ବ୍ରହ୍ମପୁର: ସହରର ପ୍ରାକୃତିକ ଜଳାଶୟଗୁଡ଼ିକର ପୁନରୁଦ୍ଧାର କରିବାକୁ ନିଷ୍ପତ୍ତି ନିଆଯାଇଛି। ପରିବେଶକୁ ସୁଧାରିବାରେ ପ୍ରଶାସନ ଅପେକ୍ଷା ଜନସାଧାରଣଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଅନେକ ସମୟରେ ଆମେ ଆମର ସୁବିଧା ପାଇଁ ପରିବେଶକୁ ବିଗାଡ଼ୁଛୁ ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆଜି ସ୍ଥାନୀୟ ଆର୍.ସି. ଦାସ ଲେନ୍ ସ୍ଥିତ ସଂକଳ୍ପ ବିଦ୍ୟାଳୟ ପରିସରରେ ‘ସମ୍ବାଦ’ ପକ୍ଷରୁ ଅନୁଷ୍ଠିତ ପରିବେଶ ପଞ୍ଚାୟତରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର ଏହା କହିଛନ୍ତି। ସବୁଜ ପରିବେଶ ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମାଆ ପାଇଁ ଗଛଟିଏ’ କାର୍ଯ୍ୟକ୍ରମକୁ ହାତକୁ ନେଇ ସମଗ୍ର ଭାରତରେ ବୃକ୍ଷରୋପଣକୁ ଅଗ୍ରାଧିକାର ପ୍ରଦାନ କରାଯାଉଛି। ଏଭଳି କାର୍ଯ୍ୟକ୍ରମ ସୁସ୍ଥ ପରିବେଶ ଗଠନରେ ସହାୟକ ହୋଇପାରିବ ବୋଲି ବିଧାୟକ କହିଥିଲେ। ସମ୍ମାନିତ ଅତିଥି ରୂପେ ବିଶିଷ୍ଟ ପରିବେଶବିତ୍ ସୁଧୀର ରାଉତ ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ଆତ୍ମସମୀକ୍ଷାର ଆବଶ୍ୟକତା ରହିଛି ବୋଲି କହିଥିଲେ। ସମାଜର ପ୍ରତ୍ୟେକ ବ୍ୟକ୍ତି ପରିବେଶ ସୁରକ୍ଷା ନେଇ ସଂକଳ୍ପ ନେବା ସହ ଚିନ୍ତାଧାରରେ ପରିବର୍ତ୍ତନ ଆଣିପାରିଲେ ଆମ ପରିବେଶ ସୁରକ୍ଷିତ ରହିବା ସହ ସୌନ୍ଦର୍ଯ୍ୟମୟ ହୋଇପାରିବ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ଇକୋ କ୍ଲବର ସଂଯୋଜକ ଶଙ୍କର ନାରାୟଣ ବେଜ୍ ଯୋଗ ଦେଇ ପରିବେଶ ସୁରକ୍ଷା ଅଭିଯାନରେ ପିଲାଙ୍କୁ ସାମିଲ କରିବା ଦରକାର।
ପରିବେଶର ସୁରକ୍ଷା ନିଜ ଘରୁ ଆରମ୍ଭ କରିବା ସହ ସହରର ପୁରାତନ ଜଳାଶୟ ଗୁଡ଼ିକର ପୁନରୁଦ୍ଧାର ହୋଇପାରିଲେ ଜଳଧାରଣର କ୍ଷମତା ବୃ୍ଦ୍ଧିରେ ସହାୟକ ହୋଇପାରିବ। ମନୁଷ୍ୟ ନିଜର ସ୍ବାର୍ଥ ପାଇଁ ବିକାଶ ଆଳରେ ପରିବେଶ ସନ୍ତୁଳନ ବିଗାଡ଼ୁଛି। ମିଳିମିଶି କାମ କରିବାକୁ ସମାଜର ପ୍ରତ୍ୟେକ ବର୍ଗଙ୍କୁ ଆହ୍ବାନ କରିଥିଲେ। ଗଞ୍ଜାମ ଜିଲ୍ଲାରେ ବାତ୍ୟାକୁ ଏଡ଼ାଇବାକୁ ହେନ୍ତାଳ ବଣ ସୃଷ୍ଟି କରିବାକୁ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଯୁବ ପରିବେଶବିତ୍ ସ୍ନେହା ଗୌଡ଼ଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ‘ସାନିଟାରି ପେଡ଼୍’ ବିଷୟରେ ଅତିଥିମାନେ ଜାଣିବା ପରେ ସାଧୁବାଦ ଦେବା ସହ ଅନ୍ୟମାନଙ୍କ ଏହା ପାଇଁ ଉଦାହରଣ ହୋଇପାରିବ ବୋଲି କହିଥିଲେ। କାର୍ଯ୍ୟକ୍ରମକୁ ‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣର ମହାନଗର ମୁଖ୍ୟ ପ୍ରମୋଦ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ବାର୍ତ୍ତା ବିଭାଗ ମୁଖ୍ୟ ପ୍ରଶାନ୍ତ ପଣ୍ଡା, ବରିଷ୍ଠ ସହସମ୍ପାଦକ ଦୁର୍ଗାମାଧବ ବେହେରା, ମନୋଜ ସାମଲ, ପ୍ରଭାତ ନାୟକ, ନଗର ପ୍ରତିନିଧି ଲକ୍ଷ୍ମୀ ବେଜ୍, ଅମିତ୍ ସାହୁ, ଅନୀଲ ପଟ୍ଟନାୟକ, ପ୍ରଭାତ ନାୟକ, ବସନ୍ତ ପଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ସହରର ବହୁ ପରିବେଶବିତ୍, ସାମାଜିକ କର୍ମୀ ଓ ବୁଦ୍ଧିଜୀବୀ ଅଂଶ ଗ୍ରହଣ କରିଥିଲେ। ଶେଷରେ ବରିଷ୍ଠ ସହ ସଂପାଦକ ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।