ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କମିଟି ବୈଠକ: ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦେଶ

ବୌଦ୍ଧ : ସ୍ଥାନୀୟ ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଜିଲ୍ଲାର ବୌଦ୍ଧ, କଣ୍ଟାମାଳ ଓ ହରଭଙ୍ଗା ବ୍ଲକର କିଛି ପଞ୍ଚାୟତ ଓ ବୌଦ୍ଧ ଏନ୍‌ଏସିର ତଳିଆ ଅଞ୍ଚଳରେ ବନ୍ୟା ସମ୍ଭାବନା ରହୁଥିବାରୁ ଡଙ୍ଗା, ଖାଦ୍ୟ ଶସ୍ୟ, ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ବିଦ୍ୟୁତ ଓ ପାଣିର ସୁବିଧା କରିବାକୁ ସମସ୍ତ ବିଡିଓ ଓ ଏନ୍‌ଏସି ଇଓଙ୍କୁ ନିର୍ଦେଶ ଦିଆଯାଇଛି। ବିଡିଓମାନେ ପ୍ରତ୍ୟକ୍ଷ ଭାବରେ ନିଜ ଅଞ୍ଚଳର ବନ୍ୟା ଆଶ୍ରୟସ୍ଥଳୀର ସ୍ଥିତି ଅନୁଧ୍ୟାନ କରି ସେଠାରେ ଥିବା ସମସ୍ୟାର ତୁରନ୍ତ ସମାଧାନ କରିବାକୁ ନିର୍ଦେଶ ଦିଆଯାଇଛି। ଉଚ୍ଚ ସ୍ଥାନରେ ଥିବା ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଚିହ୍ନଟ କରି ବନ୍ୟା ଆଶ୍ରୟସ୍ଥଳୀ ଭାବରେ ବ୍ୟବହାର କରିବା ପାଇଁ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛି। ଅପେକ୍ଷାକୃତ ଉଚ୍ଚ ସ୍ଥାନରେ ଥିବା ପଡ଼ିଆଗୁଡ଼ିକୁ ଚିହ୍ନଟ କରିବାକୁ ପୂର୍ତ୍ତ ବିଭାଗକୁ ନିର୍ଦେଶ ଦିଆଯାଇଛି। ବ୍ୟକ୍ତିଗତ ଭାବରେ ରଖିଥିବା ଡଙ୍ଗାଗୁଡ଼ିକର ମାଲିକଙ୍କ ମୋବାଇଲ ନମ୍ବର ସହ ତାଲିକା ପ୍ରସ୍ତୁତ କରି ଜରୁରୀ ସ୍ଥିତିରେ ସେମାନଙ୍କ ସାହାଯ୍ୟ ନେବାକୁ ପରାମର୍ଶ ଦିଆଯାଇଛି।

ବନ୍ୟା ସମୟରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଆଗୁଆ ସୂଚନା ଦେବା ସହ ପୁଲିସ ସହାୟତାରେ ସେମାନଙ୍କୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ନିର୍ଦେଶ ଦିଆଯାଇଛି। ସେହିପରି ବନ୍ୟାକ୍ଳିଷ୍ଟ ଲୋକଙ୍କ ପାଇଁ ଚୁଡ଼ା, ଗୁଡ଼, ଚାଉଳ, ମହମବତି, ଦିଆସିଲି ମହଜୁଦ ରଖିବାକୁ ଯୋଗାଣ ବିଭାଗକୁ ନିର୍ଦେଶ ଦିଆଯାଇଛି। ଆବଶ୍ୟକୀୟ ଜରୁରୀ ଔଷଧ, ସାପ କାମୁଡ଼ା ଓ କୁକୁର କାମୁଡ଼ା ଔଷଧ ପ୍ରତି ସ୍ବାସ୍ଥ୍ୟ କେନ୍ଦ୍ରରେ ମହଜୁଦ ରଖିବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦେଶ ଦିଆଯାଇଛି। ବନ୍ୟା ପରିସ୍ଥିତିରେ ଗୃହପାଳିତ ପ୍ରାଣୀଙ୍କ ପାଇଁ ସ୍ବତନ୍ତ୍ର ଆଶ୍ରୟସ୍ଥଳୀ ଚିହ୍ନଟ କରିବା ସହ ପ୍ରାଣୀ ଆହାର ଯୋଗାଇବା ପାଇଁ ସାଂସଦଙ୍କ ପ୍ରତିନିଧି ତାରେଣୀ ମହାପାତ୍ର ମତ ପ୍ରକାଶ କରିଥିଲେ। ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗକୁ ନିର୍ଦେଶ ଦିଆଯାଇଛି। ‌ଯେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ଓଡ୍ରାଫ୍‌ ଦଳକୁ ପ୍ରସ୍ତୁତ ରଖିବା ସହ ପାଣିପାଗ ସଂପର୍କରେ ଆଗୁଆ ସୂଚନା ପ୍ରଦାନ କରିବାକୁ ଜରୁରୀକାଳୀନ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଜିଲ୍ଲା ମଧ୍ୟ‌ ଦେଇ ଅତିକ୍ରମ ମରିଥିବା ୫୭ ନଂ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ମାଟି ପକାଇ ଜୁନ ୩୦ ତାରିଖ ସୁଦ୍ଧା ଚାରା ରୋପଣ କରିବାକୁ ବନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ର‌ତି ପଞ୍ଚାୟତରେ ବ୍ଲିଚିଂ ପାଉଡର ଗଚ୍ଛିତ ରଖିବାକୁ ନିର୍ଦେଶ ଦିଆଯାଇଛି।

ନଦୀରେ ଥିବା ସୁରକ୍ଷା ବନ୍ଧ, ଆଡ଼ିବନ୍ଧ ଗୁଡ଼ିକର ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକୀୟ ମରାମତି କରିବାକୁ ଜଳ ସଂପଦ ବିଭାଗକୁ ନିର୍ଦେଶ ଦିଆଯାଇଛି। ଜିଲ୍ଲା ଓ ବ୍ଲକସ୍ତରରେ କଣ୍ଟ୍ରୋଲ ରୁମ କାର୍ଯ୍ୟକ୍ଷମ କରାଇ ପ୍ରତିଦିନ ବର୍ଷା ପରିମାଣ ରେକର୍ଡ କରାଯିବାକୁ ନିର୍ଦେଶ ଦିଆଯାଇଛି। ବୌଦ୍ଧ ସହରର ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନଗୁଡ଼ିକୁ ପରିଷ୍କାର କରିବାକୁ ନିର୍ଦେଶ ଦିଆଯାଇଛି। ବନ୍ୟା ସମୟରେ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଏସ୍‌ଏଚ୍‌ଜି ଓ ସ୍ବେଚ୍ଛାସେବୀ ସଂଗଠନ ସହଯୋଗ କରିବାକୁ ଜିଲ୍ଲାପାଳ ଆହ୍ବାନ କରିଛନ୍ତି। ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା, ପିଡି ଡିଆର୍‌ଡିଏ ଅଶ୍ବିନୀ ମେହେର, ଉପଜିଲ୍ଲାପାଳ ସନତ ନାଏକ, ହରଭଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ, କଣ୍ଟାମାଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ସେନାପତି, ବୌଦ୍ଧ ଏନ୍‌ଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ସହ ସମସ୍ତ ବିଡିଓ, ତହସିଲଦାର ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଅବନିକାନ୍ତ ସାହୁ ସ୍ବାଗତ ଭାଷଣ ସହ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର