ଆରପାରିରେ ନାଟ୍ୟକାର ନାରାୟଣ ଶତପଥୀ

ଭୁବନେଶ୍ୱର : ବିଶିଷ୍ଟ ନାଟ୍ୟକାର ପ୍ରଫେସର ନାରାୟଣ ଶତପଥୀଙ୍କର ଆଜି ଅପରାହ୍ଣ ସାଢ଼େ ୨ଟା ସମୟରେ ମାଉସୀମା ଛକ ନିକଟସ୍ଥ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ତାଙ୍କ ପରଲୋକ ଖବର ପାଇ ନାଟ୍ୟଜଗତ ସହ ଜଡ଼ିତ ବହୁ ବ୍ୟକ୍ତିବିଶେଷ ଏବଂ ସାହିତ୍ୟିକ ତାଙ୍କ ଶେଷ ଦର୍ଶନ କରିଥିଲେ।

ଶିକ୍ଷାବିତ୍‌, ନାଟ୍ୟକାର, କବି, ଆଲୋଚକ ଓ ଅଭିନେତା ଭାବେ ଖ୍ୟାତ ପ୍ରଫେସର ଶତପଥୀ ୧୯୩୩ ମସିହା ସେପ୍ଟେମ୍ବର ୬ ତାରିଖରେ ଜଟଣୀ ରାମଚନ୍ଦ୍ରପୁର (ବଡ଼ ନୂଆଗାଁ)ରେ ଜନ୍ମ ଗ୍ରହଣ କରିଥିଲେ। ପିଲାବେଳୁ ନାଟକ ପ୍ରତି ଦୁର୍ବଳତା ଥିଲା। ଯୁବାବସ୍ଥାରେ ସେ ଜଟଣୀର ଉତ୍ତରାୟଣୀ କ୍ଲବ୍‌ ସହ ସଂଶ୍ଳିଷ୍ଟ ହୋଇ ନାଟ୍ୟ କ୍ଷେତ୍ରରେ ପାହାଚ ଚଢ଼ିଚାଲିଥିଲେ। ସହସ୍ର ଶିଖା, ପାହାନ୍ତି ତାରା, ଫଲ୍‌ଗୁର ବନ୍ୟା, ମୃଗନାଭି, ଜଳ ତରଙ୍ଗ, ତମକୁ ମିଛ ମତେ ସତ, କଣ୍ଟକାଚ ଭଳି ନାଟକ ଲେଖି ସେ ଚର୍ଚିତ ହୋଇଥିଲେ। ଏଥିସହ ଅସମାପ୍ତ ହେ କବିତା, ଅଗ୍ନି ସ୍ୱାକ୍ଷର, ଅସଂଲଗ୍ନ ପାଖୁଡ଼ା, ଗାଥା ହଂସର ଭଳି କବିତା ପୁସ୍ତକ ସମେତ ନାଟକ ଓ ନାଟ୍ୟକାର ଆଲୋଚନା ପୁସ୍ତକ ଲେଖିଥିଲେ। ଏଥିସହ ଉଲ୍‌କା, ଅମଡ଼ାବାଟ, ବତାଶି ଝଡ଼, ପିପାସା ଭଳି ଚଳଚ୍ଚିତ୍ରରେ ନିଜର ଅଭିନୟ ସ୍ୱାକ୍ଷର ଛାଡ଼ି ଲୋକପ୍ରିୟ ହୋଇପାରିଥିଲେ।

୧୯୫୮ରେ ସଚିବାଳୟରେ ଚାକିରି ଜୀବନ ଆରମ୍ଭ କରିଥିବା ସ୍ୱର୍ଗତ ଶତପଥୀ ପରେ ଅଧ୍ୟାପନାକୁ ଆସିଥିଲେ। ଖଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ, ଫୁଲବାଣୀ କଲେଜ୍‌, ସମ୍ବଲପୁର ଗଙ୍ଗାଧର ମେହେର କଲେଜ୍‌, ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ପୁରୀ ମହିଳା ମହାବିଦ୍ୟାଳୟ, ବିଜେବି କଲେଜ୍‌ରେ ଅଧ୍ୟାପନା କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ଅଶୋକ, ଅଜୟ, ଅକ୍ଷୟ, ଝିଅ ଶ୍ରଦ୍ଧାଙ୍କ ସମେତ ପୁତୁରା ବିପ୍ଳବ ଏବଂ ଅନ୍ୟ ପରିବାର ଲୋକ ଉପସ୍ଥିତ ଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ବଡ଼ପୁଅ ଅଶୋକ ଶତପଥୀ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧିତ ଖବର