ସୁନ୍ଦରଗଡ଼: ଏଣିକି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୪୧ ଶହ ଟଙ୍କା। ସରକାରଙ୍କ କୃଷି ଓ କୃଷକ ସଶକ୍ତୀରଣ ବିଭାଗ କେବଳ ଏହା ଘୋଷଣା କରିନାହିଁ, ପାଇଲଟ୍ ପ୍ରକଳ୍ପ ଭାବେ କାର୍ଯ୍ୟକାରୀ ମଧ୍ୟ କଲାଣି। ତେବେ ଏଥିପାଇଁ ଚାଷୀଙ୍କୁ ରାସାୟନିକ ସାର ଓ ଶଙ୍କରଜାତୀୟ ଧାନଠାରୁ ମୁହଁ ମୋଡ଼ିବାକୁ ପଡ଼ିବ। ଆପଣେଇବାକୁ ପଡ଼ିବ ଜୈବିକ ପଦ୍ଧତି ଓ ହଜିଯାଉଥିବା ପୁରୁଣା କିସମର ଦେଶୀ ଧାନ ଚାଷ। ଆମର ପୂର୍ବ ପୁରୁଷ ଯେଉଁ ବାସ୍ନା ଓ ଅଣବାସ୍ନା ଦେଶୀଧାନକୁ ଜୈବିକ ପଦ୍ଧତିରେ ବିନା ରାସାୟନିକ ସାର ପ୍ରୟୋଗରେ ଚାଷ କରୁଥିଲେ, ସେହି ପ୍ରଣାଳୀରେ ଚାଷ କରିବାକୁ ପଡ଼ିବ। ରସାୟନଯୁକ୍ତ ଚାଷ ଯୋଗୁ ମାଟିର ଉର୍ବରତା ଦିନକୁ ଦିନ କମି ଯାଉଥିବା ଓ ଖାଦ୍ୟ ବିଷଯୁକ୍ତ ହୋଇ ମଣିଷର ଶରୀର ଓ ପରିବେଶ ପ୍ରତି ବିପଦ ଡାକି ଆଣୁଥିବାରୁ ଜୈବିକ ପଦ୍ଧତିରେ ବିଲୁପ୍ତପ୍ରାୟ ଦେଶୀଧାନ ପୁଣି ଚାଷୀ କ୍ଷେତକୁ ଫେରାଇ ଆଣିବା ଲାଗି କୃଷି ବିଭାଗ ଏଭଳି ସୁଚିନ୍ତିତ ଯୋଜନା ଆରମ୍ଭ କରିଛି।
ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ଗତବର୍ଷଠାରୁ ବାସ୍ନା ଓ ଅଣବାସ୍ନା ଧାନଚାଷ ନାମରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ପ୍ରଥମେ ପଥଦର୍ଶୀ ପ୍ରକଳ୍ପ (ପାଇଲଟ୍ ପ୍ରୋଜେକ୍ଟ) ଭାବେ ୨୦୨୩ରେ ରାଜଗାଙ୍ଗପୁର, ବଡ଼ଗାଁ, ଲେଫ୍ରିପଡ଼ା, ସବଡେଗା, ବାଲିଶଙ୍କରାରେ ୧ ହଜାର ହେକ୍ଟରରେ ଧାନ ଚାଷ କରାଯାଇଥିଲା। ୨୦୨୪ରେ ସେଥିରେ ଗୁରୁଣ୍ଡିଆ ଓ ବଣାଇ ବ୍ଲକ୍ ଯୋଡ଼ି ହୋଇ ପହଞ୍ଚିଥିଲା ୫୩୦୦ ହେକ୍ଟରରେ। ଚଳିତ ବର୍ଷ ସୁନ୍ଦରଗଡ଼ ସଦର ବ୍ଲକ୍ ସହିତ ୯ଟି ବ୍ଲକ୍ର ୮୩୦୦ ହେକ୍ଟର ଜମିରେ ଜୈବିକ ପଦ୍ଧତିରେ ଦେଶୀ ଧାନ ଚାଷ କରାଯାଇଛି। ଜିଲ୍ଲାରେ କଳା ଚମ୍ପା, କେତକୀ ଜୁହି, ବାଦଶା ଭୋଗ, ସୁଗନ୍ଧା, ଗୀତାଞ୍ଜଳି, ପିମ୍ପୁଡ଼ିବାସ ଆଦି ବିଲୁପ୍ତ ପ୍ରାୟ ଧାନଚାଷ କରାଯାଇଛି। ଚାଷୀଙ୍କ ମନରେ ଆଗ୍ରହ ସୃଷ୍ଟି ପାଇଁ ସରକାର ସହାୟତା ଯୋଗାଇ ଦେଇଛନ୍ତି। ପ୍ରଥମ ବର୍ଷ ଚାଷୀଙ୍କୁ ଏକର ପିଛା ୧୮ କିଲୋ ଧାନବିହନ ସହ ହେକ୍ଟର ପିଛା ୫୦୦୦ ଟଙ୍କା ପ୍ରୋତ୍ସାହନ ରାଶି ଓ ଜୈବିକ ସାର ପ୍ରଦାନ କରାଯାଇଥିଲା। ସେହିପରି ଦ୍ବିତୀୟ ବର୍ଷ ୧୦ କିଲୋ ଧାନ ବିହନ, ୪୦୦୦ ଟଙ୍କା ପ୍ରୋତ୍ସାହନ ରାଶି ଓ ଜୈବିକ ଖତ ଯୋଗାଇ ଦିଆଯାଇଛି। ତୃତୀୟ ବର୍ଷ ଏକର ପିଛା ୮ କିଲୋ ଧାନ ବିହନ, ୩୫୦୦ ଟଙ୍କା ପ୍ରୋତ୍ସାହନ ରାଶି ଓ ଜୈବିକ ସାର ଯୋଗାଇ ଦିଆଯାଇଛି। କେବଳ ସେତିକି ନୁହେଁ, ଚାଷୀଙ୍କ ଆୟ ଦ୍ବିଗୁଣିତ କରିବାକୁ ଏଫଏକ୍ୟୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୪୧ ଶହ ଟଙ୍କା ରଖାଯାଇଛି।
ପୂର୍ବ ବର୍ଷମାନଙ୍କରେ ଏହି ମୂଲ୍ୟରେ ଚାଷୀଙ୍କଠାରୁ ଧାନ କିଣାଯାଇଥିବା କୃଷି ବିଭାଗ ସୂତ୍ରରୁ ପ୍ରକାଶ। ଏଥିପାଇଁ ପ୍ରତି ଶହେ ହେକ୍ଟରରେ ଗୋଟିଏ ସ୍ବତନ୍ତ୍ର ମଣ୍ଡି ଖୋଲା ଯାଇଥିବା ବେଳେ ଚଳିତ ବର୍ଷ ଜିଲ୍ଲାରେ ୮୦ଟି ମଣ୍ଡି ଖୋଲିବାର ଯୋଜନା ରହିଛି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ କୃଷକ ଉତ୍ପାଦକ ସଂଘ ଦ୍ୱାରା ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହା ଉଭୟ ଚାଷୀ ଓ ଚାଷ ପାଇଁ ଯୁଗାନ୍ତକାରୀ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଲାଲବିହାରୀ ମଲ୍ଲିକ। ଜୈବିକ ପଦ୍ଧତି ଓ ଦେଶୀ ଧାନ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଥିବା ସେ କହିଛନ୍ତି। ଏହି ବର୍ଷ ଚାଷ ପାଇଁ ପରିବେଶ ଅନୁକୂଳ ଥିବାରୁ ଅମଳ ବହୁତ ଭଲ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଚାଷୀମାନେ କିଭଳି ଏହି ଯୋଜନାର ସମ୍ପୂର୍ଣ୍ଣ ଲାଭ ଉଠାଇ ବିଷମୁକ୍ତ ଖାଦ୍ୟ ଓ ପରିବେଶ ତିଆରିରେ ପ୍ରମୁଖ ଭୂମିକା ଗ୍ରହଣ କରିବେ, ସେ ଦିଗରେ କୃଷି ବିଭାଗ ପ୍ରୋତ୍ସାହନ ଦେଉଛି।