ଜୟପୁର: ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଅହିଁସା ଓ ଜୀବନୀ ଏବେ ବିଶ୍ବକୁ ମାର୍ଗଦର୍ଶନ ଦେଉଛି ବୋଲି କହିଛନ୍ତି ଶିକ୍ଷାବିତ୍ ଓ ରାଜନିତୀ ବିଜ୍ଞାନୀ ଅଭିରାମ ବିଶ୍ବାଳ।  ସ୍ଥାନୀୟ ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗରେ ଅନୁଷ୍ଠିତ  ‘ଭାରତୀୟ ଦର୍ଶନଶାସ୍ତ୍ର ଓ ସଂସ୍କୃତି’ କୁ ନେଇ ଜାତୀୟସ୍ତରୀୟ କର୍ମଶାଳାର ଉଦଘାଟନୀ ଦିବସରେ ଶ୍ରୀ ବିଶ୍ବାଳ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଗାନ୍ଧୀ ତାଙ୍କ ସମୟରେ ୨ଟି ବିଶ୍ବଯୁଦ୍ଧ  ସହ ମହାମାରୀ ପ୍ଲେଗ୍ ରୋଗର ସମ୍ମୁଖୀନ ହୋଇଥିଲେ। ସେହି ସମୟରେ ପରିମଳ, ପରିଚ୍ଛନ୍ନତା, ସଫା ସୁତରା ରହିବାକୁ ସେ ଦେଇଥିବା ପରାମର୍ଶ କରୋନା ମହାମାରୀ ବ୍ୟାପିବା ସମୟରେ ବି ଲାଗୁ ହୋଇଛି। ତାଙ୍କ ଜୀବନକାଳରେ ବହୁ ସ୍ବାଧୀନତା ସଂଗ୍ରାମୀ ‌ଥିଲେ। ସମସ୍ତଙ୍କ ସହ ତାଙ୍କ ମତଭେଦ ଥିଲା, କିନ୍ତୁ ସେମାନଙ୍କ ମଧ୍ୟରେ ରହିଥିବା ଅନ୍ତର୍ନିହିତ ଭଲଗୁଣକୁ ‌ସେ ବିଭିନ୍ନ ସ୍ତରରେ ପ୍ରଶାଂସା କରୁଥିଲେ। ତାଙ୍କ ଦ୍ବାରା କରାଯାଇଥିବା ଅହିଁସା ଗଣ ଆନ୍ଦୋଳନ ଆଜି ବି ବିଶ୍ବର ସବୁଠାରୁ ବଡ଼ ଆନ୍ଦୋଳନ ।

Advertisment

ଦିନକୁ ଦିନ ବିଶ୍ବରେ ଗାନ୍ଧୀଙ୍କ ଦର୍ଶନ ଏବଂ ମାର୍ଗଦର୍ଶନକୁ ଅନେକ ରାଷ୍ଟ୍ର କାର୍ଯ୍ୟକାରୀ କରିବା ସହ ଲୋକେ ବି ଆପଣାଉଛନ୍ତି। ତେବେ ତାଙ୍କୁ କେଉଁ ପରିସ୍ଥିତିରେ ଓ କାହିଁକି ହତ୍ୟା କରାଗଲା ତାହା ଅନ୍ୟ ଏକ ପ୍ରସଙ୍ଗ। ତେବେ ତାଙ୍କ ମୃତ୍ୟୁ ଗାନ୍ଧୀଙ୍କ ଜୀବନାବଳିକୁ ମହିମା ମଣ୍ଡିତ କରିବା ସହ ସେ ଜଣେ ସତ୍ୟ ଓ ଅହିଂସାର ଉପାସକ ଥିଲେ ବୋଲି ପ୍ରତିପାଦିତ ହେଲା। ଯାହାକି ଆଜିର ଯୁବପିଢ଼ୀଙ୍କ ପାଇଁ ନିଶ୍ଚିତ ରୁପେ ଭଲ ମାର୍ଗଦର୍ଶନ ବୋଲି ଶ୍ରୀ ବିଶ୍ବାଳ କହିଥିଲେ। ଏକ ବିଂଶ ଶତାବ୍ଧୀରେ ଗାନ୍ଧୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୁର୍ଣ୍ଣ ବୋଲି ବିଭିନ୍ନ ଦିଗକୁ ନେଇ ଶ୍ରୀ ବିଶ୍ବାଳ ଆଲୋକପାତ କରିଥିଲେ।  ଶକୁନ୍ତଳା ରାଉତ, ପ୍ରମିଳା ଖିଲ, ଶିକ୍ଷାବିତ ପଂଚାନନ ଗୌଡ଼, ସାମ୍ବାଦିକ ସୁରେଶ କୁମାର ନାଇଡୁ, ବିଭାଗୀୟ ମୁଖ୍ୟ ପ୍ରାନସିସ୍ ବାର୍ଲା, ସିନା ରାଣୀ, ଜଳନ୍ଦର ସାହୁ ଗାନ୍ଧୀଙ୍କ ଜୀବନୀ ଏବଂ ସଂପ୍ରାତିକ ସମାଜର ସ୍ଥିତି ଏବଂ ଗାନ୍ଧୀଙ୍କୁ ଆଜିର ଯୁବସମାଜ କେଉଁ ଦୃଷ୍ଟିଭଙ୍ଗୀରେ ଦେଖୁଛନ୍ତି, କେଉଁ ପରିସ୍ଥିତିରେ ଗାନ୍ଧୀଙ୍କୁ ଗୁଳିମାଡ଼ ହୋଇଥିଲା ଆଦିକୁ ନେଇ ମୁଖ୍ୟବକ୍ତାଙ୍କ ସହ ଆଲୋଚନା କରିଥିଲେ।

publive-image

ଭାରତୀୟ ଦାର୍ଶନିକ ଗବେଷଣା ପରିଷଦ ସହଯୋଗରେ ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ଦର୍ଶନ ବିଭାଗ ପକ୍ଷରୁ ଏହି ଦୁଇ ଦିନିଆ କର୍ମଶା‌ଳା ଆୟୋଜନ କରାଯାଇଛି।  ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଗୋପାଳ ହାଲଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ବିଭାଗୀୟ ମୁଖ୍ୟ ଶ୍ରୀ ବାର୍ଲା ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂଯୋଜକ ଡ.ଲକ୍ଷ୍ମଣ ପାତ୍ର  କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।  ଏଥିରେ ଶହେ ପଚାଶରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଭାଗ ନେଇଥିଲେ। ଅଧ୍ୟାପକ ଡ.ବ୍ରଜ କିଶୋର, ଡ.କିଚକ ଚନ୍ଦ୍ର ଜେନା, ଶିକ୍ଷାବିତ ନିଳାଦ୍ରୀନାଥ ଦାଶ, ଡ.ବିଜୟ କୁମାର ସେଠୀ, ଶୁଶ୍ରିତା ଦୋରା, ରଜନୀକାନ୍ତ ଚିଛୁଆନ୍ , ଉତ୍ତମ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଶେଷରେ ଅଧ୍ୟାପକ ରହିମ ଖରା ଧନ୍ୟବାଦ ଦେଇଥିଲେ।