ନୟାଗଡ଼ : ନୟାଗଡ଼ର ବିଶିଷ୍ଟ ନାଟ୍ୟକାର ଓ ଶିକ୍ଷକ ଫକୀର ଚରଣ ପଟ୍ଟନାୟକଙ୍କ ଏକାଦଶାହ ଉପ‌ଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଈଶ୍ବର କଲ୍ୟା‌ଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସ୍ବର୍ଗତ ପଟ୍ଟନାୟକଙ୍କ ଛାତ୍ର, ଗୁଣଗ୍ରାହୀମାନେ ଯୋଗ ଦେଇ ଫକୀର ସାର୍ ଜଣେ ଅନନ୍ୟ ଶିକ୍ଷକ ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ସତ୍ୟ, ନିଷ୍ଠା, କର୍ତ୍ତବ୍ୟପରାୟଣତାରେ ସେ ଜଣେ ଭରପୂର ମଣିଷ ଥିଲେ ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ମତପ୍ରକାଶ ପାଇଥିଲା। ଏହି ସଭାରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ସ୍ବର୍ଗତ ପଟ୍ଟନାୟକଙ୍କ ଶାଳକ ତଥା ‘ସମ୍ବାଦ’ର ସମ୍ପାଦକ, ବିଧାୟକ ‌ସୌମ୍ୟରଞ୍ଜନ ପଟ୍ଟନାୟକ, ଫକୀର ଚରଣ ପଟ୍ଟନାୟକଙ୍କ ସ୍ମୃତିଚାରଣ କରି କହିଲେ, ସେ ଜଣେ ବିରଳ ଶିକ୍ଷକ ଥିଲେ। ତାଙ୍କର ବହୁ ଛାତ୍ରଛାତ୍ରୀ ତାଙ୍କୁ ଆନ୍ତରିକତାର ସହ ଭକ୍ତି ଓ ସମ୍ମାନ କରୁଥିଲେ। ତାଙ୍କର ଏଭଳି ଲୋକପ୍ରିୟତାକୁ କିଛି ଶିକ୍ଷକ ଈର୍ଷା ମଧ୍ୟ କରୁଥିଲେ। ଅନେକ ଛାତ୍ର ଓ ଶିକ୍ଷକଙ୍କ ପାଇଁ ସେ ଆଦର୍ଶ। ତାଙ୍କର ସମ୍ପର୍କୀୟ ଭାବେ ଆମେ ଗର୍ବ ଅନୁଭବ କରୁ। ସ୍ବର୍ଗତ ପଟ୍ଟନାୟକଙ୍କ ଛାତ୍ର ନାରାୟଣ ମହାପାତ୍ର ଓ ପୂର୍ଣ୍ଣଚନ୍ଦ୍ର ସାହୁ ତାଙ୍କର ସ୍ମୃତିଚାରଣ କରିଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ସୁରଞ୍ଜନ ପଟ୍ଟନାୟକ, ଜ୍ଞାନରଞ୍ଜନ ପଟ୍ଟନାୟକ, ତାରାରଞ୍ଜନ ପଟ୍ଟନାୟକ, ଡ. ବରେନ୍ ପଟ୍ଟନାୟକ, ବିଧାନ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଏହି ପାରିବାରିକ କାର୍ଯ୍ୟକ୍ରମକୁ ଆସିଥିଲେ। ଜାମାତା ସନତ୍ ପଟ୍ଟନାୟକ, ଭବାଶିଷ ଦାସ, ପତିପାବନ ମହାପାତ୍ର ଓ ଏକମାତ୍ର ପୁତ୍ର ସନ୍ଦୀପ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Advertisment

ଉଲ୍ଲେଖଯୋଗ୍ୟ, ୧୯୨୮ ମସିହାରେ ନୟାଗଡ଼ ପୁରୁଣା ସହରରେ ଜନ୍ମଗ୍ରହଣ କରିଥିବା ସ୍ବର୍ଗତ ପଟ୍ଟନାୟକ ୧୯୫୦ ମସିହାରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। କୋରାପୁଟ ହାଇସ୍କୁଲ, ଖଣ୍ଡପଡ଼ା ହାଇସ୍କୁଲ୍‌ରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରିଥିବା ସ୍ବର୍ଗତ ପଟ୍ଟନା‌ୟକ ନୟାଗଡ଼ ଇଟାମାଟି ହାଇସ୍କୁଲ, ଜଟଣୀ ହାଇସ୍କୁଲ, ଦଶପଲ୍ଲା ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ। ୧୯୮୬ ମସିହାରେ ନୟାଗଡ଼ର ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ଭାବେ ଅବସର ଗ୍ରହଣ କରିଥିଲେ। ନୟାଗଡ଼ର ବହୁ ଶିକ୍ଷକ, ଅଧ୍ୟାପକ ଆଜିର ଶ୍ରଦ୍ଧାଞ୍ଜଳି ସଭାରେ ସାମିଲ ହୋଇ ସ୍ବର୍ଗତ ଆତ୍ମାର ସଦ୍‌ଗତି କାମନା କରିଥିଲେ।