ଅଗଷ୍ଟ ୮ରେ ଜାତୀୟ କୃମିନାଶକ ଦିବସ : କୋଟିଏ ୪୨ଲକ୍ଷ ପିଲାଙ୍କୁ ଔଷଧ ଖୁଆଇବା ଲକ୍ଷ୍ୟ

ଭୁବନେଶ୍ବର : ଶିଶୁଙ୍କ ଶରୀରରେ କୃମି ନାଶ ପାଇଁ ଆସନ୍ତା ମାସ ୮ତାରିଖରେ ପିଲାମାନଙ୍କୁ କୃମିନାଶକ ଔଷଧ ଖାଇବାକୁ ଦିଆଯିବ। ରାଜ୍ୟର ୧କୋଟି ୪୨ଲକ୍ଷରୁ ଅଧିକ ପିଲାଙ୍କୁ ଗୋଟିଏ ଦିନରେ ଏହି ଔଷଧ ଦିଆଯିବ। ଯେଉଁ ପିଲାମାନେ ୮ତାରିଖ ଦିନ ଔଷଧ ଖାଇ ପାରିବେ ନାହିଁ, ସେମାନଙ୍କୁ ୧୬ତାରିଖ ଦିନ ଖୁଆଯିବ ବୋଲି ସୂଚନା ଦିଆଯାଇଛି।

ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଡା. ପ୍ରମୋଦ କୁମାର ମେହେର୍ଦାଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ବିଶ୍ବରେ ମାଟିରୁ କୃମି ସଂକ୍ରମଣ ଏକ ସାଧାରଣ ଘଟଣା। ଏଥିପାଇଁ ବିଶ୍ବରେ ୨୪୧ନିୟୁତରୁ ଅଧିକ ଶିଶୁ କୃମି ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ରାଜ୍ୟରେ ପ୍ରାୟ ୩୬ପ୍ରତିଶତ ଶିଶୁ ଏଥିରେ ପୀଡ଼ିତ। ‌ସେଥିପାଇଁ କୃମିନାଶକ ଦିବସ ପାଳନ ଅବସରରେ ୧୯ବର୍ଷ ବୟସ ପର୍ଯ୍ୟନ୍ତ ରାଜ୍ୟର ୧କୋଟି ୪୨ଲକ୍ଷ ୯୦ଜହାର ୪୯୧ଜଣ ପିଲାଙ୍କୁ ଔଷଧ ଖୁଆଇବା ପାଇଁ ବ୍ୟବସ୍ଥା ହୋଇଛି। ଏଥିରେ ୫ବର୍ଷ ବୟସ ପର୍ଯ୍ୟନ୍ତ ୩୫ଲକ୍ଷ ୫୪ହଜାର ୨୧୮ଜଣ ଶିଶୁ ରହିଥିବା ବେଳେ ୬ରୁ ୧୯ବର୍ଷ ବୟସ ପର୍ଯ୍ୟନ୍ତ ୧କୋଟି ୭ଲକ୍ଷ ୩୬ହଜାର ୨୭୩ଜଣ ରହିଛନ୍ତି। ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା, ମହିଳା ଓ ଶିଶୁ କଲ୍ୟାଣ, ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସହାୟତାରେ ଏହି ଅଭିଯାନ ଚାଲିବ। ଅଭିଯାନ ପାଇଁ ଆବଶ୍ୟକ ଔଷଧ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ସ୍ବାସ୍ଥ୍ୟ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ସ୍ବାସ୍ଥ୍ୟସେବା ନିର୍ଦେଶକ ଡା. ଦିଲ୍ଲୀପ ଷଡ଼ଙ୍ଗୀ, ପରିବାର କଲ୍ୟାଣ ନିର୍ଦେଶକ ସରୋଜ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର