ମାଲକାନଗିରି/ଚିତ୍ରକୋଣ୍ଡା: ସ୍ବାଭିମାନ ଅଞ୍ଚଳର ଅନେକ ଗ୍ରାମକୁ ଘେରି ରହିଛି ବାଲିମେଳା ଜଳଭଣ୍ଡାର। ଏହି ଗାଁ ଗୁଡ଼ିକୁ ଯାତାୟାତ ପାଇଁ ଜଳପଥ ଏକ ମାତ୍ର ବିକଳ୍ପ। ଫଳରେ ଡଙ୍ଗା ବୁଡ଼ି ପ୍ରତିବର୍ଷ ଅନେକ ଜୀବନ ଚାଲିଯାଉଛି। ଏପରି ସ୍ଥିତିରେ ବୋଟ୍ ଦୁର୍ଘଟଣା ରୋକିବାକୁ ନୂତନ ଜ୍ଞାନକୌଶଳର ଆବିଷ୍କାର କରିଛନ୍ତି ନବମ ଶ୍ରେଣୀ ଛାତ୍ରୀ ଲଳିତା ଖିଲ। ଟାଇଟେନିକ୍ ୨.୦ ନାମକ ସେଫଟି ବୋଟ୍ ବିଜ୍ଞାନ ପ୍ରକଳ୍ପରେ ସେ ଡଙ୍ଗାବୁଡ଼ି ରୋକିବାକୁ ଦର୍ଶାଇଥିବା କାରଣରେ ନିରୀକ୍ଷକ ପ୍ରଭାବିତ ହୋଇ ପ୍ରକଳ୍ପକୁ ଜାତୀୟସ୍ତରକୁ ମନୋନୀତ କରିଛନ୍ତି। ନଭେମ୍ବର ୧୮ରେ ଭୋପାଳରେ ହେବାକୁ ଥିବା ବିଜ୍ଞାନ ମେଳାରେ ଲଲିତାଙ୍କ ପ୍ରକଳ୍ପ ପ୍ରଦର୍ଶିତ ହେବ।
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଆର୍ଏସସି-୬ ସରକାରୀ ୟୁଜିଏଚ୍ଏସ୍ ସ୍କୁଲର ଛାତ୍ରୀ ଲଳିତା। ଘର ଚିତ୍ରକୋଣ୍ଡା ବ୍ଲକର ଦୋରାଗୁଡ଼ା ପଞ୍ଚାୟତର ଦୁର୍ଗମ ବୁରୁଡ଼ିପୁଟରେ। ବାଲିମେଳା ଜଳଭଣ୍ଡାରକୁ ଲାଗି ରହିଛି ଏହି ଗ୍ରାମ। ତାଙ୍କ ନିଜ ପଞ୍ଚାୟତ ଦୋରାଗୁଡ଼ା ଘାଟରେ ବ୍ରିଜ ହୋଇପାରିନଥିବାରୁ ଲୋକେ ଗୋଟିଏ କୂଳରୁ ଅନ୍ୟ କୂଳକୁ ଶକ୍ତ ଦଉଡ଼ି ବାନ୍ଧି ସେହି ଦଉଡ଼ି ସହାୟତାରେ ଡଙ୍ଗାରେ ଜଳଭଣ୍ଡାର ପାର ହେଉଛନ୍ତି। ପ୍ରତି ବର୍ଷ ଡଙ୍ଗାବୁଡ଼ିରେ ଅନେକ ଲୋକଙ୍କ ଜୀବନ ଯାଉଥିବାରୁ ଲଳିତା ସେଫଟି ବୋଟ୍ ପ୍ରକଳ୍ପ ନିର୍ମାଣ କରି ଜାତୀୟସ୍ତରରେ ଚର୍ଚ୍ଚାକୁ ଆସିଛନ୍ତି। ପ୍ରକଳ୍ପ ନିର୍ମାଣରେ ଲଳିତାଙ୍କୁ ସହଯୋଗ କରିଛନ୍ତି ଶିକ୍ଷକ ଦେବବ୍ରତ ଦାଶ ଓ ପ୍ରଧାନ ଶିକ୍ଷକ ଡମ୍ବରୁଧର ଗୋଲରୀ। ଜିଲ୍ଲାସ୍ତରରୁ ଯାଇଥିବା ଏହି ପ୍ରକଳ୍ପ କୋଲକାତା ଜୋନାଲ୍ ସ୍ତରୀୟ ମେଳାରେ ଜାତୀୟସ୍ତରକୁ ମନୋନୀତ ହୋଇଛି।
