କୋଣାର୍କରେ ଜାତୀୟ କର୍ମଶାଳା : ସୂର୍ଯ୍ୟ ମନ୍ଦିରର ବାସ୍ତବ ସ୍ଥିତି ନେଇ ଉଦ୍‌ବେଗ

କୋଣାର୍କ : ଆନ୍ତର୍ଜାତିକ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା କୋଣାର୍କ ସୂର୍ଯ୍ୟ ମନ୍ଦିରର ବାସ୍ତବ ସ୍ଥିତିକୁ ନେଇ ବିଶେଷଜ୍ଞମାନେ ପୁଣି ଉଦ୍‌ବେଗ ପ୍ରକଟ କରିଛନ୍ତି। ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ସହିତ ଗର୍ଭଗୃହରେ ବାଲି ଦବିଥିବା ନେଇ ରିପୋର୍ଟ ଆସିଥିଲେ ମଧ୍ୟ ଏହାର କୌଣସି ସ୍ଥାୟୀ ସମାଧାନ ଅଦ୍ୟାବଧି ଏଏସ୍‌ଆଇ ପକ୍ଷରୁ କରାଯାଇ ନାହିଁ। ଆଜି କୋଣାର୍କରେ ଆରମ୍ଭ ହୋଇଥିବା ସୂର୍ଯ୍ୟ ମନ୍ଦିର ସଂପର୍କିତ ଏକ କର୍ମଶାଳାରେ ଏଭଳି ମତ ପ୍ରକାଶ ପାଇଛି।

କୋଣାର୍କ ଯାତ୍ରୀନିବାସ ପରିସରରେ ଏଏସ୍‌ଆଇ ଡିଜି ଉଷା ଶର୍ମାଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଦୁଇ ଦିନିଆ କର୍ମଶାଳାରେ ଯୋଗ ଦେଇ ଆମିକସ୍‌ କ୍ୟୁରି ଏନ୍‌ କେ ମହାନ୍ତି କହିଲେ ଯେ ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ବ ଏଏସ୍‌ଆଇ ନେବାପରେ ୧୦୨ ବର୍ଷ ବିତିଲାଣି। ଇତି ମଧ୍ୟରେ ୨୩ଟି ବଡ଼ ବଡ଼ ବୈଠକ ଅନୁଷ୍ଠିତ ହୋଇଛି। ଏହା ସତ୍ତ୍ବେ ଉପଯୁକ୍ତ ପଦକ୍ଷେପ ନିଆ ନ ଯିବା ପରିତାପର ବିଷୟ। ୨୦୧୦ରେ ମନ୍ଦିରର ଉଦ୍‌ବେଗଜନକ ସ୍ଥିତିକୁ ନେଇ ବିଶ୍ବର ବଛାବଛା ବିଶେଷଜ୍ଞ ମାନଙ୍କୁ ନେଇ କୋଣାର୍କରେ ଏକ ଦୁଇଦିନିଆ କର୍ମଶାଳା ଆୟୋଜିତ ହୋଇଥିଲା। ପ୍ରତ୍ୟେକ ବୈଠକରେ ମନ୍ଦିରର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଦିଗରେ ବିଷଦ ଆଲୋଚନା ହୋଇଥିଲା। ମାତ୍ର ଅଦ୍ୟାବଧି ସୂର୍ଯ୍ୟ ମନ୍ଦିରର ସଂରକ୍ଷଣ ଓ ସୁରକ୍ଷା ଦିଗରେ ଏଏସ୍‌ଆଇ କୌଣସି ସଠିକ ପଦକ୍ଷେପ ନେଇ ନ ପାରିବା ପରିତାପର ବିଷୟ। ସେହିଭଳି ଭାବେ ରାଜ୍ୟ ସରକାରଙ୍କୁ ଅନ୍ଧାରରେ ରଖି ଏଏସ୍‌ଆଇ ମନମୁଖୀ କାର୍ଯ୍ୟ କରୁଥିବା ନେଇ ଓଡ଼ିଶା ସଂସ୍କୃତି ସଚିବ ମନୋରଂଜନ ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ ପରୋକ୍ଷରେ ମନ୍ତବ୍ୟ ରଖିଥିଲେ। ୨୦୧୦ ବିଶ୍ବ ଚିନ୍ତନ ବୈଠକର ରିପୋର୍ଟ ଅଦ୍ୟାବଧି ରାଜ୍ୟ ସରକାରଙ୍କୁ ଏଏସଆଇ ପ୍ରଦାନ କରି ନଥିବା ସେ କହିଥିଲେ। ରାଜ୍ୟ ସରକାରଙ୍କ ସହିତ ସହଯୋଗିତା ଓ ସହଭାଗିତା ମନବୃତ୍ତି ନେଇ ଏଏସ୍‌ଆଇ ଏହି ପ୍ରାଚୀନ କୀର୍ତିରାଜିର ସୁରକ୍ଷା ଦିଗରେ କାର୍ଯ୍ୟ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏଏସ୍‌ଆଇ ଡିଜି ଉଷା ଶର୍ମା ସୂର୍ଯ୍ୟ ମନ୍ଦିରର ସୁରକ୍ଷା ଦିଗରେ ଏଏସ୍‌ଆଇ ଯତ୍ନବାନ ରହିଛି ଏବଂ ମନ୍ଦିରର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଆଗାମୀ ଦିନରେ ତ୍ବରାନ୍ବିତ କରାଯିବ ବୋଲି କହିଥିଲେ।

