ଭବାନୀପାଟଣା : ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ଜାତୀୟ ନାଟକ ମହୋତ୍ସବ ଭବାନୀପାଟଣା ସ୍ମାରକୀ ନାଟ୍ୟ ସଂସ୍ଥା ପକ୍ଷରୁ ଲେଖକ କଳାପରିଷଦ ପରିସରରେ ଅନୁଷ୍ଠିତ ହେଉଛି। ଶନିବାର ନାଟକ ମହୋତ୍ସବରେ ମୁଖ୍ୟ ଅତିଥି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ସମ୍ମାନିତ ଅତିଥି ମହାବୀର ସାଂସ୍କୃତିକ ଅନୁଷ୍ଠାନ ସଭାପତି ଜୟନ୍ତ ବେହେରା, ବିଶିଷ୍ଟ ନାଟ୍ୟକାର ଅଶୋକ ପାତ୍ର ଯୋଗ ଦେଇଥିଲେ। ବିରଞ୍ଚି ନାରାୟଣ ମୁଣ୍ଡ ମଞ୍ଚ ପରିଚାଳନା କରିଥିବା ବେଳେ ସ୍ମାରକୀ ନାଟ୍ୟ ସଂସ୍ଥାର ସମ୍ପାଦକ ଆଶୁତୋଷ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।
ଶନିବାର ମାନବ କଣ୍ଢେଇ ନାଟକ ବେଦୁଲା ଲକ୍ଷ୍ମୀଧ ମଞ୍ଚସ୍ଥ ହୋଇଥିଲା। କୋଲକତା ବୀରଭୂମ ସଂସ୍କୃତି ବାହିନୀ ଆନୁକୂଲ୍ୟରେ ମଞ୍ଚସ୍ଥ ଏହି ନାଟକକୁ ଡ. ଉଜ୍ବଳ ମୁଖୋପାଧ୍ୟାୟ ରଚନା ଓ ନିର୍ଦ୍ଦେଶନା ଦେଇଥିଲେ। ମନସା ମଙ୍ଗଲ ମଧ୍ୟଯୁଗରେ ଆର୍ଯ୍ୟ ଏବଂ ଅଣଆର୍ଯ୍ୟ ସଂସ୍କୃତିର ଏକ ମିଲନ କାହାଣୀ ଅଟେ। ମର୍ତ୍ତ୍ୟରେ ମନସାଙ୍କର କୌଣସି ପୂଜା ନାହିଁ। ତେଣୁ ସ୍ୱର୍ଗରେ ସମସ୍ତେ ଦେବତା ଓ ଦେବୀ ମନସାଙ୍କୁ ପରିହାସ କଲେ। ଯଦି ଚାନ୍ଦ ସୌଦାଗର ମର୍ତ୍ତ୍ୟରେ ମନସାଙ୍କୁ ପୂଜା କରନ୍ତି, ତେବେ ମର୍ତ୍ତ୍ୟର ମଣିଷ ମନସାଙ୍କୁ ପୂଜା କରିବେ। ଚନ୍ଦ୍ର ସମ୍ପୂର୍ଣ୍ଣ ଶିବ, ସେ ମନସାଙ୍କୁ ପୂଜା କରିବେ ନାହିଁ ବୋଲି ଏହି ନାଟକର ମୂଳ ସାରାଂଶ ଥିଲା। ମାନବ କଣ୍ଢେଇ ନୃତ୍ୟ ହେଉଛି ବଙ୍ଗଳାର ଏକ ହଜି ଯାଉଥିବା ଲୋକକଳା। ଏହି ନାଟକରେ ଲୋକମାନେ କଣ୍ଢେଇ ପରି ଅଭିନୟ କରିଥାନ୍ତି।
କାର୍ଯ୍ୟକ୍ରମର ତୃତୀୟ ଦିନରେ (ରବିବାର) ଓଡ଼ିଆ ନାଟକ ବାଞ୍ଛାର ବଗିଚା ମଞ୍ଚସ୍ଥ ହୋଇଛି। ଏହି ନାଟକର ମୂଳ ରଚନା ମନୋଜ ମିତ୍ର କରିଥିବା ବେଳେ ଧୀର ମଲ୍ଲିକ ଏହାର ଅନୁବାଦ କରିଛନ୍ତି। ଦର୍ପ ନାରାୟଣ ସେଠୀ ନାଟକର ନିର୍ଦ୍ଦେଶନା ଦେଇଛନ୍ତି। ଭୁବନେଶ୍ବର ଶତାବ୍ଦୀର କଳାକାରମାନଙ୍କ ଦ୍ବାରା ଏହି ନାଟକ ମଞ୍ଚସ୍ଥ ହୋଇଛି। ଏହି ନାଟକ ଉତ୍ସବରେ ମୁଖ୍ୟ ଅତିଥି ନର୍ଲା ବିଧାୟକ ଭୂପିନ୍ଦର ସିଂହ, ସମ୍ମାନିତ ଅତିଥି ଧର୍ମଗଡ଼ ବିଧାୟକ ମୌଷଧି ବାଗ, ସାମ୍ବାଦିକ ଉମାଶଙ୍କର କର ଯୋଗ ଦେଇଥିଲେ। ବିରଞ୍ଚି ନାରାୟଣ ମୁଣ୍ଡ ମଞ୍ଚ ପରିଚାଳନା କରିଥିବା ବେଳେ ସ୍ମାରକୀ ନାଟ୍ୟସଂସ୍ଥାର ସମ୍ପାଦକ ଆଶୁତୋଷ ପୁରୋହିତ ଧନ୍ୟବାଦ ଦେଇଥିଲେ। ଆଲୋକ ସାହୁ, ସୌରଭ ମହାପାତ୍ର, ରାମେଶ୍ବର ତ୍ରିପାଠୀ, ତଥାଗତ ମିଶ୍ର, ଅନୁରାଗ ଦାସ, ଲିପ୍ସା ମହାରଣା, ପୁଷ୍ପାଞ୍ଜଳି ଦୀପ, ପ୍ରଜ୍ଞା ପାରମିତା ନାୟକ, ଗୋପୀ ନାୟର, ଶାଳିନୀ ମହାପାତ୍ର, ଆଦ୍ୟାଶା ବେହେରା, ପ୍ରତ୍ୟୁଷ ପାତ୍ର, ଶୁଭମ ବେହେରା, ସୌମ୍ୟରଞ୍ଜନ ଜେନା, ଲିପ୍ସା ବାରିକ, ସସ୍ମିତା ସାହୁ, ସୁଶୀଲ ଆଚାର୍ଯ୍ୟ ସହଯୋଗ କରିଥିଲେ।