ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା: ସବୁ ବିଭାଗ ସଜାଗ ରହିବାକୁ ନିର୍ଦେଶ

ବଲାଙ୍ଗୀର: ବଲାଙ୍ଗୀର ଡିଆର୍‌ଡିଏ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ପରିଷଦ ସଭ‌ାପତି ଦେବକୀ ସାହୁ, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ବଲାଙ୍ଗୀର ବିଧାୟକଙ୍କ ପ୍ରତିନିଧି ମନୀଷ ମିଶ୍ର, ଲୋଇସିଂହା ବିଧାୟକଙ୍କ ପ୍ରତିନିଧି ଦେବୀଲାଲ ମିଶ୍ର, ପୌର ଅଧ୍ୟକ୍ଷା ଲିକା ସାହୁ, କଣ୍ଟାବାଞ୍ଜି ଏନ୍‌ଏସି ଅଧ୍ୟକ୍ଷ ବରିୟାମ ସିଂ ସାଲୁଜା, ତୁଷୁରା ଏନ୍‌ଏସି ଅଧ୍ୟକ୍ଷ ଅଜୟ ଜୟଶ୍ୱାଲ, ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ସିଂ ଲାଗୁରୀ, ଅତିରିକ୍ତି ଆରକ୍ଷୀ ଅଧୀକ୍ଷକ ଦିଲୀପ ପଟେଲ, ପିଡି ଡିଆର୍‌ଡିଏ ସୁଶାନ୍ତ ସିଂହ, ସୁଦର୍ଶନ ସାଏ, ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ପାଟଣାଗଡ଼ ଉପଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ବିଡିଓ, ତହସିଲଦାର, ଅଗ୍ନିଶମ ଏବଂ ଓଡ୍ରାଫ ଅଧିକାରୀମାନେ ଉପସ୍ଥିତ ଥିଲେ।

ବୈଠକରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ଏବଂ ବନ୍ୟା, ବତ୍ୟାର ମୁକାବିଲା ନିମନ୍ତେ ଆଗୁଆ ପଦକ୍ଷେପ ନେବା ସହ ଏହାର ସୁପରିଚାଳନା ନିମନ୍ତେ ବିଭାଗୀୟ ଅଧିକାରୀ ତଥା କ୍ଷେତ୍ର କର୍ମଚାରୀମାନେ ସଜାଗ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ଲାଗୁରୀ ବୈଠକରେ ଆଲୋଚନା ବିଷୟବସ୍ତୁ ଉପସ୍ଥାପନ କରିଥିଲେ। ବୈଠକର ନିଷ୍ପତ୍ତି ପ୍ରକାରେ ଜୁନ୍‌ ମାସ ୧ ତାରିଖରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲା କାର୍ଯ୍ୟାଳୟ, ଉପଜିଲ୍ଲାପାଳ କାର୍ଯ୍ୟାଳୟ, ସମସ୍ତ ବ୍ଲକ୍‌, ତହସିଲ ଓ ଜରୁରୀ ସେବା ଯୋଗାଇବା କାର୍ଯ୍ୟାଳୟଗୁଡ଼ିକରେ କଣ୍ଟ୍ରୋଲରୁମ୍‌ ଖୋଲାଯିବ। ଜିଲ୍ଲାର ବନ୍ୟାପ୍ରବଣ ଅଞ୍ଚଳ ତଥା ତଳି ଅଞ୍ଚଳଗୁଡ଼ିକରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିରେ ଜନସାଧାରଣଙ୍କୁ ଉଦ୍ଧାର ଓ ଥଇଥାନ କରିବା ନିମନ୍ତେ ଅସ୍ଥାୟୀ ଆଶ୍ରୟସ୍ଥଳୀଗୁଡ଼ିକ ଚିହ୍ନଟ କରି ପ୍ରସ୍ତୁତ କରି ରଖିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ।

