ରାଜ୍ୟସ୍ତରୀୟ ବିଶ୍ୱ ବନ ଦିବସ: ବଣ୍ଟାଯାଇଛି ୧.୯୫ କୋଟି ଚାରା

ଭୁବନେଶ୍ୱର: ସବୁଜ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ତେଣୁ ଚଳିତ ବର୍ଷ ୩.୪୯ କୋଟି ଚାରାରୋପଣ କରାଯାଉଛି। ସେଥିମଧ୍ୟରୁ ୧.୯୫କୋଟି ଚାରା ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ ବଣ୍ଟନ ହୋଇଛି। ‘ଆମ ଜଙ୍ଗଲ ଯୋଜନା’କୁ ୨୨ଟି ବନଖଣ୍ଡ ଅଧୀନ ପ୍ରାୟ ୪୬୦୧ ବନ ସୁରକ୍ଷା ସମିତି ମାଧ୍ୟମରେ ୪.୨ ଲକ୍ଷ ପରିବାର ନିକଟରେ ପହଞ୍ଚାଯାଇଛି। ସେମାନେ ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର ଓ ଅବକ୍ଷୟିତ ଜଙ୍ଗଲର ସଂରକ୍ଷଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପରିଣାମସ୍ବରୂପ ଗତ ଦୁଇବର୍ଷ ମଧ୍ୟରେ ରାଜ୍ୟର ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳରେ ୮୯୩ ବର୍ଗ କିମି ଅଭିବୃଦ୍ଧି ଘଟିଛି। ୮.୩୪ କିମି ହେନ୍ତାଳବନ ସୃଷ୍ଟି କରି ଓଡ଼ିଶା ଦେଶର ପ୍ରଥମ ସ୍ଥାନରେ ରହିଛି ବୋଲି ଜୟଦେବ ଭବନରେ ରାଜ୍ୟସ୍ତରୀୟ ବିଶ୍ବ ବନ ଦିବସ ପାଳନ ଅବସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି।

ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଙ୍ଗଲ ନିଆଁ ଓ ବନ୍ୟଜନ୍ତୁ-ମଣିଷ ବିବାଦକୁ ପ୍ରଶମିତ କରିବା ଦିଗରେ ବିଭାଗର କ୍ଷେତ୍ର ଅଧିକାରୀ, କର୍ମଚାରୀ ଓ ଗ୍ରାମାଞ୍ଚଳର ସ୍ବେଚ୍ଛାସେବୀମାନେ ନିଷ୍ଠାପର ଭାବେ କାର୍ଯ୍ୟ କରୁଥିବା ମତବ୍ୟକ୍ତ କରିଥିଲେ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍‌) ଦେବୀଦତ୍ତ ବିଶ୍ୱାଳ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପିସିସିଏଫ୍‌(ଏମ୍‌ଇ ଆଣ୍ଡ ଆଇଭି) ଓମ୍‌ ପ୍ରକାଶ ସିଂ ଧନ୍ୟବାଦ ଦେଇଥିଲେ। ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ଓ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୪ଜଣ ବନରକ୍ଷୀ, ୧୧ଜଣ ବନପାଳ ଓ ୪ଜଣ ବନାଞ୍ଚଳ ଅଧିକାରୀଙ୍କୁ ରାଜ୍ୟ ବନୀକରଣ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ‘ହାଇଲାଇଟସ୍‌ ଅଫ୍‌ ଓଡ଼ିଶା ଫରେଷ୍ଟି୍ ସେକ୍ଟର-୨୦୨୩’ ଶୀର୍ଷକ ଏକ ପୁସ୍ତିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ।

ସମ୍ବନ୍ଧିତ ଖବର