ଦେଶୀ ବନ୍ଧୁକ ଓ କୁଟୁରା ମାଂସ ଜବତ, ଜଣେ ଗିରଫ

ଜମନକିରା : ବଡ଼ରମା ଅଭୟାରଣ୍ୟ ଅଞ୍ଚଳରେ ଅବାଧ ବନ୍ୟଜନ୍ତୁ ଶିକାର ଚାଲିଛି। ଜଙ୍ଗଲ ପୋଡ଼ି ଯୋଗୁଁ ବନ୍ୟଜନ୍ତୁ ଜଳାଶୟ, ଗାଁ ମୁହାଁ ହେଉଛନ୍ତି। ଫଳରେ ଶିକାରୀ ମାନେ ସୁଯୋଗ ଉଣ୍ଡି ଦେଶୀ ବନ୍ଧୁକରେ ଅବାଧରେ ବନ୍ୟଜନ୍ତୁ ଶିକାର କରୁଥିବା ଅଭିଯୋଗ ହେଉଛି। ବିଭିନ୍ନ ଜଳାଶୟ ନିକଟରେ ଗଛ ଉପରେ ମଞ୍ଚା ପ୍ରସ୍ତୁତ କରି ଶିକାରୀମାନେ ବନ୍ୟଜନ୍ତୁ ଶିକାର କରୁଥିଲେ ମଧ୍ୟ ବନ ବିଭାଗ ନଜରକୁ ଆସୁନାହିଁ।

ଗତ ୩ ତାରିଖରେ ସର୍ଡା ପଞ୍ଚାୟତ ତିଲେଇମାଲ ଗ୍ରାମରେ ୧୮ କିଲୋ ବାର୍‌ହା ମାଂସ ସହ ଦେଶୀ ବନ୍ଧୁକ ଜବତ କରାଯାଇଥିଲା। ଏହି ଘଟଣାରେ ବନବିଭାଗ ଉକ୍ତ ଗ୍ରାମର ଜଣେ ଶିକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବୁଧବାର ପୁଣି ଉକ୍ତ ପଞ୍ଚାୟତ ପଥୁରିଆ ଗ୍ରାମରେ କୁଟୁରା ରନ୍ଧା ମାଂସ ପ୍ରସ୍ତୁତ କରୁଥିବା ବେଳେ ବନ ବିଭାଗ ଚଢ଼ଉ କରି ଦେଶୀ ବନ୍ଧୁକ ସହ ଜୁଆକିନ ସୋରେନ (୫୫)କୁ ଧରିଥିଲା। ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ, ଅପରାହ୍‌ଣରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ରେଞ୍ଜ ଅଫିସର ରେଶ୍ମା ଜାମୁଡ଼ାଲିଆଙ୍କ ନିର୍ଦ୍ଦେଶରେ ଫରେଷ୍ଟର ଦୁଷ୍ମନ୍ତ କାଲୋ, ଫରେଷ୍ଟ ଗାର୍ଡ ଶୁଭେନ୍ଦୁ ସାହୁ, କୃପାସିନ୍ଧୁ ପଧାନ, କ୍ଷୀରୋଦିନୀ ରଣା ପ୍ରମୁଖ ଚଢ଼ଉରେ ସାମିଲ୍ ଥିଲେ।

ସମ୍ବନ୍ଧିତ ଖବର