ଭୁବନେଶ୍ବର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ‘ଜାତୀୟ ମହିଳାଙ୍କ ବାଣିଜ୍ୟ ମେଳା ୨.୦’ ଆରମ୍ଭ ହୋଇଛି। ଆଇସିସି ଜାତୀୟ ମହିଳା ଉଦ୍ୟୋଗୀ ପରିଷଦ (ଆଇଏନ୍ଡବ୍ଲ୍ୟୁଇସି) ପକ୍ଷରୁ ଏମ୍ଏସ୍ଏମ୍ଇ ଡିଏଫ୍ଓ କଟକଙ୍କ ସହଯୋଗରେ ଆୟୋଜିତ ବିଶାଳ ମେଳାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବା ସହ ଏହାକୁ ନାରୀ ଶକ୍ତିର ମହୋତ୍ସବ ଭାବେ ଅଭିହିତ କରିଛନ୍ତି। କାର୍ଯ୍ୟକ୍ରମର ଉଦ୍ଘାଟନୀ ସମାରୋହକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ, ଆମ ସରକାର ପାଇଁ ନାରୀ ସଶକ୍ତୀକରଣ ଏକ ନାରା ନୁହେଁ, ଏହା ହେଉଛି ଏକ ଆନ୍ଦୋଳନ ଓ ସଂକଳ୍ପ। ଓଡ଼ିଶା ଅର୍ଥନୀତିକୁ ୨୦୩୬ ସୁଦ୍ଧା ୫୦୦ ବିଲିଅନ୍ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ୍ ଡଲାରରେ ପରିଣତ କରିବା ଲାଗି ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, ତାହା ହାସଲ କରିବାକୁ ହେଲେ ମହିଳାଙ୍କ ଯୋଗଦାନ ବଢ଼ାଇବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ମହିଳାଙ୍କ ପ୍ରତି ସରକାରଙ୍କ ରହିଥିବା ପ୍ରତିବଦ୍ଧତାକୁ ଦର୍ଶାଇବା ଲାଗି ସେ କହିଥିଲେ ଯେ ୨୦୨୫-୨୬ରେ ମହିଳା ବଜେଟ୍ ପାଇଁ ୮୯,୮୬୧ କୋଟି ଟଙ୍କା ଆବଣ୍ଟନ କରାଯାଇଛି ଯାହା ପୂର୍ବ ସରକାରଙ୍କ ଅମଳରେ ପ୍ରସ୍ତୁତ ୨୦୨୩-୨୪ର ମହିଳା ବଜେଟ୍ ତୁଳନାରେ ୩୧,୨୫୧ କୋଟି ଟଙ୍କା ଅଧିକ। ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ଯେଭଳି ରାଜ୍ୟର ମହିଳାମାନେ ଆଗରେ ରହିପାରିବେ, ସେଥିପାଇଁ ସରକାର ପ୍ରତିବଦ୍ଧ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ମହିଳା ଉଦ୍ୟୋଗୀଙ୍କ ଅବଦାନ ଉପରେ ଆଲୋକପାତ କରି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଥିଲେ ଯେ ସେମାନେ କେବଳ ବ୍ୟବସାୟ କରୁନାହାନ୍ତି, ବରଂ ନିଯୁକ୍ତି ମଧ୍ୟ ସୃଷ୍ଟି କରୁଛନ୍ତି। ବିକଶିତ ଓଡ଼ିଶା ଗଠନ ଲାଗି ଯେଉଁ ଲକ୍ଷ୍ୟ ରହିଛି, ତାହା ହାସଲ କରିବା ପାଇଁ ରାଜ୍ୟର ମହିଳାମାନଙ୍କୁ ସ୍ବାବଲମ୍ବୀ, ସ୍ବାଧୀନ ଓ ସଶକ୍ତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
ଭୁବନେଶ୍ବରରେ ହେବ ମହିଳା ଉଦ୍ୟୋଗୀ ପାର୍କ
ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି ଯେ ପାରମ୍ପରିକ ବ୍ୟବସାୟ ତୁଳନାରେ ମହିଳା ଉଦ୍ୟୋଗୀମାନେ କିଭଳି ସୂଚନା ପ୍ରଯୁକ୍ତି, ପର୍ଯ୍ୟଟନ, ଇଲେକ୍ଟ୍ରୋନିକ୍ସ ଆଦି କ୍ଷେତ୍ରରେ ଆଗରେ ରହିପାରିବେ, ସେଥିପାଇଁ ଉଦ୍ୟମ କରାଯାଉଛି। ଭୁବନେଶ୍ବର ନିକଟରେ ଥିବା ଏମ୍ଏସ୍ଏମ୍ଇ ପାର୍କ ନିକଟରେ ଏକ ମହିଳା ଉଦ୍ୟୋଗୀ ପାର୍କ ବିକାଶ କରାଯିବ ବୋଲି ସେ କହିଛନ୍ତି। ମହିଳା ଉଦ୍ୟୋଗୀମାନଙ୍କୁ ସବୁ ପ୍ରକାର ସହଯୋଗ ପ୍ରଦାନ କରିବା ଲାଗି ଆଇସିସିର ମହାନିର୍ଦ୍ଦେଶକ ଡ. ରାଜୀବ ସିଂହ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମର ଅନ୍ୟ ଅତିଥି ଭାବେ ଏମ୍ଏସ୍ଏମ୍ଇ ଡିଏଫ୍ଓ କଟକର ନିର୍ଦ୍ଦେଶକ ପି କେ ଗୁପ୍ତା, ଆଇସିସି ଓଡ଼ିଶାର ଅଧ୍ୟକ୍ଷ ରାଜୀବ ସାହୁ, ବରିଷ୍ଠ ଉପାଧ୍ୟକ୍ଷ ଧର୍ମାଦିତ୍ୟ ପଟ୍ଟନାୟକ, ଆଇଏନ୍ଡବ୍ଲ୍ୟୁଇସିର ଆବାହକ ପ୍ରୀତି ପଲ୍ଲବୀ ପଟ୍ଟନାୟକ, ସହ-ଆବାହକ ସ୍ୱାତୀ କେଜରିୱାଲ୍, ସହ-ଆବାହକ ସୁମା ଦେବୀ ଦାଶ ଓ ଆଇସିସିର ଆଞ୍ଚଳିକ ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ପାଲ ଉପସ୍ଥିତ ଥିଲେ।
ଜାତୀୟ ମହିଳାଙ୍କ ବାଣିଜ୍ୟ ମେଳା ୨.୦ ମେ ୪ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ଚାଲିବ। ଏଥିରେ ୨୬୦ରୁ ଅଧିକ ଷ୍ଟଲ୍ ସ୍ଥାପନ କରାଯାଇଛି। ଆଦିବାସୀ ମହିଳା ଉଦ୍ୟୋଗୀ, ସ୍ବୟଂ ସହାୟକ ଗୋଷ୍ଠୀ, ଗ୍ରାମୀଣ ମହିଳା ଉଦ୍ୟୋଗୀମାନଙ୍କୁ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରିବାର ସୁଯୋଗ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ହେଉଛି ସେଲିବ୍ରିଟି ଓ ଆଇକନ୍ମାନଙ୍କ ଆଗମନ। ଏହି ମେଳାରେ ବଲିଉଡ୍ ତାରକା ସୁସ୍ମିତା ସେନ୍, ଜାୟେଦ୍ ଖାନ୍, ପ୍ରହଲ୍ଲାଦ କକର ଆଦି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ ବିଭିନ୍ନ ବିଷୟ ଉପରେ ପ୍ରତିଦିନ ସ୍ବତନ୍ତ୍ର ଅଧିବେଶନ ମଧ୍ୟ ଆୟୋଜନ କରାଯିବ। କାର୍ଯ୍ୟକ୍ରମରେ ଏକ ସ୍ବତନ୍ତ୍ର ଫୁଡ୍ କୋର୍ଟର ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ପରିଦର୍ଶକମାନଙ୍କ ଲାଗି ସୁସ୍ବାଦୁ ଭୋଜନ ରହିଛି। ମେଳାକୁ ଛୋଟ ପିଲାମାନଙ୍କ ପାଇଁ ଅନୁକୂଳ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/05/01/K53wd3rWvmRFs6vAg7ic.jpg)