ଭୁବନେଶ୍ବର : ବିଜୟନଗରମ୍-ଟିଟିଲାଗଡ଼-ରାଇପୁର ରେଳ ଲାଇନ୍ର ୫୬ କିମି ଲମ୍ବ ଲାଞ୍ଜିଗଡ଼ ରୋଡ୍-ଜୁନାଗଡ଼ ରୋଡ୍ ରେଳ ସେକ୍ସନ ଓ ହାୱଡା-ଚେନ୍ନାଇ ମୁଖ୍ୟ ରେଳ ଲାଇନ୍ର ୯୦ କିମି ଲମ୍ବ ନୌପଡ଼ା-ଗୁଣୁପୁର ରେଳ ସେକ୍ସନ୍ର ବିଦ୍ୟୁତୀକରଣ କାର୍ଯ୍ୟ ଏ ବର୍ଷ ଶେଷ ହେବ। ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଲାଞ୍ଜିଗଡ଼ ରୋଡ୍-ଜୁନାଗଡ଼ ରୋଡ୍ ରେଳ ସେକ୍ସନରେ ବିଦ୍ୟୁତୀକରଣରେ ୬୨କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ନୌପଡ଼ା-ଗୁଣୁପୁର ରେଳ ସେକ୍ସନ୍ରେ ବିଦ୍ୟୁତୀକରଣରେ ପ୍ରାୟ ୧୦୫କୋଟି ଟଙ୍କା ଖର୍ଚ୍ଚ କରାଯାଉଛି।
ସମ୍ବଲପୁର ରେଳ ମଣ୍ଡଳରେ ବିଭିନ୍ନ ରେଳ ସେକ୍ସନ ଯଥା ଝାରସୁଗୁଡ଼ା-ସମ୍ବଲପୁର, ସମ୍ବଲପୁର-ଅନୁଗୁଳ, ସମ୍ବଲପୁର-ଟିଟିଲାଗଡ଼, ଟିଟିଲାଗଡ଼-ସିଙ୍ଗାପୁର ରୋଡ୍ ଓ ଟିଟିଲାଗଡ଼-ରାୟପୁର ରେଳ ସେକ୍ସନଗୁଡ଼ିକରେ ବିଦ୍ୟୁତୀକରଣ କାର୍ଯ୍ୟ ସମାପ୍ତ ହୋଇଛି। ଏବେ ଇଲେକ୍ଟ୍ରିକ୍ ରେଳ ଇଞ୍ଜିନ ଦ୍ୱାରା ଟ୍ରେନ୍ ଚଳାଚଳ କରୁଛି। ଏହା ବ୍ୟତୀତ ଟିଟିଲାଗଡ଼-ରାୟପୁର ରେଳ ସେକ୍ସନ୍ର ବେଲସୋଣ୍ଡା-କୋମାଖନ-ଖରିଆର ରୋଡ୍ ରେଳ ସେକ୍ସନରେ କାର୍ଯ୍ୟ ଚଳିତ ମାସ ଶେଷ ସୁଦ୍ଧା ସମାପ୍ତ ହୋଇଯିବ। ଏଥିସହ ଚାଲୁ ରହିଥିବା ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପରେ ଉଭୟ ପାର୍ଶ୍ୱରୁ ବିଦ୍ୟୁତୀକରଣ କାର୍ଯ୍ୟ ଆରମ୍ଭ ହୋଇଛି। ୨୮୯ କିମି ଲମ୍ବ ଏହି ରେଳ ପ୍ରକଳ୍ପ ପାଇଁ ପ୍ରାୟ ୨୬୫ କୋଟି ଟଙ୍କା ବ୍ୟୟ କରାଯିବ।
ପୂର୍ବତଟ ରେଳପଥ ମଧ୍ୟରେ ଏହି ସବୁ ରେଳ ସେକ୍ସନ୍ରେ ବିଦ୍ୟୁତୀକରଣ କାର୍ଯ୍ୟ ସମ୍ପାଦନ ପରେ ଡିଜେଲ ଇଞ୍ଜିନ ପରିବର୍ତ୍ତେ ଇଲେକ୍ଟ୍ରିକ୍ ଇଞ୍ଜିନ୍ ଟ୍ରେନ୍ ଚଳାଚଳ କରିବ। ଏହା ଟ୍ରେନ୍ଗୁଡ଼ିକର ବେଗ ବୃଦ୍ଧି କରିବା ସହ ଡିଜେଲ ବାବଦରେ ବ୍ୟୟ ହ୍ରାସ କରିବ। କମ୍ ଖର୍ଚ୍ଚରେ ଟ୍ରେନ୍ ଚଳାଚଳ କରିପାରିବ। ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ସରିବା ପରେ ଏଥିରେ ବିଦ୍ୟୁତ୍ ସଂଯୋଗ କରାଯାଇ ଚାର୍ଜ କରାଯିବ। ସାଧାରଣ ଲୋକ, ରାସ୍ତା ବ୍ୟବହାରକାରୀ, ଗାଡ଼ି ଚାଳକମାନେ ଟ୍ରେନ୍ ଲାଇନ ପାଖରେ କିମ୍ବା ପାରି ହେବା ସମୟରେ ସତର୍କତା ଅବଲମ୍ବନ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/ee.jpg)