କାୟା ମେଲାଉଛି ପ୍ରକୃତି କୋପ, ସମୁଦ୍ର ଜୁଆରରେ ନଷ୍ଟ ହେଉଛି ଜଙ୍ଗଲ

ବିପଦ ମୁହଁରେ ଦେବୀମୁହାଣ ଜଙ୍ଗଲ ସମେତ ଜନବସତି

ଅସ୍ତରଙ୍ଗ : ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରକୃତି ଖେଳୁଛି ଖେଳ। ପ୍ରକୃତିର କୋପ କାୟା ମେଲାଇ କରାଳ ରୂପ ଦେଖାଇଲାଣି। ସମୁଦ୍ର ପତନ ବଢୁଛି,ସାମୁଦ୍ରିକ ଜୁଆର ଆଗକୁ ମାଡ଼ିଆସି ପ୍ରଖର ସ୍ରୋତରେ ଦେବୀ ମୁହାଣ ନିକଟସ୍ଥ ଜଙ୍ଗଲଙ୍କୁ ଧୋଇ ନେଲାଣି। ଖାଲି ସେତିକି ନୁହେଁ, ନଦୀର ଗତିପଥ ବଦଳୁଥିବା ବେଳେ ତାର ପ୍ରଭାବରେ ହେନ୍ତାଳ ବଣ ବା ଲୁଣା ଜଙ୍ଗଲ କ୍ଷତିଗ୍ରସ୍ତ ହେବାରେ ଲାଗିଛି। ସେହିପରି ନଦୀବନ୍ଧର ସୁରକ୍ଷା ନିମନ୍ତେ ବିଭିନ୍ନ ସ୍ଥାନରେ ପଥର ପ୍ୟାକିଂ ଓ ନଦୀ ଭିତରକୁ ପଥର ସ୍ପର ହେବାରେ ନଦୀବନ୍ଧ ସିନା ସୁରକ୍ଷିତ କିନ୍ତୁ ଅନ୍ୟପଟେ ଜୁଆର ଭଟ୍ଟା ସମୟରେ ନଦୀକୂଳ ଖାଇବା ଜାରିରହିଛି। ଦେବୀ ନଦୀ ମୁହାଣ ନିକଟସ୍ଥ ସଂରକ୍ଷିତ ଜଙ୍ଗଲ ପ୍ରତି ଏବେ ବିପଦ ମୁଣ୍ତ ଟେକିଛି।

ସହନ ବିଟ୍ ହାଉସ୍‌ଠାରୁ ମାତ୍ର କେତେ ହାତ ଦୂରରେ ଜଙ୍ଗଲ ବିଭାଗ ଦ୍ବାରା ଚିହ୍ନଟ ୯ ନମ୍ବର ଖମ୍ବ ପାଖରେ ଜୁଆର ମାଡରେ ଜଙ୍ଗଲ ନଷ୍ଟ ହେଲାଣି। ଜଙ୍ଗଲ ଭିତରକୁ ପ୍ରାୟ ୧୦ ମିଟର ପର୍ଯ୍ୟନ୍ତ ୩ରୁ ୪ଫୁଟର ପାଣି ମାଡ଼ିଆସୁଛି। ଜୁଆର ଭଟ୍ଟାର ପ୍ରଖର ସ୍ରୋତରେ ବାଲି ଧୋଇହୋଇ ଗଛ ମୂଳ ଉପୁଡ଼ିବା ସହ ଜଙ୍ଗଲର ଧ୍ବଂସ ହେବାରେ ଲାଗିଛି।ବିଗତ ଦୁଇବର୍ଷ ମଧ୍ୟରେ ଦେବୀ ମୁହାଣ ସଂଲଗ୍ନ ନିକଟସ୍ଥ ଜଙ୍ଗଲ ଯେଉଁ ହାରରେ କ୍ଷୟ ହେଉଛି ତାହା ଆଗକୁ ଜାରି ରହିଲେ ଜଙ୍ଗଲ ସମ୍ପଦ ପାଇଁ ବଡ଼ ବିପଦ ସୃଷ୍ଟିହେବା ଆଶଙ୍କା ସୃଷ୍ଟି ହୋଇଛି।

iStock

ପ୍ରକାଶ ଥାଉକି,ଜଳବାୟୁର ବ୍ୟାପକ ପରିବର୍ତ୍ତନ ଯୋଗୁ ନଦୀ ଓ ସମୁଦ୍ର ଜଳ ପତନ ବୃଦ୍ଧିପାଇବାରେ ଲାଗିଛି। ଜୁଆର ସମୟରେ ଜଳରାଶି କୂଳ ଆଡ଼କୁ ମାଡ଼ିଆସି କେଉଁଠି ବାଲିଚରରେ ପରିଣତ ହେଲାଣି ତ ଅନ୍ୟ କେଉଁଠି ଗଭୀର ଗଣ୍ତ ସୃଷ୍ଟି କଲାଣି। ସମୁଦ୍ରକୁ ସଂଲଗ୍ନ ଦେବୀ ନଦୀରେ ପ୍ରତିଦିନର ଜୁଆର ଭଟ୍ଟାର ପ୍ରଖର ସ୍ରୋତ କୂଳ ଖାଇବା ଫଳରେ ନଦୀର ଗତିପଥ ବଦଳୁଛି। ଦେବୀର ଦକ୍ଷିଣ ପାର୍ଶ୍ବରେ ବ୍ୟାପକ ପ୍ରଭାବ ପଡ଼ି ଗତ ତିନି ଦଶନ୍ଧି ମଧ୍ୟରେ ବିଭିନ୍ନ ସ୍ଥାନରେ ପୂର୍ବରୁ ଥିବା ହଜାର ହଜାର ଏକର ଚାଷଜମି ନଦୀ ଗର୍ଭରେ ହଜିଗଲାଣି। ଜମିବାଡ଼ି, ଭିଟାମାଟି ହରାଇ ଲୋକେ ଅନ୍ୟତ୍ର ରହୁଛନ୍ତି। ସେହିପରି ଦେବୀନାଶୀର ନୂଆଗଡ଼ଠାରୁ ସହନ, ଦେବୀମୁହାଣ, କଣମଣ ଓ କେଉଟଜଙ୍ଗା ପର୍ଯ୍ୟନ୍ତ ଜୁଆରପାଣି ମାଡ଼ରେ ବିଭିନ୍ନ ସ୍ଥାନରେ କୂଳ ଖାଇବାରେ ଲାଗିଛି। ଫଳରେ ପାଣି ଆସି ନଦୀବନ୍ଧକୁ ଛୁଇଁବା ଦେଖିବାକୁ ମିଳୁଛି।

୧୯୯୯ ମହାବାତ୍ୟା ପରେ ସାମୁଦ୍ରିକ ଝଡ଼ କିମ୍ବା ସମୁଦ୍ର ଅଶାନ୍ତ ସମୟରେ କେଉଟଜଙ୍ଗା, ଉଦୟକଣି ନିକଟରେ ସମୁଦ୍ର ବହୁବାର କୂଳ ଲଙ୍ଘିବାରୁ ସେଠାରେ ପୂର୍ବରୁ ଭିଟାମାଟି ସମୁଦ୍ରରେ ନିଶ୍ଚିହ୍ନ ହୋଇଯାଇଥିଲା। ଫଳରେ ସ୍ଥାନୀୟ ଲୋକେ ଅନ୍ୟତ୍ର ବିସ୍ଥାପିତ ହୋଇଛନ୍ତି। ଯେଉଁଠି ଦିନେ ଜନବସତି ଥିଲା ସେଠି ଏବେ ସମୁଦ୍ର ଲହଡି ପିଟିବା ସମେତ ଅନେକ ସ୍ଥାନରେ ବାଲିବନ୍ତ ଛିଡ଼ା ହେଲାଣି। ତେଣୁ ଏହି ଉପକୂଳର ସୁରକ୍ଷା ଓ ବିପର୍ଯ୍ୟୟ ପ୍ରଶମନ ପାଇଁ ବୈଜ୍ଞାନିକ ପଦ୍ଧତିରେ ଯୋଜନା ପ୍ରଣୟନ ସହ ବ୍ୟାପକ ବୃକ୍ଷରୋପଣ ପାର୍ଇ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର