ରାଜ୍ୟରେ ଆରମ୍ଭ ହେବ ପ୍ରାକୃତିକ କୃଷି କାର୍ଯ୍ୟକ୍ରମ

ସାମିଲ ‌ହେବେ ୫ ଆଦିବାସୀ ବହୁଳ ଜିଲ୍ଲାର ୧୩,୫୦୦ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ
ଓଡ଼ିଶା ସରକାର, ଆରୱାଇଏସ୍‌ଏସ୍‌ ସହିତ ଚୁକ୍ତିନାମା ସ୍ବାକ୍ଷରିତ

ଭୁବନେଶ୍ବର : ରାଜ୍ୟରେ ରାସାୟନିକ ପଦାର୍ଥ ରହିତ ପ୍ରାକୃତିକ କୃଷି କାର୍ଯ୍ୟକ୍ରମ ଆରମ୍ଭ ହେବ। ବିପର୍ଯ୍ୟୟ ନିରୋଧୀ ଓ ପରିବେଶ ଅନୁକୂଳ କୃଷି ଦିଗରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆନ୍ଧ୍ରପ୍ରଦେଶର ରାୟଥୁ ସ୍ବାଧୀକାର ସଂସ୍ଥା(ଆରୱାଇଏସ୍‌ଏସ୍‌) ଓ ଓଡ଼ିଶା ସରକାରଙ୍କ ଭିତରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି।

ଲୋକସେବା ଭବନରୁ ଡିଜିଟାଲ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଆନ୍ଧ୍ର ସରକାରଙ୍କ କୃଷି ଓ ସମବାୟ ପରାମର୍ଶଦାତା ଟି.ବିଜୟ କୁମାର, ଓଡ଼ିଶା ଅନୁସୂଚିତ ଜାତି, ଜନଜାତି ଉନ୍ନୟନ ବିଭାଗର ପ୍ରମୁଖ ସଚିବ ରଂଜନା ଚୋପ୍ରା, ମିସନ ଶକ୍ତି ବିଭାଗର ଶାସନ ସଚିବ ସୁଜାତା କାର୍ତିକେୟନ ଚୁକ୍ତିପତ୍ରରେ ସ୍ବାକ୍ଷର କରିଥିଲେ। ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ଆଦିବାସୀ ବହୁଳ ଅଞ୍ଚଳରେ ଆରମ୍ଭ ହେବ। ପ୍ରାୟ ୩.୧୫ ହେକ୍ଟର ଚାଷ ଜମିରେ ପ୍ରାକୃତିକ ପ୍ରଣାଳୀ ଚାଷ କରାଯିବ। କାର୍ଯ୍ୟକ୍ରମରେ ୧୩,୫୦୦ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ। ଏହି କାର୍ଯ୍ୟକ୍ରମକୁ କ୍ଲଷ୍ଟର ମୋଡରେ କରିବା ସହିତ ୫୦ଟି ଲେଖାଏ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଗୋଟିଏ ଗୋଟିଏ କ୍ଲଷ୍ଟର ଗଠନ କରାଯିବ। ୨୦୨୨/୨୩ ଆର୍ଥିକ ବର୍ଷରୁ କାର୍ଯ୍ୟକ୍ରମର ବାସ୍ତବ କ୍ଷେତ୍ରାନ୍ବୟନ କରିବା ସହିତ ଆସନ୍ତା ୫ବର୍ଷ ଭିତରେ ପ୍ରାକୃତିକ ଚାଷ କାର୍ଯ୍ୟକ୍ରମରେ ୩୧୧.୯୩ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ଜଣାପଡ଼ିଛି। କାର୍ଯ୍ୟକ୍ରମ ବାବଦରେ ମହିଳା ସ୍ବୟଂ ସହାୟକ ଗୋଷ୍ଟୀ ସଦସ୍ୟମାନଙ୍କୁ ତାଲିମ ଦିଆଯିବ। ସେମାନେ ରିସୋର୍ସ ପର୍ସନ ଭାବେ କାର୍ଯ୍ୟ କରିବେ। ଏହି ଗୋଷ୍ଠୀମାନଙ୍କୁ ଶସ୍ୟ ବିବିଧତା, ପ୍ରାଥମିକ ପର୍ଯ୍ୟାୟ ଜୈବ ସାର ପ୍ରସ୍ତୁତି, କୃଷି ପଦ୍ଧତି, ଅମଳ ପରବର୍ତୀ ପ୍ରକ୍ରିୟାକରଣ ପାଇଁ ଭିତ୍ତିଭୂମି ପ୍ରସ୍ତୁତି ଆଦି ପାଇଁ ସହାୟତା ଦିଆଯିବ। ଏହାବାଦ୍ ‘ପୋଷଣ ବଗିଚା’ ପ୍ରସ୍ତୁତ ପାଇଁ ସହଯୋଗ ଯୋଗାଇ ଦିଆଯିବ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ଆଧୁନିକ ପ୍ରଣାଳୀରେ ପ୍ରାକୃତିକ ଚାଷ ବର୍ତମାନ ଓ ଭବିଷ୍ୟତ ପିଢ଼ିଙ୍କ ପାଇଁ ଏକାନ୍ତ ଆବଶ୍ୟକ। ଏହି ପଦ୍ଧତିରେ କୃଷିକୁ ନିରନ୍ତର ଓ ବିପର୍ଯ୍ୟୟ ନିରୋଧୀ କରାଯାଇ ପାରିବ। ପ୍ରାକୃତିକ ଚାଷ କାର୍ଯ୍ୟକ୍ରମକୁ ଫଳପ୍ରଦ କରିବା ପାଇଁ ସଂପୃକ୍ତ ବିଭାଗମାନେ କ୍ଷେତ୍ରସ୍ତରରେ ପୂର୍ଣ୍ଣ ସମନ୍ବୟ ଓ ଏକାଭିମୁଖଭାବେ ଲଗାତାର ପ୍ରଚେଷ୍ଟା ଜାରି ରଖିବାକୁ ନିର୍ଦେଶ ଦେଇଥିଲେ।

ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା କହିଥିଲେ ପ୍ରାକୃତିକ ଚାଷ କାର୍ଯ୍ୟକ୍ରମ ଓଡ଼ିଶାରେ ପ୍ରଚଳିତ କୃଷି ଉତ୍ପାଦନ ସ୍ଥିତିକୁ ରୂପାନ୍ତରିତ କରିବ। ଲୋକମାନଙ୍କ ଭିତରେ ସ୍ବାସ୍ଥ୍ୟ ସଚେତନତା ବଢ଼ି ଚାଲିଥିବା ବେଳେ ଜୈବିକ ପଦ୍ଧତିରେ ଉତ୍ପାଦିତ ଖାଦ୍ୟ ଦ୍ରବର ଚାହିଦା ବଢ଼ୁଥିବାରୁ ଏହି ଚାଷ ମଧ୍ୟ ଆୟ ବୃଦ୍ଧି କରିବାରେ ସହାୟକ ହୋଇପାରିବ। ଅନ୍ୟମାନଙ୍କ ମଧ୍ୟରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ନିର୍ଦେଶକ ଗୁହା ପୁନମ ତାପସ କୁମାର, ମିସନ ଶକ୍ତି ଓ ଓଡ଼ିଶା ଜନଜାତି ଉନ୍ନୟନ ସମାଜର ବରିଷ୍ଠ ଅଧିକାରୀ, ଜିଲ୍ଲା ଆଇଟିଡିଏର ପ୍ରକଳ୍ପ ଅଧିକାରୀମାନେ ବୈଠକରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର