ପୁରୀରେ ନାଟୁଆକୁ ମଞ୍ଚ ମିଳିଗଲା

ପୁରୀ: ଭଞ୍ଜ ମାଟିରେ ଜନ୍ମ ନେଇଥିଲେ, କିନ୍ତୁ ପୁରୀ ମାଟି ସହ ମିହିର ଦାସ ଥିଲେ ଅତି ଅନ୍ତରଙ୍ଗ। ମିହିର ଦାସଙ୍କ ବାପା ପ୍ରସନ୍ନ କୁମାର ଦାସ ପୁରୀକୁ ବଦଳି ହୋଇ ଆସିବା ପରେ ମିହିର ଦାସଙ୍କ ଜୀବନର କିଛି ବର୍ଷ ପୁରୀ ସହରରେ ବିତିଥିଲା। ପୁରୀ ଜିଲ୍ଲା ସ୍କୁଲ୍‌ରେ ୯ମ ଶ୍ରେଣୀରୁ ଏକାଦଶ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ। ତେଣୁ କେବେ ଯଦି ସ୍କୁଲ୍‌ ସହପାଠୀଙ୍କଠାରୁ ଜିଲ୍ଲା ସ୍କୁଲ୍‌ ଆସିବା ପାଇଁ ଡାକରା ପାଉଥିଲେ ତୁରନ୍ତ ଚାଲି ଆସୁଥିଲେ। ସ୍କୁଲ୍‌ରେ ନିଜେ ବସୁଥିବା ଶ୍ରେଣୀଗୃହରେ ସେ ସେତେବେଳେ ବସୁଥିବା ସିଟ୍‌ରେ ବସି ପଡ଼ୁଥିଲେ। ଏଥିରେ ତାଙ୍କ ମୁହଁରେ ଯେମିତି ସେଇ ପିଲାଳିଆମି ଭରି ଉଠୁଥିଲା ବୋଲି ସ୍କୁଲ୍‌ର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ମିଶ୍ର କହିଛନ୍ତି।

ଏହାବ୍ୟତୀତ ଛାତ୍ରାବସ୍ଥାରୁ ଅନ୍ନପୂର୍ଣ୍ଣା ଥିଏଟରରେ ‘ଶୁଣ ସୁଜନେ’ ନାଟକରେ ଅଭିନୟ କରିଥିଲେ। ବାରିପଦା ନାଟୁଆଙ୍କୁ ମଞ୍ଚ ମିଳିଗଲା ଭଳି ପୁରୀ ପାଲଟିଯାଇଥିଲା ଭାରି ଅନ୍ତରଙ୍ଗ। ସ୍କୁଲ୍‌ରେ ମଞ୍ଚସ୍ଥ ଅନ୍ୟତମ ନାଟକ ‘ହରିଶ୍ଚନ୍ଦ୍ର’ରେ ବି ସେ ଅଭିନୟ କରି ପ୍ରଶଂସା ସାଉଁଟିଥିଲେ। ସ୍କୁଲ୍‌ରେ ତାଙ୍କର ସହପାଠୀ ଥିବା ଗାଳ୍ପିକ ସ୍ବରାଜ ମିଶ୍ର କହିଛନ୍ତି, ଅଭିନୟ ନିଶାରେ ଏତେ ଚୂର ଥିଲେ ଯେ ଟିକେ ଫୁରସତ୍‌ ପାଇଲେ ନାଟକ ଦେଖିବାକୁ ଧାଉଁଥିଲେ। ଲକ୍ଷ୍ମୀ ଟକିଜ୍‌କୁ ଯାଇ ସିନେମା ଦେଖୁଥିଲେ। ସ୍କୁଲ୍‌ରେ ନାଟକ ହେଲେ ପ୍ର‌ଥମେ ଖୋଜା ପଡ଼ୁଥିଲେ ମିହିର। ୧୯୭୧-୭୨ ମସିହାରେ ସେ ୯ମ ଶ୍ରେଣୀରେ ପଢ଼ୁଥିବା ବ‌େଳେ ‘ସେମାନେ ଆସିଥିଲେ’ ନାଟକରେ ଇନ୍ଦ୍ର ଭୂମିକାରେ ଅଭିନୟ କରିଥିଲେ। ତେଣୁ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ତାଙ୍କର ପ୍ରଶଂସକ ପାଲଟି ଯାଇଥିଲେ। ବ୍ୟକ୍ତିଗତ ଭାବେ ସେ ଥିଲେ ସାଧାସିଧା ମଣିଷ। କାଳକ୍ରମେ ଅଭିନୟ‌ ଦୁନିଆରେ ସେ ସେଲେବ୍ରିଟି ପାଲଟି ଯାଇଥିଲେ ହେଁ ସବୁବେଳେ ଏଥିରୁ ମୁକୁଳି ସାଙ୍ଗମେଳରେ ସମୟ କାଟିବା ପାଇଁ ଚାହୁଁଥିଲେ ବୋଲି ଶ୍ରୀ ମିଶ୍ର କହିଛନ୍ତି। ପରିବାର ସୂତ୍ରରେ ତାଙ୍କ ସହ ମିଶିବାର ସୁଯୋଗ ପାଇଥିବା ହେକ୍ଟର ମିଶ୍ରଙ୍କ କହିବା ମୁତାବକ, ସେ କୁଣ୍ଢେଇବେଣ୍ଟ ସାହିରେ ରହୁଥିଲେ। ପୁରୀ ଜିଲ୍ଲା ସ୍କୁଲ୍‌ ସହ ଏହି ବିଶିଷ୍ଟ ଅଭିନେତାଙ୍କ ଅନ୍ତରଙ୍ଗତା ସବୁବେଳେ ମନେ ରହିବେ ବୋଲି ସେ କହିଛନ୍ତି। ସ୍କୁଲ୍‌ରେ ଅଭିନୟ ଜୀବନ ଆରମ୍ଭ ହୋଇଥିଲେ ହେଁ ପୁରୀ ଜିଲ୍ଲାରେ ଏହା ବିକଶିତ ହୋଇଥିଲା ବୋଲି ନିଜେ ଏକ ଆଲେଖ୍ୟରେ ସ୍ବୀକାର କରିଛନ୍ତି ମିହିର ଦାସ। ମିହିର ଦାସଙ୍କ ସହ ନାଟକରେ ଅଭିନୟ କରିଥିବା ବଦ୍ରି ମିଶ୍ରଙ୍କ କହିବା ମୁତାବକ, ସ୍କୁଲ୍‌ରେ ପଢ଼ିବା ବେଳେ ଦୁର୍ଗା ଶତପଥୀ ତଥା ଧୋଇ ସାର୍‌ଙ୍କ ନିର୍ଦ୍ଦେଶନାରେ ନାଟକ ‘ଶିଥିଳ ସନ୍ଧ୍ୟା’ରେ ମଧ୍ୟ ଅଭିନୟ କରିଥିଲେ। ସହପାଠୀ ହୋଇଥିଲେ ହେଁ ଧୋଇ ସାରଙ୍କ ନିର୍ଦ୍ଦେଶନାରେ ସେ ମୋ ପୁଅ ଏବଂ ମୁଁ ତାଙ୍କ ବାପା ଭୂମିକାରେ ଅଭିନୟ କରିଥିଲି ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର