ଭୁବନେଶ୍ବର : ଭାରତୀୟ ସ୍ବାସ୍ଥ୍ୟ ଅନୁସନ୍ଧାନ ପରିଷଦ ଅନୁସାରେ ଜଣେ ଲୋକ ବର୍ଷକୁ ପ୍ରାୟ ୧୮୦ଟି ଅଣ୍ଡା ଖାଇବା ଜରୁରୀ। ଅଣ୍ଡାରୁ ଭିଟାମିନ୍-ଡି ମିଳିଥାଏ। ତେବେ ଓଡ଼ିଶାରେ ଅଣ୍ଡାର ବ୍ୟବହାର ଓ ଉତ୍ପାଦନ ବୃଦ୍ଧିର ଆବଶ୍ୟତା ରହିଛି। ରାଜ୍ୟରେ କୁକୁଡ଼ା ପାଳନର ବିକାଶ ସହିତ ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟ ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏହାଦ୍ବାରା ନିଯୁକ୍ତି ସୁଯୋଗ ବୃଦ୍ଧି ସହିତ କୃଷକମାନଙ୍କ ଆୟ ବୃଦ୍ଧିରେ ଏହା ସହାୟକ ହୋଇପାରିଥିବା କହିଛନ୍ତି ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ସଚିବ ସୁରେଶ କୁମାର ବଶିଷ୍ଠ।

Advertisment

ପ୍ରତିବର୍ଷ ଅକ୍ଟୋବର ମାସର ଦ୍ବିତୀୟ ଶୁକ୍ରବାର ଦିନ ବିଶ୍ବ ଅଣ୍ଡା ଦିବସ ପାଳନ କରାଯାଉଛି। ଚଳିତବର୍ଷ ଅନ୍ତର୍ଜାତୀୟ ଅଣ୍ଡା କମିସନ ‘ଉନ୍ନତ ଜୀବନ ପାଇଁ ଅଣ୍ଡା’ ପ୍ରସଙ୍ଗ ଧାର୍ଯ୍ୟ କରିଛନ୍ତି। ରାଜ୍ୟର ପ୍ରତି ଜିଲ୍ଲା ଓ ଭୁବନେଶ୍ବରର ବିଭିନ୍ନ ବିଦ୍ୟାଳୟମାନଙ୍କରେ ଅଣ୍ଡାର ଉପାଦେୟ ଗୁଣ ବିଷୟରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା। ଏହି ଅବସରରେ ଶ୍ରୀ ବଶିଷ୍ଠ କହିଥିଲେ ଯେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଅଣ୍ଡାଦିଆ କୁକୁଡ଼ା ଫାର୍ମ ପ୍ରତିଷ୍ଠା କରିବା ପାଇଁ ରାଜ୍ୟର ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦିଆଯାଉଛି। ଚାଷୀମାନଙ୍କୁ ୧ହଜାର ଅଣ୍ଡାଦିଆ କୁକୁଡ଼ା ପାଳନ ପାଇଁ ରିହାତି ଦିଆଯାଉଛି। ଘର ଅଗଣାରେ କୁକୁଡ଼ା ଓ ବତକ ପାଳନ ପାଇଁ ରାଜ୍ୟ ସରକାର ଅନେକ ପ୍ରୋତ୍ସାହନ ଯୋଗାଇଦେଉଥିବା ସେ କହିଥିଲେ। ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦେଶକ ୟେଦୁଲ୍ଲା ବିଜୟ କହିଥିଲେ, ଅଣ୍ଡାରୁ ମିଳୁଥିବା ପ୍ରଚୁର ମାତ୍ରାର ଲିଉଟିନ ଓ ଜାନଥିନ୍ ଆଖିକୁ ସୁସ୍ଥ ଓ ସବଳ ରଖିବା ସାଙ୍ଗକୁ ଦୃଷ୍ଟିଶକ୍ତି ବୃଦ୍ଧି କରିଥାଏ। ଅଣ୍ଡାରୁ ମିଳୁଥିବା ଆମିନୋ ଏସିଡ, ଭିଟାମିନ ବି-୧୨, ଫଲିକ୍ ଏସିଡ ଓ ସ୍ନେହସାର ମଣିଷକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏସଏଲବିସିର ଆବାହକ ଗୌତମ ପାତ୍ର ଅଣ୍ଡା ଉତ୍ପାଦନ ନେଇ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ବିଶ୍ବ ଅଣ୍ଡା ଦିବସ ଅବସରରେ ୟୁନିଟ୍‌ ୧, ୨ ଓ ୩ ବାଳିକା ଉଚ୍ଚ ବିଦ୍ୟାଳୟ, ସିଆରପି ଓ ପାତ୍ରପଡ଼ା ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟକ୍ରମ ହୋଇଥିଲା। ବିଭିନ୍ନ ଅନାଥାଶ୍ରମରେ ଅନ୍ତେବାସୀଙ୍କୁ ଅଣ୍ଟା ବଣ୍ଟନ କରାଯାଇଥିଲା।