ମନ୍ତ୍ରୀଙ୍କ ବହିଷ୍କାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଜାତୀୟ ମହିଳା କମିସନ

କମିସନ ପକ୍ଷପାତିତା ଢଙ୍ଗରେ କାର୍ଯ୍ୟ କରୁଛନ୍ତି: ବିଜେଡି

ନୂଆଦିଲ୍ଲୀ/ଭୁବନେଶ୍ବର : ମମିତା ହତ୍ୟା ମାମଲାରେ ବିଭିନ୍ନ ଗଣମାଧ୍ୟମ ରିପୋର୍ଟକୁ ଭିତ୍ତିକରି ଜାତୀୟ ମହିଳା କମିସନ୍‌ ନିଜ ଆଡ଼ୁ ମାମଲାରେ ହସ୍ତକ୍ଷେପ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଘଟଣାରେ ସଂପୃକ୍ତ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାକୁ ଦାବି କରିଛନ୍ତି।

କମିସନ କହିଛନ୍ତି ଯେ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ସ୍କୁଲର ନିଖୋଜ ଶିକ୍ଷୟିତ୍ରୀ ମମିତାଙ୍କୁ ବଳାତ୍କାର ଓ ହତ୍ୟା କରାଯାଇ ବିଦ୍ୟାଳୟର ନିର୍ମାଣାଧୀନ ‌ଷ୍ଟାଡିୟମ୍‌ରେ ପୋତି ଦିଆଯାଇଥିଲା। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ପୋଲିସ ହେପାଜତରୁ ଫେରାର ହୋଇଯାଇଥିଲେ। ଅଭିଯୋଗ ହୋଇଥିଲା ଯେ ମୁଖ୍ୟ ଅଭିଯୁକ୍ତ ଫେରାର ହେବା ପଛରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ହାତ ରହିଛି। ଅଭିଯୋଗ ଅନୁସାରେ ମନ୍ତ୍ରୀ ଶ୍ରୀ ମିଶ୍ର ବାରମ୍ବାର ବିଦ୍ୟାଳୟକୁ ଯିବା ସହିତ ସେଠାରେ ରାତ୍ରି ଯାପନ କରୁଥିଲେ। ଆଉ ଜଣେ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଅନେକ ସମୟରେ ଉକ୍ତ ସ୍କୁଲକୁ ଯାଉଥିବାର ଅଭିଯୋଗ ରହିଛି। ଏଭଳି ଘଟଣାକୁ ନିନ୍ଦା କରି କମିସନ ଅଧ୍ୟକ୍ଷା ରେଖା ଶର୍ମା କହିଛନ୍ତି ଯେ ରାଜ୍ୟର ମନ୍ତ୍ରୀମାନେ ମହିଳା ନିର୍ଯାତନା ମାମଲାରେ ସଂପୃକ୍ତି ସହ ପୋଲିସ ତଦନ୍ତ ପ୍ରକ୍ରିୟାକୁ ବାଟବଣା କରୁଛନ୍ତି। ମୁଖ୍ୟମନ୍ତ୍ରୀ ଏହି ମାମଲ‌ାରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ କମିସନ ପକ୍ଷରୁ ଅନୁରୋଧ କରାଯିବା ସହିତ ପୋଲିସ ଦ୍ବାରା ନିରପେକ୍ଷ ତଦନ୍ତ ପାଇଁ ଅଭିଯୁକ୍ତ ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରିବାକୁ କହିଛନ୍ତି। ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଏହି ମାମଲାର ତଦନ୍ତରେ ନିରପେକ୍ଷତାକୁ ସୁନିଶ୍ଚିତ କରିବା ପାଇଁ କମିସନ ନିର୍ଦ୍ଦେଶ ଦେଇଛନ୍ତି। ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ମମିତାଙ୍କ ପରିବାରକୁ ଆବଶ୍ୟକ ସୁରକ୍ଷା ଦେବା ପାଇଁ ବି କହିଛନ୍ତି। ଏକ ନିର୍ଦ୍ଦିଷ୍ଟ ସମୟ ଅବଧିରେ ଏହି ମାମଲ‌ାରେ ତଦନ୍ତ ଶେଷ କରି କାର୍ଯ୍ୟାନୁଷ୍ଠାନ ସଂପର୍କରେ ତୁରନ୍ତ ଅବଗତ କରିବା ପାଇଁ କମିସନ ନିର୍ଦ୍ଦେଶ ଦେଇଛନ୍ତି।

ଏହାର ଜବାବ୍ ଦେଇ ବିଜେଡି ମୁଖପାତ୍ର ସୁଲତା ଦେଓ ଟୁଇଟ୍ କରି କହିଛନ୍ତି ଯେ ଜାତୀୟ ମହିଳା କମିସନ ପରିହାସର ପାତ୍ର ହେବା ସହ ପକ୍ଷପାତିତା ଢଙ୍ଗରେ କାର୍ଯ୍ୟ କରୁଛନ୍ତି। କହିଛନ୍ତି ଯେ ତଦନ୍ତ ଶେଷ ହେବା ତୁମେ ନିଷ୍କର୍ସରେ ପହଞ୍ଚିଯାଇଛ। ମହିଳାଙ୍କ ଉପରେ ଅଧିକ ଅପରାଧ ହେଉଥିବା ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ଆସାମରେ କେତେଜଣ ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ଆପଣ ଦାବି କରିଛନ୍ତି? ଦୟାକରି ଏକ ରାଜନୈତିକ ଦଳ ଭଳି ନହୋଇ ଜାତୀୟ କମିସନ ଭଳି ଆଚରଣ ପ୍ରଦର୍ଶନ କରନ୍ତୁ। ଆପଣ ଜାତୀୟ ମହିଳା କମିସନଙ୍କୁ ଏକ ‌ପରିହାସର ପାତ୍ର କରିଦେଇଛନ୍ତି।

ସମ୍ବନ୍ଧିତ ଖବର