ପୁରୀ: ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଉତ୍ତରଦ୍ବାରରେ ଦିବ୍ୟାଙ୍ଗ ରାମ୍ପ୍‌ ନିର୍ମାଣ କରାଯିବ। ପଥରରେ ଏହି ରାମ୍ପ୍‌ ନିର୍ମାଣ ହେବ। ଅକ୍ଟୋବରରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏଥିସହ ଶ୍ରୀମନ୍ଦିର ନାଟମଣ୍ଡପ ଓ ଅନ୍ୟାନ୍ୟ ମରାମତି କାମ ଅକ୍ଟୋବରରୁ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ଏହା ପୂର୍ବରୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗକୁ ଅଗଷ୍ଟ ୨୮ ତାରିଖ ସୁଦ୍ଧା ଆବଶ୍ୟକ ମରାମତିର ଏକ ବିସ୍ତୃତ ରିପୋର୍ଟ ଦେବାକୁ ଶ୍ରୀମନ୍ଦିର ପ୍ରଶାସନ କହିଛି।

Advertisment

ଶ୍ରୀମନ୍ଦିର ନାଟମଣ୍ଡପ ଓ ଅନ୍ୟାନ୍ୟ ମରାମତି ଉପରେ ଶ୍ରୀମନ୍ଦିର ପ୍ରଶାସନ ସହ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଭୁବନେଶ୍ବର ମଣ୍ଡଳ ଅଧୀକ୍ଷକ ଡ. ଡି ବି ଗଡ଼ନାୟକ, ସହକାରୀ ଅଧୀକ୍ଷକ ଚିତ୍ତରଞ୍ଜନ ଦାସ, ବିଶେଷଜ୍ଞ ଏନ୍‌ସି ପାଲ୍‌, ବିନ୍ଧେଶ୍ବର ପାତ୍ର, ପ୍ରତ୍ନତତ୍ତ୍ବ ବିଭାଗ ନିର୍ଦ୍ଦେଶକ(ସଂରକ୍ଷଣ) ଭୀମ ଆଜ୍‌ମିରା, ବରିଷ୍ଠ ସଂରକ୍ଷକଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନର ବୈଷୟିକ ଦଳ ଉପସ୍ଥିତ ଥିଲେ। ବୈଠକ ପରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଅଧୀକ୍ଷକ ଡ. ଗଡ଼ନାୟକ କହିଛନ୍ତି, ରଥଯାତ୍ରା ସମୟରେ ଶ୍ରୀମନ୍ଦିର କେଉଁ କେଉଁ ମରାମତି କାମ କରାଯାଇଛି ଓ କେଉଁ କାମ ବାକି ରହିଛି, ତାର ସମୀକ୍ଷା କରାଯାଇଥିଲା।

ଶ୍ରୀମନ୍ଦିର ପ୍ରଶାସନ-ପ୍ରତ୍ନତତ୍ତ୍ବ ବିଭାଗ ବୈଠକ
ଶ୍ରୀମନ୍ଦିର ଉତ୍ତରଦ୍ବାରରେ ହେବ ଦିବ୍ୟାଙ୍ଗ ରାମ୍ପ୍‌
ଅଗଷ୍ଟ ୨୮ ସୁଦ୍ଧା ବିସ୍ତୃତ ରିପୋର୍ଟ ଦେବ ପ୍ରତ୍ନତତ୍ତ୍ବ ବିଭାଗ
ଅକ୍ଟୋବରରୁ ଆରମ୍ଭ ହେବ ନିର୍ମାଣ

ନାଟମଣ୍ଡପରେ ଫାଟ ରହିଛି। ୫ ବର୍ଷ ହେଲା ଏହାର ଅନୁଧ୍ୟାନ କରାଯାଉଛି। ଫାଟ ବଢ଼ିନି। ଭୟଭୀତ ହେବାର କାରଣ ନାହିଁ। ତଥାପି ଏହାର ତୁରନ୍ତ ମରାମତି କରିବାକୁ ଚିନ୍ତା କରୁଛୁ। ଷ୍ଟ୍ରକ୍‌ଚର ଡିଜାଇନ୍‌ ଅନୁମୋଦନ ପରେ ମରାମତି କାମ ଆରମ୍ଭ ହେବ। ଗରୁଡ଼ ସ୍ତମ୍ଭ ଉପରେ ଓ ଜଗମୋହନ ସମ୍ମୁଖ ଭାଗରେ ବିଭିନ୍ନ ସ୍ଥାନରେ ଫାଟ ରହିଛି। ଜଗମୋହନ ଭିତର ପାର୍ଶ୍ବ ଯେଭଳି ମରାମତି କରାଯାଇଥିଲା, ନାଟମଣ୍ଡପର ସେଭଳି ମରାମତି କରିବୁ। ଉତ୍ତରଦ୍ବାର ଗୁମୁଟ ଦେଇ ଦିବ୍ୟାଙ୍ଗମାନଙ୍କ ସୁବିଧାର ଦର୍ଶନ ପାଇଁ ପଥରର ସ୍ଥାୟୀ ରାମ୍ପ୍ କରାଯିବ। ଯଦ୍ବାରା ଗୋଡ଼ ଖସିବନି। ସେହିଭଳି ଇତିମଧ୍ୟରେ ନୂଆ କୋର କମିଟି ଗଠନ ହୋଇଛି। ନୂତନ କୋର୍‌ କମିଟିର ପରାମର୍ଶ ନେବୁ। ଏହାସହ ଆଇଆଇଟି ଖଡ଼ଗପୁର, ଅନ୍ୟ ବୈଷୟିକ ଜ୍ଞାନ ଥିବା ବ୍ୟକ୍ତିବିଶେଷଙ୍କ ଆବଶ୍ୟକ ପରାମର୍ଶ ନେଇ ମରାମତି ହେବ। ଷ୍ଟ୍ରକଚରାଲ୍‌ ଡିଜାଇନ୍‌ ଅନୁମୋଦନ ହେବା ମାତ୍ରେ ଆମେ ମରାମତି କାମ ଆରମ୍ଭ କରିଦେବୁ ବୋଲି ଡ. ଗଡ଼ନାୟକ କହିଛନ୍ତି।