ଜିଲ୍ଲାରେ ପାଣି ଜମି ରହୁଥିବା ସ୍ଥାନଗୁଡ଼ିକ ଚିହ୍ନଟ କରି ଯଥାଶୀଘ୍ର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା, ବର୍ଷା ପୂର୍ବରୁ ସମସ୍ତ ନାଳା ସଫା କରିବା, ପୌର ପରିଷଦ ଅନ୍ତର୍ଗତ ଲକ୍ଷ୍ମୀ ଯୋରର ସଫେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଜଳ ଯୋଗାଣକୁ ସୁବନ୍ଦୋବସ୍ତ କରିବା ସହ ନିୟମିତ ବ୍ୟବଧାନରେ ସମସ୍ତ ନଳକୂପ ପାଇପ ଜଳ ଯୋଗାଣ, କୂପ ଇତ୍ୟାଦିକୁ ବିଶୁଦ୍ଧ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା। ଜିଲ୍ଲାରେ ଥିବା ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ତଥା ଜିଲ୍ଲା ଓ ଉପଖଣ୍ଡ ଚିକିତ୍ସାଳୟରେ ଆବଶ୍ୟକ ପରିମାଣର ଔଷଧ, ହାଲୋଜେନ ବଟିକା, ବ୍ଲିଚିଂ ପାଉଡର ଇତ୍ୟାଦି ମହଜୁଦ ରଖିବା ସହ ପରିମଳ ନିମନ୍ତେ ଆଗୁଆ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ।

ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ସାପ କାମୁଡ଼ା ଇଞ୍ଜେକ୍ସନ ଉପଲବ୍ଧ କରିବା ଉପରେ ସେ ସିଡିଏମ୍‌ଙ୍କୁ ନିର୍ଦେଶ ଦେଇଥିଲେ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରାଣୀ ସଂପଦର ସୁରକ୍ଷା ନିମନ୍ତେ ଆଗୁଆ ପ୍ରସ୍ତୁତ କରିବା ସହ ପର୍ଯ୍ୟାପ୍ତ ପରିମାଣରେ ଆବଶ୍ୟକ ଔଷଧ ମହଜୁଦ କରି ରଖିବାକୁ ସିଡିଏମ୍‌ଙ୍କୁ ନିର୍ଦେଶ ଦେଇଥିଲେ। ଜିଲ୍ଲାର ବିଭିନ୍ନ ଜଳସେଚନ ପ୍ରକଳ୍ପ ଓ ନଦୀବନ୍ଧରେ ବନ୍ୟାପ୍ରବଣ ସ୍ଥାନ ଚିହ୍ନଟ କରି ଆବଶ୍ୟକ ପ୍ରତିକାର ବ୍ୟବସ୍ତା ଗ୍ରହଣ କରିବା ଓ ପର୍ଯ୍ୟାପ୍ତ ପରିମାଣର ବାଲି ବସ୍ତା ମହଜୁଦ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବନ୍ୟାପ୍ରବଣ ଅଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳରେ ଅତ୍ୟାବଶ୍ୟକ ସମାଗ୍ରୀ ଯଥା ଚୁଡ଼ା, ଚାଉଳ, କିରୋସିନ, ଦିଆସିଲି, ମହମବତି ଇତ୍ୟାଦି ସମାଗ୍ରୀ ପୂର୍ବରୁ ମହଜୁଦ ରଖିବା, ଗ୍ରାମଞ୍ଚଳ ତଥା ସହରାଞ୍ଚଳରରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ତଥା ପରିମଳ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା, ପୌର ପରିଷଦ ଏବଂ ଏନ୍‌ଏସି ଅନ୍ତର୍ଗତ ସମସ୍ତ ୱାର୍ଡ ବସ୍ତିରେ ଥିବା ନାଳ ଗୁଡ଼ିକୁ ଯଥାଶୀଘ୍ର ସଫେଇ କରିବାକୁ ଆଶୁ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ସାମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା ବତ୍ୟାର ମୁକାବିଲା ନିମନ୍ତେ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଜିଲ୍ଲା ଜରୁରୀକାଳୀନ ଅଧିକାରୀ ରୀନା କୁମାରୀ ନାଏକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର