ପ୍ରାକୃତିକ ବିପର୍ଯ୍ୟୟରେ କେନ୍ଦ୍ରର ସହାୟତା : ମାଗିଥିଲେ ୨୬ ହଜାର କୋଟି, ମିଳିଛି ୧୪ ହଜାର କୋଟି

ଭୁବନେଶ୍ବର : ୨୦୦୯-୧୦ ରୁ ୨୦୧୯-୨୦ ମଧ୍ୟରେ ଓଡ଼ିଶାରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ହୋଇଛି। ଏସବୁ ବାବଦରେ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କୁ ୨୬ ହଜାର ‌୬୩୫ କୋଟି ଟଙ୍କାର ସହାୟତା ମାଗିଥିଲେ। କିନ୍ତୁ କେନ୍ଦ୍ର ସରକାରଙ୍କ ଠାରୁ ସହାୟତା ରାଶି ଏବଂ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ମିଳିଛି ମୋଟ୍‌ ୧୪ ହଜାର ୬୭୩ କୋଟି ଟଙ୍କା।

ଆଜି ବିଧାନସଭାରେ ଚକ୍ରମଣି କହଁରଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ୨୦୦୯-୧୦ରେ ଘୂର୍ଣ୍ଣିଝଡ଼, ବନ୍ୟା ଓ ମରୁଡ଼ି ବାବଦରେ ରାଜ୍ୟ ସରକାର ୨୨୫୭ କୋଟି ଟଙ୍କା ମାଗିଥିଲା ବେଳେ ମିଳିଥିଲା ୨୩୩.୯୭ କୋଟି। ୨୦୧୦-୧୧ରେ ବନ୍ୟା, ପ୍ରବଳ ବୃଷ୍ଟିପାତ, ମରୁଡ଼ି ଓ ଅସମୟରେ ବୃଷ୍ଟିପାତ ପାଇଁ ହୋଇଥିବା କ୍ଷୟକ୍ଷତି ବାବଦରେ ରାଜ୍ୟ ସରକାର ମାଗିଥିଲେ ୨୬୧୬.୧୯ କୋଟି ଟଙ୍କା। କିନ୍ତୁ ମିଳିଲା ୧୧୪୫.୪୯ କୋଟି ଟଙ୍କା। ୨୦୧୧-୧୨ରେ ବନ୍ୟା ପାଇଁ ୩୨୬୫.୩୮ କୋଟି ଟଙ୍କା ସହାୟତା ମଗାଯାଇଥିଲା ବେଳେ ମିଳିଥିଲା ୧୮୫୯.୮୩ କୋଟି। ୨୦୧୨-୧୩ରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ୫୪୪.୮୯ କୋଟି ଟଙ୍କା ମିଳିଥିଲା। ୨୦୧୩-୧୪ରେ ଫାଇଲିନ୍ ଓ ବନ୍ୟା ବାବଦକୁ ରାଜ୍ୟ ମାଗିଥିଲା ୫୮୩୨.୫୦ କୋଟି ଟଙ୍କା। କିନ୍ତୁ ମିଳିଲା ୨୫୯୯.୩୧ କୋଟି ଟଙ୍କା। ୨୦୧୪-୧୫ରେ ହୁଡ୍‌ହୁଡ୍‌ ପାଇଁ ସରକାର ମାଗିଥିଲେ ୭୭୭.୧୨ କୋଟି ଟଙ୍କା। କିନ୍ତୁ ମଳିଲା ୪୦୦.୪୯ କୋଟି ଟଙ୍କା। ୨୦୧୫-୧୬ରେ ମରୁଡ଼ି ବାବଦକୁ ରାଜ୍ୟ ସରକାର ୨୩୪୪.୯୯ କୋଟି ଟଙ୍କା ମାଗିଥିଲା ବେଳେ ମିଳିଥିଲା ୧୪୮୦.୩୦ କୋଟି। ୨୦୧୬-୧୭ ଓ ୨୦୧୭-୧୮ରେ ରାଜ୍ୟର କୌଣସି ପ୍ରାକୃତିକ ବିପର୍ଯ୍ୟୟ ହୋଇ ନ ଥିଲେ ବି ରାଜ୍ୟକୁ ମିଳିଥିଲା ଯଥାକ୍ରମେ ୫୩୫.୬୭ କୋଟି ଓ ୯୫୬.୫୬ କୋଟି ଟଙ୍କା। ୨୦୧୮-୧୯ରେ ତିତିଲି ଓ ମରୁଡ଼ି ପାଇଁ ରାଜ୍ୟ ସରକାର ୪୩୧୪.୧୪ କୋଟି ଟଙ୍କା ମାଗିଥିଲା ବେଳେ ମିଳିଥିଲା ୨୫୯୪.୧୪ କୋଟି ଟଙ୍କା। ୨୦୧୯-୨୦ରେ ଫନି ପାଇଁ ରାଜ୍ୟ ସରକାର ୫୨୨୭.୬୮ କୋଟି ଟଙ୍କା ମାଗିଛନ୍ତି। ଏ ପର୍ଯ୍ୟନ୍ତ ସହାୟତା ରାଶି ବାବଦକୁ ୭୮୮.୮୮ କୋଟି ଟଙ୍କା ଏବଂ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ୧୫୨୪.୨୯ କୋଟି ଟଙ୍କା ମିଳିଛି।

ସମ୍ବନ୍ଧିତ ଖବର