ଲଳିତାଙ୍କ କହିବା ଅନୁଯାୟୀ, ସାଧାରଣ ଡଙ୍ଗାର ଭିତର ଅଂଶ ଫାଙ୍କା ଥାଏ। ଦୁର୍ଘଟଣା ଘଟିଲେ ଜୀବନ ବିକଳରେ ଲୋକମାନେ ଡଙ୍ଗାର ଗୋଟିଏ ପାର୍ଶ୍ୱକୁ ଉଠିଆସନ୍ତି। ଫଳରେ ଡଙ୍ଗାର ଅନ୍ୟ ପଟ ଓଲଟି ଯାଏ। ସେଫଟି ବୋଟ୍ରେ ନୂତନ ଜ୍ଞାନକୌଶଳରେ ଫାଙ୍କା ସ୍ଥାନରେ ବାୟୁ ପୂର୍ଣ୍ଣ ଥଳି ରଖାଯାଇଛି। ଏକ ବାଲାନ୍ସ ଟ୍ୟୁବ୍ ଲଗାଯାଇଛି। ଯାହା ପାସକଲ୍ଙ୍କ ନିୟମାନୁଯାୟୀ ନିର୍ମାଣ କରାଯାଇଛି। କ୍ଷେତ୍ରଫଳ ବଢ଼ିଲେ, ଚାପ କମୁଥିବାରୁ ସେଫଟି ବୋଟ୍ ଡଙ୍ଗାର କ୍ଷେତ୍ରଫଳକୁ ବଢ଼ାଇ ଦିଆଯାଇଛି। ଦୁର୍ଘଟଣା ସମୟରେ ଲୋକେ ଗୋଟିଏ ପଟକୁ ଯଦି ଚାଲି ଆସନ୍ତି ତେବେ ଚାପ ଗୋଟିଏ ପଟରେ ନ ପଡ଼ିଡି ସବୁ ଦିଗରେ ପଡ଼ିବ। ଫଳରେ ଡଙ୍ଗାଟି ଓଲଟିବ ନାହିଁ। କେବଳ ଏତିକି ନୁହେଁ, କ୍ଷମତାଠାରୁ ଡଙ୍ଗାରେ ଅଧିକ ଲୋକ ହେଲେ ଏହା ସାଇରନ୍ ଦେଇ ସୂଚାଇ ଦେବ। ସତର୍କ ସଙ୍କେତ ନ ମାନି ଯଦି ଲୋକ ଉଠି ଆସନ୍ତି ତାହାହେଲେ ଏହା ଚାପ ପାଇ ତଳକୁ ଯିବ। ତଳେ ଥିବା ବାୟୁପୂର୍ଣ୍ଣ ଥଳିର ବାୟୁ ଉପରେ ଥିବା ଟ୍ୟୁବ୍କୁ ଆସିବ। ଯାହା ଡଙ୍ଗାକୁ ସମ୍ପୂର୍ଣ୍ଣ ବୁଡ଼ିବାକୁ ଦେବନାହିଁ। ସେଫଟି ବୋଟ୍ ପ୍ରକଳ୍ପର ନାମ ‘ଟାଇଟେନିକ-୨.୦’ ରଖିଛନ୍ତି ଲଳିତା। ପ୍ରକଳ୍ପ ଜାତୀୟସ୍ତରକୁ ମନୋନୀତ ହେବା ପରେ ବାପା ପର୍ଶୁ ଖିଲ, ମାଆ ଦମୟନ୍ତୀ ଖିଲଙ୍କ ସହ ଗ୍ରାମବାସୀ ଏବଂ ସ୍କୁଲ କର୍ମକର୍ତ୍ତା ଖୁସି ପ୍ରକାଶ କରିଛନ୍ତି।
Follow Us