ସୁନ୍ଦରଗଡ଼: ପରିବେଶ ଅନୁକୂଳ କୃଷି ଏବଂ ରାସାୟନିକ ସାର ମୁକ୍ତ ଖାଦ୍ୟଶସ୍ୟ ଉତ୍ପାଦନ ହେଉଛି ବର୍ତ୍ତମାନ ସମୟର ବଡ଼ ଆବଶ୍ୟକତା। ତେଣୁ ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ନାଚୁରାଲ ଫାର୍ମିଂ ବା ପ୍ରାକୃତିକ ଚାଷ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ଚାଷ କରିବା ଫଳରେ ଆଦିବାସୀ ବର୍ଗର ଚାଷୀମାନେ ବିଶେଷ ଲାଭବାନ ହେଉଛନ୍ତି। ୨୦୨୨-୨୩ ବର୍ଷରେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକର ତେଲିଘଣା ଗାଁରେ ଏହି ପ୍ରାକୃତିକ ଚାଷ ପାଇଲଟ୍ କାର୍ଯ୍ୟକ୍ରମ ଭାବେ ଆରମ୍ଭ କରାଯାଇଥିଲା। ଏହି ଚାଷରେ ଆଦିବାସୀ ବର୍ଗର ଚାଷୀଙ୍କୁ ସାମିଲ କରାଯାଇଥିଲା।

Advertisment

‘‘ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାର ଚାଷ କ୍ଷେତ୍ରରେ ରାସାୟନିକ ସାର ବ୍ୟବହାରକୁ ନିୟନ୍ତ୍ରଣ ଲାଗି ପ୍ରାକୃତିକ ପଦ୍ଧତି ଚାଷକୁ ପ୍ରୋତ୍ସାହନ ଦିଆଯାଉଛି। ଏଥିପ୍ରତି ଚାଷୀମାନେ ବିଶେଷ ଆଗ୍ରହ ଦେଖାଉଛନ୍ତି। ପ୍ରାକୃତିକ ପଦ୍ଧତିରେ ହେଉଥିବା ଫସଲର ଚାହିଦା ମଧ୍ୟ ବଜାରରେ ଭଲ ରହୁଛି। ପାଇଲଟ୍ ଭାବେ ତେଲିଘଣାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରାଯିବ’’, କହିଛନ୍ତି ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ। ରାସାୟନିକ ସାରର ବହୁଳ ବ୍ୟବହାର ଯୋଗୁଁ ଚାଷ ଜମିର ଉର୍ବରତା ହ୍ରାସ ପାଉଛି। ତା’ଛଡ଼ା ପରିବେଶ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ୁଛି। ଏ ସମ୍ପର୍କରେ ଆଦିବାସୀ ବର୍ଗର ଚାଷୀଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଇ ସୁନ୍ଦରଗଡ଼ ଆଇଟିଡିଏ ପକ୍ଷରୁ ପ୍ରାକୃତିକ ପଦ୍ଧତିରେ ଚାଷ କରିବା ଲାଗି ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି।

publive-image

ତେଲିଘଣା ଗାଁର ୫୫ ଜଣ ଚାଷୀ ପ୍ରାକୃତିକ ପଦ୍ଧତିରେ ଚାଷ କରିଥିଲେ। ୮୦ ଏକର ଜମିରେ ସେମାନେ ଧାନ ଓ ଚିନା ବାଦାମ ଚାଷ କରିଥିଲେ। ଚାଷୀମାନଙ୍କୁ ମାଗଣାରେ ଦେଶୀ କିସମର ବିହନ ସହିତ ବିଭିନ୍ନ ଜୈବିକ ସାର ଯୋଗାଇ ଦିଆଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ଏଥିପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛି। ‘‘ଆଗରୁ ଆମେ ଚାଷ କାମରେ ରାସାୟନିକ ସାର ବ୍ୟବହାର କରୁଥିଲୁ। ହେଲେ ସୁନ୍ଦରଗଡ଼ ଆଇଟିଡିଏର ଅଧିକାରୀମାନେ ଆସି ଆମକୁ ପ୍ରାକୃତିକ ପଦ୍ଧତି ଚାଷ ଉପରେ ବୁଝାଇଥିଲେ। ଆମେ ଏ ଦିଗରେ ଆଗ୍ରହ ଦେଖାଇ ଧାନ ଓ ବାଦାମ ଚାଷ କଲୁ। ଭଲ ଅମଳ ମଧ୍ୟ ହେଲା’’, କହନ୍ତି ତେଲିଘଣା ଗାଁର ଜଣେ ଚାଷୀ ଏମାନ ବୁଡୁ।

‘‘ରାସାୟନିକ ସାର କିଣିବାରେ ଆମର ଅଧିକ ଟଙ୍କା ଖର୍ଚ୍ଚ ହେଉଥିଲା। ଏବେ ପ୍ରାକୃତିକ ପଦ୍ଧତିରେ ଚାଷ କରିବା ଫଳରେ ଆମର କମ୍ ଖର୍ଚ୍ଚ ହେଉଛି। ଧାନ ଓ ବାଦାମ ସହିତ ଆମେ ପନିପରିବା ଚାଷରେ ପ୍ରାକୃତିକ ସାର ପ୍ରୟୋଗ କରୁଛୁ। ଭଲ ଅମଳ ହେବା ସହ ବଜାରରେ ଏହାର ଭଲ ଚାହିଦା ରହିଛି’’, କହନ୍ତି ଆଉ ଜଣେ ଚାଷୀ ବିମଳା ବାର୍ଲା। ପ୍ରାକୃତିକ ପଦ୍ଧତିରେ ଚାଷ କରିବା ପାଇଁ ଚାଷୀମାନଙ୍କୁ ଜୀବାମୃତ, ଘନ ଜୀବାମୃତ ଓ ଦଶପର୍ଣ୍ଣି ଅର୍କ ଆଦି ଦିଆଯାଉଥିଲା। ଚାଷୀମାନେ ନିଜେ ଏହା କିପରି ପ୍ରସ୍ତୁତ କରିବେ ସେନେଇ ସୁନ୍ଦରଗଡ଼ ଆଇଟିଡିଏ ପକ୍ଷରୁ ଆବଶ୍ୟକ ତାଲିମ ଦିଆଯାଇଛି। ଗୃହପାଳିତ ଦେଶୀ ଗାଈଗୋରୁଙ୍କ ମଳ ମୂତ୍ର ସହିତ ଗୁଡ଼ ଏବଂ ବେସନ ମିଶ୍ରଣ କରାଯାଇ ଏହି ସାର ପ୍ରସ୍ତୁତ ହେଉଛି।

ତେଲିଘଣାରେ ପ୍ରାକୃତିକ ପଦ୍ଧତିରେ ଚାଷ ଆରମ୍ଭ ହେବା ପୂର୍ବରୁ ଆଇଟିଡିଏର ଅଧିକାରୀମାନେ ଚାଷ ଜମି ବୁଲି ଦେଖିଥିଲେ। ଏହାପରେ ଚାଷୀମାନେ ଦେଶୀ ଧାନ ଏବଂ ବାଦାମ ଚାଷ ଲାଗି ଜମି ପ୍ରସ୍ତୁତ କରିଥିଲେ। ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ଏଥିପାଇଁ ମଜୁରି ସହାୟତା ଦିଆଯାଉଛି। ପ୍ରାକୃତିକ ପଦ୍ଧତି ଚାଷ ପାଇଁ ତେଲିଘଣାର ଆଦିବାସୀ ଚାଷୀଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ଆଗାମୀ ଦିନରେ ଅନ୍ୟ ବ୍ଳକକୁ ଏହି ଚାଷ ସଂପ୍ରସାରଣ କରିବାକୁ ଲକ୍ଷ୍ୟ ରହିଥିବା ସୁନ୍ଦରଗଡ଼ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ କହିଛନ୍ତି।