ପୁରୀ: ଶ୍ରୀମନ୍ଦିର ନାଟମଣ୍ଡପ ବିମ୍ ପୁନଃ ମରାମତି କାମ ଆଜିଠାରୁ ଆରମ୍ଭ ହୋଇଛି। ବିମ୍ରେ ଫାଟ ଥିବାରୁ ଦୃଢ଼ ତଥା ଶକ୍ତ ଭାରା ଆବଶ୍ୟକ ରହିଛି। ତେଣୁ ପୂର୍ବରୁ ବନ୍ଧା ଯାଇଥିବା ଭାରା ଖୋଲାଯାଇଛି। ଆଜି ଦିନ ପ୍ରାୟ ସାଢ଼େ ୧ରୁ କାମ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା। ଶନିବାର ୱାର୍କିଂ ପ୍ଲାଟ୍ଫର୍ମ ତଥା ଶକ୍ତ ଭାରା ନିର୍ମିତ ହେବ। ଏହା ଉପରେ କାରିଗରମାନେ ଡିଜାଇନ ମୁତାବକ ୪ଟି ଷ୍ଟେନ୍ଲେସ ଭାରା ପ୍ରସ୍ତୁତ କରିବେ। ଗରୁଡ଼ ସ୍ତମ୍ଭ ସମ୍ମୁଖ ଭାଗରେ ଥିବା ବିମ୍ରେ ଫାଟ ଥିବାରୁ ଏହାକୁ ୪ଟି ଷ୍ଟିଲ ବିମ୍ ସହାୟତାରେ ସପୋର୍ଟ ଦିଆଯିବ।
ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)ର ପୁରୀ ସର୍କଲ ଅଧିକାରୀ ଜ୍ୟୋତିରଂଜନ ପ୍ରଧାନ କହିଛନ୍ତି, ଆଜି କେବଳ ପୂର୍ବ ଲୁହା ଭାରା ଖୋଲାଯାଇଛି। ଆସନ୍ତାକାଲିଠାରୁ ବିମ୍ ମରାମତି ପାଇଁ ସ୍ବତନ୍ତ୍ର ମଞ୍ଚା ପ୍ରସ୍ତୁତ ହେବ। ଏଏସ୍ଆଇ କୋର୍ କମିଟି ପକ୍ଷରୁ ନିର୍ଦ୍ଧାରିତ ଡିଜାଇନ୍ ମୁତାବକ ବିମ୍କୁ ଢିରା ଦେବାଭଳି ୪ଟି ଷ୍ଟେନ୍ଲେସ ବିମ୍ ପ୍ରସ୍ତୁତ ହେବ। ଏଣେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମାର୍ଚ୍ଚ ୧୯ ମଧ୍ୟରେ ବିମ୍ ନିର୍ମାଣ କାର୍ଯ୍ୟ ସରିବା ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି। ପୂର୍ବରୁ ନାଟମଣ୍ଡପ ଉପରିଭାଗରେ ୧୦ରୁ ଅଧିକ ଅଂଶରେ ମରାମତି କରାଯାଇଛି। ନାଟମଣ୍ଡପ ଓ ଜଗମୋହନ ସଂଯୋଗସ୍ଥଳରେ ଯେଉଁ ପାଣି ଗଳୁଥିଲା ତାହାକୁ ସଫା କରି ମରାମତି କରାଯାଇଛି। ଗରୁଡ଼ସ୍ତମ୍ଭର ପୂର୍ବ ପଟେ ନାଟ ମଣ୍ଡପରେ କ୍ୟାପିଟାଲ୍ ବିମର ଫାଟକୁ ଅନୁଧ୍ୟାନ କରାଯାଇଥିଲା ବୋଲି ସେ କହିଛନ୍ତି।
ଗତ ନଭେମ୍ବର ୧୬ରୁ ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ କାର୍ତ୍ତିକ ମାସ ନୀତି ଓ ଦୈନନ୍ଦିନ ଭକ୍ତଙ୍କ ଭିଡ଼ ଯୋଗୁ ମରାମତି କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଆଜି ନାଟମଣ୍ଡପ ବିମ୍ ମରାମତି କାର୍ଯ୍ୟ ଲାଗି ଆଜି ରାତି ୩ଟା ୪୫ରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହୋଇଥିଲା। ସକାଳ ୯ଟା ୧୦ ସୁଦ୍ଧା ସକାଳ ଧୂପ ଶେଷ ହୋଇଥିଲା। ୯ଟା ୫୦ରେ ଭୋଗ ମଣ୍ଡପ ଉଠିବା ପରେ ମଇଲମ ଓ ବେଶ ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନ ଧୂପ ପୂଜା ପରେ ସାଢ଼େ ୧ଟା ବେଳକୁ ଏଏସ୍ଆଇକୁ କାମ ଆରମ୍ଭ କରିବାକୁ ସୁଯୋଗ ମିଳିଥିଲା। ଏଣେ ନାଟମଣ୍ଡପ ମରାମତି କାର୍ଯ୍ୟ ସମୟରେ ଗରୁଡ଼ ସ୍ତମ୍ଭଠାରୁ ବାହାର କାଠ ପର୍ଯ୍ୟନ୍ତ ଭକ୍ତଙ୍କ ପ୍ରବେଶ ନିଷେଧ ରହିଥିଲା। ଭକ୍ତମାନେ ସାତ ପାହାଚ, ଗାରଦ, ଘଣ୍ଟି ଦ୍ୱାର ଓ ଜୟ ବିଜୟ ଦ୍ୱାର ଦେଇ ଦର୍ଶନ କରିଥିଲେ। ପଣ୍ଡା ଦ୍ୱାର ଓ ବେହେରଣ ଦ୍ୱାର ଦେଇ ଭକ୍ତ ପ୍ରସ୍ଥାନ କରିଥିଲେ।