‘ମୋ ସରକାର’ ଓ ୫‘ଟି’ ଏ ଦିଗରେ ଏକ ଉଚିତ ପଦକ୍ଷେପ। ଏହାକୁ ନେଇ ଓଡ଼ିଶାକୁ ଏକ ମଡେଲ ରାଜ୍ୟରେ ପରିଣତ କରାଯାଇପାରିବ। ଜାତୀୟ ଆଇନ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଯୋଗେଶ ପ୍ରତାପ ସିଂ ମତ ରଖି କହିଥିଲେ, ନୂତନ ଖାଉଟି ସୁରକ୍ଷା ଆଇନ-୨୦୧୯ରେ ଖାଉଟିଙ୍କ ସ୍ବାର୍ଥ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ରହିବା ସହ ଖାଉଟି ବିବାଦ ସମାଧାନ ମଞ୍ଚକୁ ଅଧିକ କ୍ଷମତା ମିଳିଛି।