ନାଟ୍ୟଗୁରୁ ହରିହର ମିଶ୍ର ଆଉ ନାହାନ୍ତି

ବରଗଡ଼ : ବର୍ଷୀୟାନ ନାଟ୍ୟଗୁରୁ ହରିହର ମିଶ୍ରଙ୍କ ଶନିବାର ଭୋର୍‌ ୩ଟା ବେଳେ ପରଲୋକ ହୋଇଛି। ତାଙ୍କୁ ୭୫ ବର୍ଷ ବୟସ ହେଉଥିଲା। ବାର୍ଦ୍ଧକ୍ୟଜନିତ କାରଣରୁ ସେ କିଛି ଦିନ ହେଲା ଅସୁସ୍ଥ ଥିଲେ। ଭୋର୍‌ରେ ହଠାତ୍‌ ତାଙ୍କ ସ୍ବାସ୍ଥ୍ୟ ବିଗିଡ଼ି ଯାଇଥିଲା। ବରଗଡ଼ କଲେଜ୍‌ ରୋଡ୍‌ କଂସ ଗଳିସ୍ଥିତ ବାସଭବନରେ ତାଙ୍କ ପରଲୋକ ଘଟିଥିଲା। ମୃତ୍ୟୁଶଯ୍ୟା ନିକଟରେ ସ୍ତ୍ରୀ କୁନ୍ତଳା, ପାଞ୍ଚ ଝିଅ ପ୍ରତିମା, ପ୍ରଦୀପ୍ତା, ପ୍ରମିଳା, ପ୍ରବୀଣା ଓ ପ୍ରଣତି, ଜ୍ବାଇଁ ବ୍ୟାସଦେବ, ସରୋଜ, ଅରବିନ୍ଦ, ଅମିତ ଓ ସତ୍ୟକାନ୍ତଙ୍କ ସମେତ ଅନ୍ୟ ପରିବାରବର୍ଗ ଉପସ୍ଥିତ ଥିଲେ। ଜୀରା ନଦୀ କୂଳ ସ୍ବର୍ଗଦ୍ବାରରେ ତାଙ୍କ ଅନ୍ତ୍ୟେଷ୍ଟି ସଂପନ୍ନ ହୋଇଛି।

‌ତାଙ୍କ ମରଶରୀରକୁ ସୌଖୀନ କଳାକାର ସଂଘ ପରିସରକୁ ଅଣାଯାଇଥିଲା। ସେଠାରେ ବହୁ କଳାପ୍ରେମୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ।

ସ୍ବର୍ଗତ ମିଶ୍ର ପେସାରେ ଜଣେ ଆଇନଜୀବୀ ଥିଲେ। କିନ୍ତୁ ଜୀବନବ୍ୟାପୀ ନାଟକ ଥିଲା ତାଙ୍କ ନିଶା । ୧୯୪୬ ମସିହା ଏପ୍ରିଲ ୧ ତାରିଖରେ ବରଗଡ଼ରେ ଜନ୍ମିତ ହରିହର ମିଶ୍ର ୨ ଶହରୁ ଅଧିକା ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି। ପାଖାପାଖି ଦେଢ଼ଶହରୁ ଅଧିକ ନାଟକରେ ସେ ଉଚ୍ଚେକୋଟୀର ଅଭିନୟ କରିଛନ୍ତି। ନାଟକ ଜଗତରେ ସେ ଭୀଷ୍ମ ପିତାମହ ଭାବେ ବିବେଚନା ହୁଅନ୍ତି। ସଂଗୀତ ଶାସ୍ତ୍ରରେ ସେ ବିଶାରଦ ଲାଭ କରିଥିଲେ। ସେ ଓଡ଼ିଶୀ, ଚମ୍ପୁ, ଛାନ୍ଦ, ଭଜନ ଗାୟନରେ ମଧ୍ୟ ସିଦ୍ଧହସ୍ତ ଥିଲେ। ୨୦୨୧ ମସିହାରେ ତାଙ୍କୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସ୍ବର୍ଗତ ହରିହର ମିଶ୍ରଙ୍କ ସଫଳ ନିର୍ଦ୍ଦେଶନାରେ କ୍ଷୁଧା, ନଅଙ୍କ, ଶୁଣ ପରୀକ୍ଷ ଦଣ୍ଡଧାରୀ, ବୁଲା କୁକୁରର ଜନ୍ମ ବୃତ୍ତାନ୍ତ, ଗୋଇଠା ବାବା, ଇଚ୍ଛା ବନାମ୍ ପଦ୍ମନାଭ, ବରୁ୍ଆ, ଉଖି, ମାଂସର ଫୁଲ, ନିଷିଦ୍ଧ ନଗରୀ ପ୍ରଭୃତି ନାଟକ ବିଭିନ୍ନ ମଂଚରେ ପ୍ରଦର୍ଶିତ ହୋଇ ଦର୍ଶକଙ୍କ ଦ୍ବାରା ଖୁବ୍ ପ୍ରଶଂସିତ ‌ହୋଇଛି। ସେ ରାଉରକେଲା କଲଚରାଲ ଏକାଡେମି, କଟକ ଅନ୍ନପୂର୍ଣ୍ଣା ଥିଏଟର ‘ବି’ ଗ୍ରୁପ, ସମ୍ବଲପୁର ନାଟ୍ୟକଳା ପରିଷଦ, ଭୁବନେଶ୍ବର ଇଣ୍ଟରନ୍ୟାସନାଲ ଥିଏଟର, ସମ୍ବଲପୁର ପଶ୍ଚିମ ଓଡ଼ିଶା ଯୁବ ପରିଷଦ, ବରଗଡ଼ ଉତ୍କଳ ଗୌରବ କଳାକାର ସଂଘ ପ୍ରଭୃତି ବହୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି।

ସମ୍ବନ୍ଧିତ ଖବର