ଭୁବନେଶ୍ବର : ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବାରେ ସମସ୍ତ ଅଂଶୀଦାରଙ୍କ ଯୋଗଦାନର ଆବଶ୍ୟକତା ରହିଛି। ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ଗ୍ୟାସ୍ ଭିତ୍ତିଭୂମି ପ୍ରକଳ୍ପ ଓ କାର୍ଯ୍ୟରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସହଯୋଗ କରିବାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ବାନ ଦେଇଛନ୍ତି।
ନୂଆଦିଲ୍ଲୀରେ ଆୟୋଜିତ ପ୍ରାକୃତିକ ଗ୍ୟାସ ସମ୍ମିଳନୀ-୨୦୨୦ରେ ଯୋଗ ଦେଇ ଶ୍ରୀ ପ୍ରଧାନ କହିଛନ୍ତି, କେନ୍ଦ୍ର ସରକାର ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ଚଳିତ ଆର୍ଥିକ ବର୍ଷ ଘରୋଇ ଗ୍ୟାସ ଉତ୍ପାଦନରେ ଅଭିବୃଦ୍ଧି ଘଟିବାର ସମ୍ଭାବନା ରହିଛି। ପ୍ରଥମ ଥର ପାଇଁ ଭାରତ ସରକାର ପୂର୍ବ ଏବଂ ଉତ୍ତର-ପୂର୍ବ ଅଞ୍ଚଳରେ ଗ୍ୟାସ୍ ପାଇପ୍ଲାଇନ୍ କାମରେ ୧୦,୫୦୦ କୋଟି ଟଙ୍କା ବିନିେଯାଗ କରୁଛନ୍ତି। ଗତ ପାଞ୍ଚ ବର୍ଷରେ ଅନେକ ଏଲ୍ପିଜି ଟର୍ମିନାଲ ତିଆରି କରାଯାଇଥିବା ବେଳେ ଆଗାମୀ ଦିନରେ ଅଧିକରୁ ଅଧିକ ଏଲ୍ପିଜି ଟର୍ମିନାଲ୍ ତିଆରି କରିବା ପାଇଁ ଯୋଜନା ଚାଲିଛି। ଏହି କ୍ଷେତ୍ରରେ ଅନେକ ପ୍ରକଳ୍ପ ମାଧ୍ୟମରେ ଆଗାମୀ ୫ ବର୍ଷ ମଧ୍ୟରେ ୪ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ।
କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ, ଉର୍ଜା କ୍ଷେତ୍ରରେ ବର୍ତ୍ତମାନ ଦେଶରେ ଗ୍ୟାସ୍ର ଅଂଶ ୬.୨ ପ୍ରତିଶତ ରହିଛି ଏବଂ ୨୦୩୦ ସୁଦ୍ଧା ଏହାକୁ ୧୫ ପ୍ରତିଶତ କରାଇବାର ଲକ୍ଷ୍ୟ ରଖାଯାଇଛି। ଗ୍ୟାସ୍ ଆଧାରିତ ଉର୍ଜାରେ ବିଶ୍ବର ହାରାହାରି ୨୫ ପ୍ରତିଶତ ଭାଗ ରହିଥିଲା ବେଳେ ଗୁଜୁରାଟର ହାର ୨୬ ପ୍ରତିଶତ ରହିଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ ସିଟି ଗ୍ୟାସ୍ ବିତରଣ(ସିଜିଡି)ର ଏକ ଡ୍ରାଫ୍ଟ ପଲିସି ପ୍ରସ୍ତୁତ କରାଯାଇଛି, ଯାହାକୁ ରାଜ୍ୟମାନେ ଗ୍ରହଣ କରିବାକୁ ସେ ଆହ୍ବାନ ଦେଇଛନ୍ତି। ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଦେଶରେ ଏଲ୍ଏନ୍ଜି ଆମଦାନୀ ବଢ଼ିଛି। ସିବିଜି ଏ ଦିଗରେ ବଡ଼ ପଦକ୍ଷେପ। ଏହା ପରିବେଶକୁ ସୁରକ୍ଷା ଦେବା ସହ ନିଯୁକ୍ତି ସୁଯୋଗ ଏବଂ ଅର୍ଥନୀତିକୁ ବଳ ଦେଉଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।