ବୈଠକ ପରେ ସମସ୍ତ ଅଧିକାରୀ ମନ୍ଦିର ପରିଦର୍ଶନରେ ଯାଇ ବାସ୍ତବ ସ୍ଥିତି ପରଖିଥିଲେ। ତେବେ ମନ୍ଦିରର ଗର୍ଭଗୃହର ବାଲି ଦବିଥିବାର ରିପୋର୍ଟ ଆସିଥିଲେ ମଧ୍ୟ ତାହାର ବିକଳ୍ପ ପଦକ୍ଷେପ ଅଦ୍ୟାବଧି ଏଏସ୍‌ଆଇ କ’ଣ ପାଇଁ ନେଇନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏଏସ୍‌ଆଇର ଅତିରିକ୍ତ ଡିଜି ବି ଆର୍‌ ମନି, ପଦ୍ମଶ୍ରୀ ପ୍ରଫେସର ଜି ସି ମିତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ସମେତ ଏଏସ୍‌ଆଇର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ତେବେ ସୂର୍ଯ୍ୟମନ୍ଦିର ସଂପର୍କରେ ଜାତୀୟ ବୈଠକ କୋଣାର୍କରେ ଅନୁଷ୍ଠିତ ହୋଇଥିଲେ ମଧ୍ୟ ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କୁ ବୈଠକରୁ ଦୂରେଇ ରଖାଯିବା ନିନ୍ଦନୀୟ ବୋଲି କୋଣାର୍କ ଓକିଲସଂଘର ସଭାପତି ଆଇନଜୀବୀ ଶ୍ରୀଜୟ ବରାଳ ମତ ଦେଇଛନ୍ତି।

ସୂଚନାଯୋଗ୍ୟ, ସୂର୍ଯ୍ୟ ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ବଦଳରେ ଏବେ ଅଧାରୁ ଅଧିକ ସ୍ଥାନରେ ଖାଲିପଥର ଶୋଭା ପାଉଛି । ଫଳରେ ଆସନ୍ତା କେଇ ବର୍ଷ ମଧ୍ୟରେ ଏହି କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର ଏକ ପଥରସ୍ତୁପରେ ପରିଣତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏନେଇ ବାରମ୍ବାର ‘ସମ୍ବାଦ’ରେ ରିପୋଟଁ ପ୍ରକାଶିତ ହେବାପରେ ଗତ ୧୩ ତାରିଖରେ ରାଜ୍ୟ ସଂସ୍କୃତି ସଚିବ ମନୋରଂଜନ ପାଣିଗ୍ରାହୀଙ୍କ ସମେତ ରାଜ୍ୟ ପ୍ରତ୍ନତ୍ତତ୍ବ ବିଭାଗର ବରିଷ୍ଠ ଅଧିକାରୀମାନେ କୋଣାର୍କ ମନ୍ଦିର ପରିଦର୍ଶନ କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିଥିଲେ।

ସମ୍ବନ୍ଧିତ ଖବର