ନାଟ୍ୟ ମହାରଥୀ ରାଜେନ୍ଦ୍ର ପଣ୍ଡାଙ୍କ ପରଲୋକ

ସମ୍ବଲପୁର : ନାଟ୍ୟ ମହାରଥୀ ବିଶିଷ୍ଟ ନିର୍ଦ୍ଦେଶକ ତଥା ଅଭିନେତା ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କର ଗୁରୁବାର ଦିନ ୧୧ଟା ୧୫ ସମୟରେ ପରଲୋକ ହୋଇଯାଇଛି। ସେ କରୋନାରେ ଆକ୍ରାନ୍ତ ହୋଇ ଗତ ୭ ତାରିଖରୁ ସ୍ଥାନୀୟ ଆରୋଗ୍ୟମ୍ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ବୁଧବାର ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି ଦେଖାଦେଇଥିଲା। ସମ୍ବଲପୁର ନନ୍ଦପଡ଼ା ବରିହାଗଳି ନିବାସୀ ରାଜେନ୍ଦ୍ର ପଣ୍ଡା ୮୨ ବର୍ଷ ବୟସରେ ଆଖି ବୁଜିଥିଲେ। ସେ ନାଟ୍ୟ ଜଗତରେ ‘ରାଜୁ ଦା’ ଭାବରେ ପରିଚିତ ଥିଲେ।

ତାଙ୍କର ପତ୍ନୀ, ଦୁଇ ପୁଅ ସଂଜୀବ ଏବଂ ସମ୍ବିତ, ଦୁଇ ଝିଅ ସୁସ୍ମିତା ଏବଂ ସୁପ୍ରଭା, ନାତି, ନାତୁଣି ଓ ଆତ୍ମୀୟ ପରିଜନ ଅଛନ୍ତି। ରାଜୁଦାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ସମ୍ବଲପୁର ସହର ସମେତ ସମଗ୍ର ରାଜ୍ୟର କଳାପ୍ରେମୀ ମହଲରେ ଶୋକର ଛାୟା ଖେଳି ଯାଇଥିଲା। ରାଜଘାଟଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ବଡ଼ ପୁଅ ସଂଜୀବ ମୁଖାଗ୍ନି ଦେଇଥିଲେ।

୬୭ ବର୍ଷର ନାଟକରେ ଯବନିକା
ରାଜେନ୍ଦ୍ର ପ୍ରସାଦ ପଣ୍ଡା ଓରଫ ରାଜୁ ଦା’ଙ୍କ ୬୭ ବର୍ଷର ନାଟ୍ୟ ଜୀବନରେ ଯବନିକା ପଡ଼ିଛି। ଛାତ୍ର ଜୀବନରୁ ୧୯୫୩ ମସିହାରୁ ସେ ନାଟକ ସହ ଜଡ଼ିତ ରହିଥିଲେ। ଆରମ୍ଭରୁ ସେ ଜଣେ ଚମତ୍କାର ଅଭିନେତା ଥିଲାବେଳେ ପରବର୍ତ୍ତୀ ସମୟରେ ଜଣେ ଦକ୍ଷ ନିର୍ଦ୍ଦେଶକ ଭାବେ ପ୍ରସିଦ୍ଧି ଲାଭ କରିଥିଲେ। ସମ୍ବଲପୁର କଳା ପରିଷଦରୁ ଆରମ୍ଭ କରି ‘କଖଗ’ ପର୍ଯ୍ୟନ୍ତ ସହରର ଏଭଳି କୌଣସି କଳା ଓ ସାଂସ୍କୃତିକ ଅନୁଷ୍ଠାନ ନଥିବ ‌ଯାହା ସହ ରାଜୁ ଦାଦା ଜଡ଼ିତ ନଥିଲେ। ସେ ମଧ୍ୟ ସମ୍ବଲପୁରୀ ନାଟ୍ୟ ପରିଷଦ ନାମକ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ। ସମସ୍ତ ନାଟ୍ୟ ଅଭିନେତା, ନିର୍ଦ୍ଦେଶକ ଓ ଅନୁଷ୍ଠାନ ତାଙ୍କୁ ନିଜର ଉପଦେଷ୍ଟାଭାବେ ବିବେଚନା କରୁଥିଲେ।

‘ଗଉଁତିଆ ବାବୁ’ରେ ଅଭିନୟ, ‘ଭୁଖା’ ଓ ‘ଉଖି’ରେ ନିର୍ଦ୍ଦେଶନା
ଛାତ୍ରଜୀବନରୁ ଆରମ୍ଭ କରି ଶହଶହ ଓଡ଼ିଆ ଓ ସମ୍ବଲପୁରୀ ନାଟକରେ ଅଭିନୟ କରିଥିବା ରାଜେନ୍ଦ୍ର ପ୍ରସାଦ ପଣ୍ଡା ମୁରାରୀ ମିଶ୍ରଙ୍କ ରଚିତ ସର୍ବପ୍ରଥମ ସମ୍ବଲପୁରୀ ନାଟକ ‘ଗଉଁତିଆ ବାବୁ’ରେ ଅଭିନୟ କରିଥିଲେ। କାଳିବାଡ଼ିରେ ମଞ୍ଚସ୍ଥ ଏହି ନାଟକରେ ତାଙ୍କର ବଳିଷ୍ଠ ଅଭିନୟ ସମ୍ବଲପୁରୀ ନାଟକର ମାନକୁ ଆରମ୍ଭରୁ ଏକ ଉଚ୍ଚସ୍ତରରେ ପହଞ୍ଚାଇଥିଲା। ମଙ୍ଗଳୁ ଚରଣ ବିଶ୍ବାଳଙ୍କ ରଚିତ ଦୁଇ ବହୁଚର୍ଚ୍ଚିତ ସମ୍ବଲପୁରୀ ନାଟକ ‘ଭୁଖା’ ଓ ‘ଉଖି’ର ସେ ନିର୍ଦ୍ଦେଶକ ଥିଲେ।

ସମ୍ବନ୍ଧିତ ଖବର