ଜିଲ୍ଳାର ବିକାଶ ଦିଗରେ ତତ୍ପରତା ଦେଖାଇଥିଲେ ଆଇଏଏସ୍‌ ସ୍ୱଧାଦେବ ସିଂହ; ମନେ ରଖିବେ ରାୟଗଡ଼ାବାସୀ

ରାୟଗଡ଼ଶ: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ୧୭ ଜିଲ୍ଳାର ଜିଲ୍ଳାପାଳଙ୍କୁ ବଦଳି କରାଯାଇଛି। ଏହି କ୍ରମରେ ରାୟଗଡ଼ା ଜିଲ୍ଳାପାଳ ସ୍ୱଧାଦେବ ସିଂହଙ୍କୁ ନୟାଗଡ ଜିଲ୍ଳାପାଳ ଭାବେ ବଦଳି କରାଯାଇ ଥିବା ବେଳେ ଆରଆର-୨୦୧୯ ଆଇଏଏସ ବ୍ୟାଚ ମନୋଜ ସତ୍ୟବାନ ମହାଜନଙ୍କୁ ରାୟଗଡା ଜିଲ୍ଳାପାଳ ଭାବେ ନିଯୁକ୍ତ କରିଛନ୍ତି। ଶ୍ରୀ ମହାଜନ ସୁନ୍ଦରଗଡ ଜିଲ୍ଳାର ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ତୁୁଲାଉଥିଲେ। ରାୟଗଡା ଜିଲ୍ଳାପାଳ ସ୍ୱଧାଦେବ ସିଂହ ଗତ ୨୦୨୨ବର୍ଷ ମେ’ମାସ ୨୨ତାରିଖରେ ଜିଲ୍ଳାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଳାରେ ସରକାରଙ୍କ ସମସ୍ତ ଯୋଜନା ଲୋକଙ୍କ ଠାରେ ପହଂଚାଇବା ସହ ଜିଲ୍ଳାର ବିକାଶ ଦିଗରେ ସେ ସବୁବେଳେ ତତ୍ପରତା ପ୍ରକାଶ କରିଥିଲେ।

ରାୟଗଡାରେ ତାଙ୍କ ୧ବର୍ଷ ୯ମାସ ଚାକିରି କାଳରେ ୫୦୬ଏକର ଜେଏସକୋ କମ୍ପାନି ଜମି ସରକାରୀ ଖାତାକୁ ଫେରିଇ ଆଣିଥିବା ବେଳେ ଜିଲ୍ଳାର ସମସ୍ତ ତହସିଲର ଖତିଆନ୍ କମ୍ପ୍ୟୁଟରୀକରଣ, କାଡାଷ୍ଟ୍ରାଲ ମ୍ୟାପ୍ ଆଧୁନିକୀକରଣ, ଖତିଆନ୍ ସହ କାଡାଷ୍ଟ୍ରାଲ ମ୍ୟାପ୍ ସଂଯୋଗୀକରଣ, ଅନଲାଇନ ଜମି ପଂଜୀକରଣ, ରେକର୍ଡ ରୁମ୍ ଆଧୁନିକୀକରଣ ଆଦିର ମାପଦଣ୍ଡରେ ଶତପ୍ରତିଶତ ଲକ୍ଷ୍ୟ ଧାର୍ଯ୍ୟ ହାସଲ କରିଥିବାରୁ ରାୟଗଡା ଜିଲ୍ଳାକୁ ପ୍ଳାଟିନମ୍ ଗ୍ରେଡର ସଫଳତା ମିଳିଥଲା। ଏଥିପାଇଁ ଦିଲ୍ଳୀ ଠାରେ ରାଷ୍ଟ୍ରପତିଙ୍କ ହାତରୁ ଭୂମି ସମ୍ମାନ ଗ୍ରହଣ କରି ସମ୍ମାନିତ ହୋଇ ଜିଲ୍ଳାକୁ ଗୈାରବାନ୍ନିତ କରିଥିଲେ।

ସେହିପରି ଜିଲ୍ଳାପାଳ ସ୍ୱଧାଦେବ ସିଂହଙ୍କ ସମୟରେ ଡଙ୍ଗରିଆ କନ୍ଧଙ୍କ ଏମ୍ବରୋଇଡ୍ ଶାଲ ‘କପଡାଗୁନ୍ଦା’ ଓ ଲାଂଜିଆ ସୌରାଙ୍କ ଇଡତାଲ ଜିଆଇ ଟ୍ୟାଗ ପାଇପାରିଛି। ରାଜ୍ୟ ସରକାରଙ୍କ ୫-ଟି ଯୋଜନାରେ ଜିଲ୍ଳାର ହାଇସ୍କୁଲ ଗୁଡିକର ରୂପାନ୍ତରିତ କାର୍ଯ୍ୟକ୍ରମକୁ ଅତି ନିକଟରୁ ତଦାରଖ କରିବା ସହ ଆମ ଓଡ଼ିଶା ନବୀନ ଓଡ଼ିଶା, ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଆଦି କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା ନିମନ୍ତେ ପଦକ୍ଷେପ ଗ୍ରହଣ କରୁଥିଲେ। ମିସନ ଶକ୍ତି ମାଧ୍ୟମରେ ଜିଲ୍ଳାର ବିଭିନ୍ନ ସ୍ଥାନରେ ମିସନ କାଫେ ଖୋଲିବା, ଲକ୍ଷ୍ମୀ ବସ ଭଳି ଯୋଜନାରେ ଜିଲ୍ଳାବାସୀ କିଭଳି ଉପକୃତ ହୋଇପାରିବେ ସେଥିପ୍ରତି ସେ ଗୁରୁତ୍ୱ ଦେଇ ଆସୁଥିଲେ। ସେହିପରି ପାନୀୟ ଜଳ ପ୍ରକଳ୍ପ, ନେଟୱାର୍କିଂ ବ୍ୟବସ୍ଥା, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ କ୍ଷେତ୍ରର ବିକାଶ ଦିଗରେ ଜିଲ୍ଳାପାଳ ସ୍ୱଧାଦେବ ସିଂ ଅଧିକ ଗୁରୁତ୍ୱ ଦେଇଆସୁଥିଲେ।

ସମ୍ବନ୍ଧିତ ଖବର