ଘୁଞ୍ଚିଲା ଜାତୀୟ କୃମିନାଶକ ଦିବସ

ଏପ୍ରିଲ ୪ରେ ରାଜ୍ୟବ୍ୟାପୀ ଦିଆଯିବ ବଟିକା

ଭୁବନେଶ୍ୱର : ମିଜିଲ୍‌ସ ରୁବେଲା ବା ଏମ୍‌ଆର ଟିକା ପାଇଁ ରାଜ୍ୟରେ ଜାତୀୟ କୃମିନାଶକ ଦିବସକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ଏପ୍ରିଲ ୪ତାରିଖରେ ରାଜ୍ୟରେ ଏହି ଦିବସ ପାଳିତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଗତବର୍ଷ ମଧ୍ୟ ଔଷଧ ନ ଆସିପାରିବା କାରଣରୁ ରାଜ୍ୟରେ ଠିକ୍‌ ସମୟରେ ଜାତୀୟ କୃମିନାଶକ ଦିବସ ପାଳିତ ହୋଇପାରି ନ ଥିଲା।

ଜାତୀୟ କୃମିନାଶକ ଦିବସ ବର୍ଷକୁ ଦୁଇଥର ପାଳିତ ହେଉଛି। ଫେବ୍ରୁଆରି ଓ ଅଗଷ୍ଟ ମାସ ୧୦ତାରିଖରେ ଏହି ଦିବସକୁ ଦେଶବ୍ୟାପୀ ପାଳନ କରାଯାଉଛି। ପୂର୍ବବର୍ଷ ଭଳି ଚଳିତମାସ ୧୦ତାରିଖରେ ଏହି ଦିବସ ପାଳନ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲେ ହେଁ ଏମ୍‌ଆର ଟିକା ପାଇଁ ଏହାକୁ ସ୍ଥଗିତ ରଖାଯାଇଛି।

ଗତମାସ ୨୯ତାରିଖରୁ ରାଜ୍ୟବ୍ୟାପୀ ଏମ୍‌ଆର ଟିକାକରଣ ଚାଲିଛି। ଏହା ଆସନ୍ତା ମାସ ୨୬ତାରିଖ ପର୍ଯ୍ୟନ୍ତ ଚାଲିବ। ୯ମାସରୁ ୧୫ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଏହି ଟିକା ଦିଆଯାଉଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୧୯ଲକ୍ଷ ପିଲାଙ୍କୁ ଏହି ଟିକା ଦିଆଯାଇଥିବା ଜଣାପଡ଼ିଛି। ତେଣୁ ରାଜ୍ୟରେ ପ୍ରଥମଥର ପାଇଁ ଚାଲିଥିବା ଏମ୍‌ଆର ଟିକାକରଣ ନିମନ୍ତେ କୃମି ପାଇଁ ଦିଆଯିବାକୁ ଥିବା ବଟିକା ନ ଦେବାକୁ ସ୍ଥିର ହୋଇଛି। ଚଳିତବର୍ଷ ରାଜ୍ୟରେ ୧କୋଟି ୬୦ଲକ୍ଷ ଶିଶୁଙ୍କୁ ଏହି ଟିକା ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏହାସହ ୬ଟି ଜିଲ୍ଲାରେ ଏକାସାଙ୍ଗରେ ଫାଇଲେରିଆ ଔଷଧ ମଧ୍ୟ ଦିଆଯିବ। ଦେବଗଡ଼, ଜଗତସିଂହପୁର, ଗଞ୍ଜାମ, ଅନୁଗୁଳ, ନୟାଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା ଏହି ତାଲିକାରେ ରହିଛନ୍ତି।

ଏନ୍‌ସିଡିସିର ରିପୋର୍ଟରେ ରାଜ୍ୟରେ ସମୁଦାୟ ୩୮ପ୍ରତିଶତ ପିଲା ରକ୍ତହୀନତା ଓ ପୁଷ୍ଟିହୀନତାର ଶିକାର ଥିବା କୁହାଯାଇଛି। ବିଶେଷକରି ୧ରୁ ୧୯ବର୍ଷ ବୟସ୍କ ପିଲାମାନେ ଏହାର ଅଧିକ ଶିକାର ହୋଇଥାନ୍ତି। ଜାତୀୟ ସ୍ତରରେ ମଧ୍ୟ ଓଡ଼ିଶାର ସ୍ଥାନ ବେଶ ଦୁର୍ବଳ। ଖୋଲାରେ ମଳତ୍ୟାଗ କରିବା, ହାତ ସଫା ନ କରିବା ଓ ଚପଲ ବ୍ୟବହାର ନ କରିବା କାରଣରୁ ମାଟିରେ ଥିବା କୃମି ପିଲାମାନଙ୍କୁ ଶରୀରରେ ବ୍ୟାପିଥାଏ। ତେଣୁ ଏହି କୃମିକୁ ମାରିବା ପାଇଁ କୃମି ନିୟନ୍ତ୍ରଣ ଔଷଧ ବଣ୍ଟାଯାଉଛି। ୧ବର୍ଷରୁ ୧୯ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଆଲବେଣ୍ଡାଜୋଲ ବଟିକା ଦିଆଯାଉଥିବା ବେଳେ ଫାଇଲେରିଆ ପାଇଁ ୨ବର୍ଷରୁ ବୟସ୍କ ବ୍ୟକ୍ତି ଫାଇଲେରିଆ ଔଷଧ ଦିଆଯିବ। ଏହାସହ ରାଜ୍ୟର ବେସରକାରୀ ସ୍କୁଲଗୁଡ଼ିକୁ ମଧ୍ୟ ଏଥର ଟାର୍ଗେଟ କରାଯାଇଛି। ରାଜ୍ୟର ୯ପ୍ରତିଶତ ପିଲାମାନେ ବେସରକାରୀ ସ୍କୁଲରେ ପଢ଼ୁଥିବାରୁ ଚଳିତବର୍ଷ ଏହାକୁ ଅଧିକ ଗୁରୁତ୍ୱ ଦିଆଯାଇଛି।

ଅପରପକ୍ଷରେ ରାଜ୍ୟରେ ୩୦୧୪ଟି ଅପହଞ୍ଚ ଗାଁ ରହିଛି। ଏହି ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ଏଏନ୍‌ଏମ୍‌ କିମ୍ବା ଆଶା କର୍ମୀ ନାହାନ୍ତି। ତେଣୁ ଏସବୁ ଗାଁରେ କୃମିନାଶକ ଔଷଧ ବଣ୍ଟନ କରିବା ପାଇଁ ଚଳିତବର୍ଷ ‘ଦମନ’ ବା ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଅଭିଯାନରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କୁ ଏଥିରେ ନିୟୋଜିତ କରାଯିବ। ଏଥିପାଇଁ ସେମାନଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ପ୍ରଦାନ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର