ପ୍ରାକୃତିକ ବିପର୍ଯ୍ୟୟ ଗିଳୁଛି ଓଡ଼ିଶାର ଅର୍ଥନୀତି

୧୯ ବର୍ଷର ଦାବି ୩୮୦୯୪ କୋଟି, ମିଳିଛି ୪୫୭୨ କୋଟି, ୩୩୫୨୧ କୋଟି ଭରଣା ହେଲା କେମିତି!

ଭୁବନେଶ୍ବର : କୁହାଯାଏ ଉପକୂଳବର୍ତୀ ରାଜ୍ୟ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ଚିର ସହଚର। ପ୍ରାୟ ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା, ବାତ୍ୟା, ମରୁଡ଼ି, ଅଦିନିଆ ବର୍ଷା ଆଦି କୌଣସି ରୂପରେ ଗ୍ରାସ କରୁଛି ରାଜ୍ୟକୁ। ଏସବୁ ବିପର୍ଯ୍ୟୟ ରାଜ୍ୟର ଅର୍ଥନୀତିକୁ ଗିଳି ପକାଉଛି। ଏହାର ସଦ୍ୟତମ ଉଦାହରଣ ହେଉଛି ଫନି ବାତ୍ୟାର ବିଭୀଷିକା ଓ କ୍ଷୟକ୍ଷତି। ଏଥିପାଇଁ ପ୍ରାକୃତିକ ବିପର୍ଯ୍ୟୟକୁ ବିଚାରକୁ ନେଇ ଓଡ଼ିଶାକୁ ସ୍ବତନ୍ତ୍ର ଫୋକ୍‌ସ ରାଜ୍ୟର ମାନ୍ୟତା ପ୍ରଦାନ କରିବାକୁ ଦାବି କରିଛନ୍ତି ରାଜ୍ୟ ସରକାର। ୨୦୦୦ ମସିହାରୁ ଆରମ୍ଭ କରି ୨୦୧୯ ଫନି ପର୍ଯ୍ୟନ୍ତ ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତିର ଭରଣା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ୩୮ ହଜାର ୯୪ କୋଟି ୫୧ ଲକ୍ଷ ଟଙ୍କା। କିନ୍ତୁ ଏ ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିଛି ମାତ୍ର ୪୫୭୨ କୋଟି ୯୭ କୋଟି ଟଙ୍କା। ଏଥିରୁ ସ୍ବାଭାବିକ ଭାବେ ପ୍ରଶ୍ନ ଉଠୁଛି କେଉଁଠୁ ଓ କିପରି ୩୩୫୨୧ କୋଟି ଟଙ୍କାର ମସ୍ତବଡ଼ ଆର୍ଥିକ ବୋଝ ମୁଣ୍ଡାଇବାକୁ ରାଜ୍ୟ ସମର୍ଥ ହୋଇପାରିଛି। ସେହିପରି ପ୍ରଶ୍ନ ଉଠୁଛି ଯେ ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟ କ୍ଷୟକ୍ଷତି ଆକଳନ ସଠିକ୍‌ କରୁଛନ୍ତି କି?

ଗତ ୧୯ ବର୍ଷରେ ରାଜ୍ୟ ସରକାର ନିଜସ୍ବ ଦାବି ଅନୁଯାୟୀ ପ୍ରାୟ ୩୩୫୨୧ କୋଟି ୫୪ ଲକ୍ଷ ଟଙ୍କାର ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି। ରାଜ୍ୟ ସରକାର ବିପର୍ଯ୍ୟୟ କ୍ଷୟକ୍ଷତି ପରିମାଣ ଅତ୍ୟଧିକ ଦର୍ଶାଉଛନ୍ତି ବୋଲି କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ କିଛି ବରିଷ୍ଠ ଅଧିକାରୀ କହୁଛନ୍ତି। ଏ କଥା ରାଜସ୍ବ ବିଭାଗର ସଂପୃକ୍ତ ଅଧିକାରୀମାନଙ୍କ ନିକଟରେ ଅଛପା ନାହିଁ। ନିୟମାବଳୀ ଅନୁଯାୟୀ ଯଦି କୌଣସି ‌ପ୍ରାକୃତିକ ବିପର୍ଯ୍ୟୟ ଘଟେ, ସେ କ୍ଷେତ୍ରରେ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି(ଏସ୍‌ଆରଏଫ୍‍)ରୁ ଅର୍ଥ ଉଠାଇ ଖର୍ଚ କରିହେବ। ବଡ଼ ଧରଣର ବିପର୍ଯ୍ୟୟ କ୍ଷେତ୍ରରେ ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠି(ଏନ୍‌ଆରଏଫ୍‍)ରୁ ଅଧିକ ସହାୟତା ମିଳିବ। ତେବେ ସେଥିପାଇଁ କସରତ ଅଧିକ। ପ୍ରଥମେ କେନ୍ଦ୍ରୀୟ ଦଳ କ୍ଷୟକ୍ଷତି ଅନୁଧ୍ୟାନ କରି କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ଦେବେ। ରିପୋର୍ଟକୁ ଅଧିକ ତର୍ଜମା କରିବ ସବ୍‌ କମିଟି। ସେହି କମିଟିର ସୁପାରିସ ଅନୁଯାୟୀ ୩ଟି ମନ୍ତ୍ରଣାଳୟର ମନ୍ତ୍ରୀମାନେ ବସି ସହାୟତା ରାଶି ଚୂଡ଼ାନ୍ତ କରିବେ। ତଦନୁଯାୟୀ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଏନ୍‌ଡିଆରଏଫ୍‍ରୁ ସହାୟତା ରାଜ୍ୟ ସରକାରଙ୍କୁ ମିଳିବ।

ତେବେ ରାଜ୍ୟ ସରକାର ବିପର୍ଯ୍ୟୟ ଜନିତ କ୍ଷୟକ୍ଷତିର ପରିମାଣ ଅତ୍ୟଧିକ ଦର୍ଶାଉଥିବା ଅଭିଯୋଗକୁ ଅସ୍ବୀକାର କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଜଣେ ବରିଷ୍ଠ ଅଧିକାରୀ। ରାଜ୍ୟରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟର ସ୍ଥିତି କେତେ ସାଂଘାତିକ ସେ କଥା ବିଚାର କରୁନାହାନ୍ତି। ଆବଶ୍ୟକତା ଅନୁସାରେ କେନ୍ଦ୍ର ସରକାର ସହାୟତା ଦେଉନଥିବାରୁ ଏହା ରାଜ୍ୟ ଉପରେ ଅଧିକ ଚାପ ସୃଷ୍ଟି କରୁଛି। କ୍ଷୟକ୍ଷତି ଅନୁଯାୟୀ ସରକାରଙ୍କ ବିଭିନ୍ନ ବିଭାଗ ଅର୍ଥ ଖର୍ଚ କରିବାକୁ ବାଧ୍ୟ ହେଉଛନ୍ତି। ଫଳରେ କ୍ରମାଗତ ଭାବେ ଓଡ଼ିଶା ଭଳି ରାଜ୍ୟର ଅର୍ଥନୀତି ଦୁର୍ବଳ ହେଉଛି ବୋଲି ସେ ମତ ଦେଇଛନ୍ତି।

ସରକାରୀ ତଥ୍ୟ ଅନୁଯାୟୀ ୨୦୦୦ ମସିହାରେ ମରୁଡ଼ି ହୋଇଥିଲା। ଫଳରେ ୪୪୫.୨୮ କୋଟି ଟଙ୍କାର ଆର୍ଥିକ ସହାୟତା ଦାବି କରିଥିଲେ ରାଜ୍ୟ ସରକାର। ଏ ବାବଦରେ କେନ୍ଦ୍ରଠାରୁ ମିଳିଥିଲା ୪୯.୬୨ କୋଟି। ୨୦୦୧ର ବନ୍ୟା ଜନିତ କ୍ଷୟକ୍ଷତି ପାଇଁ ହୋଇଥିବା ୧୫୩୦.୮୮ କୋଟିର ଦାବି ବାବଦରେ ୧୦୦ କୋଟି ଟଙ୍କା ମିଳିଥିଲା। ଏହିପରି ଚଳିତ ବର୍ଷର ଫନି ବାତ୍ୟା ପର୍ଯ୍ୟନ୍ତ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତିର ଲମ୍ବା ତାଲିକା ଦେଇଛନ୍ତି ରାଜ୍ୟ ସରକାର।

ଏଥିମଧ୍ୟରୁ ଉଲ୍ଲେଖଯୋଗ୍ୟ ହେଉଛି ୨୦୦୭ ମସିହା ଜୁଲାଇ ଓ ଅଗଷ୍ଟ-ସେପ୍ଟେମ୍ବର ମାସର ବନ୍ୟା। ଉଭୟ ବିପର୍ଯ୍ୟୟ ପାଇଁ ରାଜ୍ୟ ସରକାର ଦାବି କରିଥିଲେ ୧୪୦୦.୨୩ କୋଟି ଟଙ୍କା। କିନ୍ତୁ ଟଙ୍କାଏ ବି କେନ୍ଦ୍ରୀୟ ସହାୟତା ମିଳିନଥିଲା। ସେହିପରି ୨୦୦୯‌େର ଘୂର୍ଣ୍ଣିଝଡ଼, ଅଚାନକ ବନ୍ୟା ସାଙ୍ଗକୁ ମରୁଡ଼ି ହୋଇଥିଲା। ଏଥିପାଇଁ ରାଜ୍ୟ ସରକାର ୨୨୫୭.୦୩ କୋଟି ଟଙ୍କାର ସହାୟତା ଲୋଡ଼ିଥିଲେ। କିନ୍ତୁ ପାହୁଲଟାଏ ମିଳିନଥିଲା। ୨୦୧୪ର ବାତ୍ୟା ହୁଡ୍‌ହୁଡ୍‌ କ୍ଷୟକ୍ଷତି ଆକଳନ କରି ରାଜ୍ୟ ସରକାର ମାଗିଥିଲେ ୭୭୭.୧୨ କୋଟିର ସହାୟତା। କିନ୍ତୁ ସେଥର ବି ମିଳିନଥିଲା ଟଙ୍କାକର ସହାୟତା।

କିନ୍ତୁ ଭୟଙ୍କର ବାତ୍ୟା ଫାଇଲିନ୍‌ ପାଇଁ ରାଜ୍ୟ ସରକାର ୫୮୩୨.୫୦ କୋଟି ଟଙ୍କାର ସହାୟତା ଲୋଡ଼ିଥିବା ‌େବଳେ ମିଳିଥିଲା ୧୧୪୦.୮୩ କୋଟି ଟଙ୍କା। ଓଡ଼ିଶାକୁ ମିଳିଥିବା ସମସ୍ତ କେନ୍ଦ୍ରୀୟ ସହାୟତା ମଧ୍ୟରୁ ଏହି ପରିମାଣ ସର୍ବାଧିକ। ଗତବର୍ଷର ତିତିଲି ବାତ୍ୟା ପାଇଁ ରାଜ୍ୟ ସରକାର ୨୭୭୯ କୋଟି ୩୨ ଲକ୍ଷ ଟଙ୍କା ଏବଂ ପରବର୍ତୀ ମରୁଡ଼ା ନିମନ୍ତେ ଲୋଡ଼ିଥିଲେ ୪୩୧୪.୧୪ କୋଟି। କିନ୍ତୁ ତିତିଲି ପାଇଁ ୩୪୧.୭୨ କୋଟି ମିଳିଥିଲା। ମରୁଡ଼ି ପାଇଁ କିଛି ମିଳିଲା ନାହିଁ। ଫନି ପାଇଁ ରାଜ୍ୟ ସରକାର ୫୨୨୭.୬୮ କୋଟି ଟଙ୍କାର ସହାୟତା ମାଗିଥିବା ବେଳେ ଅଦ୍ୟାବଧି ମିଳିଛି ୭୮୮.୮୮ କୋଟି ଟଙ୍କା। ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ହିସାବ ନିକାଶର କସରତ ଚାଲେ। କେବେ କେବେ କେନ୍ଦ୍ରୀୟ ଦଳ ଗସ୍ତ କରନ୍ତି। ରାଜ୍ୟ ଯେତେ ମାଗେ, ସେତେ ମିଳେନା। ତେବେ କେନ୍ଦ୍ରୀୟ ସହାୟତା ମିଳିବାର ନିର୍ଦିଷ୍ଟ ବ୍ୟବସ୍ଥା ନଥିବାରୁ କେନ୍ଦ୍ର-ରାଜ୍ୟ ସଂପର୍କ ସବୁଠାରୁ ବଡ଼ ମାପଦଣ୍ଡ ପାଲଟୁଥିବା ଦୁର୍ଭାଗ୍ୟଜନକ ବିଷୟ।

ସମ୍ବନ୍ଧିତ ଖବର