ପୁରୀକୁ ପ୍ରକୃତି କୋପ: ‘ଫନି’ ପରେ ‘ଜୱାଦ’, ଚିନ୍ତାରେ ନିଦ ହଜିଲାଣି

ପୁରୀ : ପୁରୀ ଉପରେ ପ୍ରକୃତିର କୋପ। ଭାଙ୍ଗି ଦେଉଛି ଆର୍ଥିକ ମେରୁଦଣ୍ଡ। ଦୁଇବର୍ଷ ତଳେ ପ୍ରକୃତି ପୁରୀ ଜିଲ୍ଲାରେ ତାଣ୍ଡବ ରଚିଥିଲା। ପ୍ରଳୟଙ୍କରୀ ବାତ୍ୟା ‘ଫନି’ର ପ୍ରହାର ଏତେ ଶକ୍ତିଶାଳୀ ଥିଲା ଯେ ପୁରୀ ଜିଲ୍ଲାକୁ କ୍ଷଣିକରେ ଧ୍ବଂସସ୍ତୁପରେ ପରିଣତ କରି ଦେଇଥିଲା। ଘଞ୍ଚ ଜଙ୍ଗଲ ମରୁଭୂମି ପାଲଟି ଯାଇଥିଲା। ମହାଦ୍ରୁମ ସବୁ ଉପାଡ଼ି ଫିଙ୍ଗି ଦେଇଥିଲା। ଚାଷବାସ ତ ଦୂରର କଥା ମାଟି ଘର, ଆଜ୍‌ବେଷ୍ଟସ ଘର ସବୁ ମାଟିରେ ମିଶିଯାଇଥିଲା। ଦୁଇବର୍ଷ ତଳର ଏହି ଭୟଙ୍କର ଅନୁଭୂତି ଏବେ ବି ଜନମାନସରେ ଉଜ୍ଜୀବିତ ରହିଛି।

ଏବେ ବି ଲୋକେ ‘ଫନି’ କଷ୍ଟରୁ ଉଦ୍ଧାର ପାଇନାହାନ୍ତି। ଭଙ୍ଗା ଘରେ ମୁଣ୍ଡ ଗୁଞ୍ଜୁଛନ୍ତି। ତେବେ ଏବେ ପୁଣି ବାତ୍ୟା ‘ଜୱାଦ’ ପୁରୀ ଜିଲ୍ଲାରେ ମାଡ଼ ହେବାର ପୂର୍ବାନୁମାନ ଜିଲ୍ଲାବାସୀଙ୍କ ମନୋବଳକୁ ଭାଙ୍ଗି ଦେଇଛି। ଆତଙ୍କର ବାଦଲ ସ୍ପଷ୍ଟ ବାରି ହୋଇପଡ଼ୁଛି। ସଭିଙ୍କ ମୁହଁରେ ଗୋଟିଏ କଥା, ଯଦି ଏଥର ବି ବାତ୍ୟା ‘ଜୱାଦ’ ‘ଫନି’ ଭଳି ଭୟଙ୍କର ରୂପ ଦେଖାଇଲା, ତେବେ ଅଣ୍ଟା ଭାଙ୍ଗିଯିବ। ଚାରିଆଡ଼େ ହା ହା କାର ଦେଖାଦେବ। ପ୍ରକୃତି କୋଳରେ ଶ୍ରୀକ୍ଷେତ୍ରର ଶ୍ରୀ ନଷ୍ଟଭ୍ରଷ୍ଟ ହୋଇଯିବ।

straitstimes.com

୨୦୧୯ ମେ’ ୩। ସକାଳୁ ସକାଳୁ ଆରମ୍ଭ ହୋଇଥିଲା ‘ଫନି’ର ତାଣ୍ଡବଲୀଳା। ବର୍ଷା ସାଙ୍ଗକୁ ପବନର ବେଗ ଏତେ ଜୋର ଥିଲା ‌ଯେ ନିମିଷକେ ସବୁକିଛି ଛାରଖାର ହୋଇଯାଇଥିଲା। ବିଜୁଳି ଖୁଣ୍ଟି ଉପାଡ଼ି ଫିଙ୍ଗି ଦେଇଥିଲା। ଆଜ୍‌ବେଷ୍ଟସ୍‌ ସବୁ ପତ୍ର ଭଳି ଉଡ଼ିଥିଲା। ଟେଲିଫୋନ୍‌ ଟାୱାର, ବିଜୁଳି ଟାୱାର ସବୁ ମୋଡ଼ି ଫିଙ୍ଗି ଦେଇଥିଲା। ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ବାଲୁଖଣ୍ଡ ଅଭୟାରଣ୍ୟ ଥୁଣ୍ଟା ମରୁଭୂମି ପାଲଟିଯାଇଥିଲା। ପୁରୀ ସମୁଦ୍ର କୂଳରେ ଜୁଆର ଏତେ ଉଚ୍ଚରେ ଆସିଥିଲା ଯେ ପେଣ୍ଠକଟାରେ ମତ୍ସ୍ୟଜୀବୀଙ୍କ ଡଙ୍ଗା ସବୁ ଘର ଉପରକୁ ଭାସି ପଳାଇଥିଲା। ନଡ଼ିଆ ଗଛ ସବୁ ଅଧାରୁ ମୋଡ଼ି ଭାଙ୍ଗି ଦେଇଥିଲା। ଗାଁ ଗଣ୍ଡା, ଘରଦ୍ବାର ସବୁ ନିମିଷକେ ମାଟିରେ ଲୋଟିଥିଲା। ମାସ ମାସ ଧରି ପାନୀୟ ଜଳଠାରୁ ଆରମ୍ଭ କରି ବିଜୁଳି ଓ ଅନ୍ୟାନ୍ୟ ସମସ୍ୟା ଭିତରେ ଲୋକେ ଦିନ କାଟିଥିଲେ। ସରକାରଙ୍କ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ପରେ ବିଜୁଳି, ପାନୀୟ ଜଳ ସୁବିଧା ସିନା, ସ୍ବାଭାବିକ ହୋଇଗଲା, କିନ୍ତୁ ଅନ୍ୟ ସମସ୍ୟା ଏବେ ବି ଲାଗି ରହିଛି। ବଡ଼ ସମସ୍ୟା ହୋଇ ରହିଛି ଘର। ଏବେ ବି ଲୋକେ ଫନି ସହାୟତାରୁ ବଞ୍ଚିତ ଅଛନ୍ତି। ଅନେକ ଲୋକ ଚିରା ପାଲ ତଳେ ଏବେ ବି ମୁଣ୍ଡ ଗୁଞ୍ଜିଛନ୍ତି। ଗାଁ ଗଣ୍ଡ‌ାରେ ଏହାକୁ ନେଇ ନିତି ଗଣ୍ଡଗୋଳ ଲାଗୁଛି। ନିର୍ବାଚନ ଆସିଲେ ଲୋକେ ବି ଏହାକୁ ପ୍ରସଙ୍ଗ କରୁଛନ୍ତି। ନଡ଼ିଆ, ଗୁଆ ବାରି କରି ଯେଉଁମାନେ ପରିବାର ଚଳାଉଥିଲେ, ସେମ‌ାନେ ଗରିବ ହୋଇ ଯାଇଛନ୍ତି। ସେ ନଡ଼ିଆ କି ଗୁଆବାରି ଆଉ ରୋଜଗାର ଦେଉନି। ଫନିର ଏହି ଘା’ ଶୁଖିନଥିବାବେଳେ ଆଉ ଏକ ବାତ୍ୟା ଆସିବା କେବଳ ପୁରୀବାସୀଙ୍କୁ ଆଶା ଓ ଆଶଙ୍କାର ବାତାବରଣ ଭିତରେ ରଖିଛି। ଯିଏ ଫନିକୁ ଦେଖିଛି, ସେ ବାତ୍ୟା ନାଁ ଶୁଣିଲେ ଥରହର ହେଉଛି। ଏବେ ବାତ୍ୟା ‘ଜୱାଦ’ ଏହିଭଳି ପରିସ୍ଥିତି ସୃଷ୍ଟି କରିଛି। କାରଣ ୧୯୯୯ ବାତ୍ୟା ଦେଖିବା ପରେ କେବେ ବି ଲୋକେ ‘ଫନି’ ଏତେ ଭୟଙ୍କର ରୂପ ନେଇ ଆସିବ ବୋଲି ଭାବି ନଥିଲେ। କିନ୍ତୁ ଫନିକୁ ଦେଖିବା ପରେ ସମସ୍ତେ ଭୟଭୀତ ଅବସ୍ଥାରେ ରହିଛନ୍ତି। ତେବେ ପରିସ୍ଥିତିକୁ ଆଖିଆଗରେରଖି ପ୍ରଶାସନ ପକ୍ଷରୁ ପ୍ରଅସ୍ତୁତି ଜୋରଦାର କରାଯାଇଛି।

ଜିଲ୍ଲାର ବ୍ରହ୍ମଗିରି, କୃଷ୍ଣପ୍ରସାଦ, କଣାସ, ଗୋପ, କୋଣାର୍କ, ଅସ୍ତରଙ୍ଗ ଆଦି ଅଞ୍ଚଳରେ ଯେଉଁମାନେ ତଳୁଆ ଅଞ୍ଚଳରେ ଅଛନ୍ତି, ବାତ୍ୟା ପୂବର୍ରୁ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପ୍ରଶାସନ ଉଦ୍ୟମ ଚଳାଇଛି। ଏନ୍‌ଡିଆର୍‌ଏଫ୍‌ ଓ ଓଡ୍ରାଫ୍ ଯିମ୍‌ ଉଦ୍‌ଦାର କାର୍ଯ୍ୟ ପାଇଁ ଜିଲ୍ଲାରେ ପହଞ୍ଚିସାରିଛନ୍ତି। ଅଗ୍ନିଶମ ବିଭାଗ ଓ ବିଦ୍ୟୁତ ବିଭାଗକୁ ପରିସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ରଖାଯାଇଛି। ସେହିପରି ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରି ପ୍ରଶାସନ ଜୱାଦ୍‌ର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର