ରାଇରଙ୍ଗପୁର(ତୁଷାର କାନ୍ତ ମହାନ୍ତ): ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ରାଇରଙ୍ଗପୁର ସଦର ମହକୁମା ମଧ୍ୟରେ ସୁଦର୍ଶନପୁର ଗ୍ରାମ ପଂଚାୟତ ଅବସ୍ଥିତ। ଉକ୍ତ ଗ୍ରାମ ପଂଚାୟତ ମଧ୍ୟରେ ରହିଛି ଏକ ଅନନ୍ୟ ଶୈବ ପୀଠ ‘ନାଉପଡ଼ା’। ସ୍ଥାନର ଗରିମା ଦେଶ ବିଦେଶରେ ବିଖ୍ୟାତ ନ ହେଲେ ମଧ୍ୟ କୌଣସି ଗୁଣରେ କମ୍ ନୁହେଁ । ଏକ ନଦୀ କହିଲେ ଭୁଲ ହେବ, ଉକ୍ତ ଶୈବ ପୀଠ ଏକ ପାହାଡି ଝରଣା କୂଳରେ ନୈସର୍ଗୀକ ରୂପ ସମ୍ଭାର ସହିତ ଆଜକୁ କେତେ ଶହ ବର୍ଷ ତଳୁ ଦର୍ଶକ ଓ ଭକ୍ତମାନଙ୍କ ମନକୁ ମୋହିତ କରୁଛି। ଉକ୍ତ ଦେବସ୍ଥଳୀ ଭକ୍ତମାନଙ୍କ ଗହଣରେ ବର୍ଷକୁ ଥରେ ଉତ୍ସବ ମୁଖୁରା ହୋଇଉଠେ ପବିତ୍ର ମକର ସଂକ୍ରାନ୍ତିର ଠିକ୍ ପର ଦିନ। ତାର ପ୍ରସ୍ତର ପାବଚ୍ଛ ପବିତ୍ର ହୋଇଯାଏ ଭକ୍ତ ମାନଙ୍କର ପଦରେଣୁରେ। ପବିତ୍ର ହୋଇଯାଏ ଭକ୍ତ ମାନଙ୍କର ମନ ଓ ଆତ୍ମା ଏକତ୍ର ଦେବ ଓ ଦେବୀଙ୍କ ପ୍ରତ୍ୟକ୍ଷ ମୂର୍ତ୍ତି ସଂଦର୍ଶନରେ। ବାକ୍ରୁଦ୍ଧ ହୋଇଯାଏ ନିଜର ଆରାଧ୍ୟ ଠାକୁରଙ୍କୁ ନିଜର ଇପ୍ସିତ ବରଟିଏ ମାଗିଥିବାରୁ। ଆଶାୟୀ ହୋଇ ରହିଥାଏ ନିଜର ମନୋବାଞ୍ଚା ପୂର୍ଣର ସେହି ପବିତ୍ର ଦିନଟିକୁ।
Advertisment
ଏହି ଦେବ ପୀଠକୁ ଝାଡଖଣ୍ଡ ତଥା ଓଡିଶାର ବିଭିନ୍ନ ସ୍ଥାନରେ ବାସ କରୁଥିବା ଭକ୍ତ ଓ ଦର୍ଶକ ଆସିବାରେ କୌଣସି ଅସୁବିଧା ନାହିଁ। ସୁଦୂର ଝାଡଖଣ୍ଡର ଜାମସେଦପୁରରୁ ସକାଳ ୬ ଟାରେ ଟାଟା-ବାଦାମପାହାଡ ଯାତ୍ରୀବାହୀ ଡିଏମୟୁ ଟ୍ରେନ୍‌ଟି ଆସି ୮.୧୦ ମିନିଟ  ସମୟରେ ଗୋରୁମହିଷାଣୀ ଷ୍ଟେସନରେ ପହଂଚିଥାଏ। ଗୋରୁମହିଷାଣୀରୁ ଏହି ଦେବସ୍ଥଳୀର ଦୂରତା ମାତ୍ର ୪ କିଲୋମିଟର। ଗୋରୁମହିଷାଣୀ ବସଷ୍ଟାଣ୍ଡ କିମ୍ବା ରାଇରଙ୍ଗପୁରରୁ ଗୁହାଳଡାଙ୍ଗିରୀ ଯାଉଥିବା ସମସ୍ତ ଛୋଟବଡ ଯାନବାହନର ରହଣି ସେଠାରେ ହୋଇଥାଏ। ରାଇରଙ୍ଗପୁରରୁ ଗୋରୁମହିଷାଣୀର ଦୂରତା ପ୍ରାୟ ୧୬କିମି। ତେଣୁ ରାଇରଙ୍ଗପୁର ବସ୍‌ଷ୍ଟାଣ୍ଡରୁ ପାଖାପାଖି ଉକ୍ତ ସ୍ଥାନର ଦୂରତା ୨୦ କମି। ଗୋରୁମହିଷାଣୀ ବଜାର ମଧ୍ୟଭାଗରେ ରହୁଥିବାରୁ ଖାଇବା ପିଇବାର କୌଣସି ଅସୁବିଧା ନାହିଁ। ଅତି ସହଜରେ ଏଠାକୁ ଆସି ଉଭୟ ଦେବ ଓ ଦେବୀଙ୍କୁ ଦର୍ଶନ କରି ପୁଣି ଥରେ ଫେରିଯିବାର କୌଣସି ଅସୁବିଧା ନାହିଁ।
publive-image
ପାହାଡୀ ନଦୀର ଉପକୂଳରେ ବାବା ଝାଡେଶ୍ୱର ଶିବଙ୍କର ମନ୍ଦିର କେଉଁ ଆବହମାନ କାଳରୁ ଅବସ୍ଥିତ। ଦିବାରାତ୍ର ଟମକିଆ ନଦୀର କୁଳୁକୁଳୁ ଶବ୍ଦ ଏକ ଅପୂର୍ବ ସଂଗୀତର ମନ ମୁଗ୍ଧକର ପରିବେଶ ସୃଷ୍ଟି କରୁଥାଏ।  ମନ୍ଦିର ଗହ୍ୱରରୁ ପ୍ରତ୍ୟହ ପ୍ରତ୍ୟୁଷରୁ ଭାସି ଆସେ ସେହି ମୃତ୍ୟୁଞ୍ଜୟୀ ମନ୍ତ୍ର ‘ତ୍ରୟୋମ୍ବକଂ ଯଯାମହେ ସୁଗନ୍ଧିଂ ପୁଷ୍ଟି ବର୍ଦ୍ଧନମ୍, ଉର୍ବାରୁକ ମିବ ବନ୍ଧନାତ୍ ମୃତ୍ୟୁର୍ମୁକ୍ଷୀୟ ମାଂ ମୃତାତ୍ ...’ । ଶ୍ରୋତାମଣ୍ଡଳୀଙ୍କ କର୍ଣ୍ଣକୁ ପବିତ୍ର କରେ ଏହି ମହା ମୃତ୍ୟୁଞ୍ଜୟ ମନ୍ତ୍ର। ଲୋକମୁଖରୁ ଶୁଣାଯାଏ, ସେହି ମନ୍ଦିରରେ ପ୍ରତିଷ୍ଠିତ ବାବା ଝାଡେଶ୍ୱର ଏକ ପ୍ରତ୍ୟକ୍ଷ ଠାକୁର।  ପାହାଡୀ ନଦୀ ମଧ୍ୟସ୍ଥ ଏକ ଝାଡ ବା ବୁଦା ମୂଳରେ ଜନୈକ ଭକ୍ତଗ୍ରାମବାସୀ ଏକ ଶିବଲିଙ୍ଗକୁ ଦେଖି ତଟସ୍ଥ ହୋଇଯାଇଥିଲେ। ଭକ୍ତିରେ ତାଙ୍କର ହୃଦୟ ଗଦ୍‌ଗଦ୍‌ ହୋଇ ଯାଇଥିଲା। ପବିତ୍ର ହୃଦୟରେ ସେହି ଶିବଲିଙ୍ଗକୁ ଊଦ୍ଧାର କରି ନଦୀ କୂଳସ୍ଥ ଏକ ସ୍ଥାନରେ ପ୍ରତିଷ୍ଠା କରାଇଥିଲେ। ସେହି ସ୍ଥାନରେ ଆଜିର ଶିବ ମନ୍ଦିର ଦଣ୍ଡାୟମାନ ହୋଇ ରହିଛି।
ଏକ ଝାଡ଼ ବା ବୁଦା ମଧ୍ୟରୁ ଏହି ଲିଙ୍ଗ ଜନ୍ମ ନେଇଥିବାରୁ ଏହାଙ୍କର ନାମ ‘ବାବା ଝାଡେଶ୍ୱର’ ହୋଇଅଛି। ପ୍ରବାଦ ଅଛି, ତାଙ୍କୁ ଯିଏ ଯାହା ମାଗିଥାଏ, କେବେ ହେଲେ ସେ ନିରାଶ ହୁଏନି। ସମସ୍ତଙ୍କର ମନସ୍କାମନା ସେଠାରେ ପୂର୍ଣ୍ଣ ହୁଏ। ଆବହମାନ କାଳରୁ ଉକ୍ତ ମନ୍ଦିରରେ ଏକ ନିଆରା ପ୍ରଥା ପ୍ରଚଳିତ। ଏକ ସ୍ୱପ୍ନାଦେଶ ବଳରେ ସେଠାରେ ପୁରୁଷ ପୁରୁଷ ଧରି ବ୍ରାହ୍ମଣ ବଦଳରେ ବୈଷ୍ଣବ ସମ୍ପ୍ରଦାୟର ପୂଜକ ଠାକୁରଙ୍କର ପୂଜୋର୍ଚ୍ଚନା କରନ୍ତି। ପ୍ରତ୍ୟେକ ଦିନ ଭକ୍ତମାନଙ୍କର ସୁଅ ମନ୍ଦିରକୁ ଛୁଟିଥାଏ । ମନ୍ଦିର ସମ୍ମୁଖ ରାସ୍ତାରେ ପ୍ରତିଦିନ ନୂଆ ନୂଆ ଦୁଇଚକିଆ ତଥା ଚାରିଚକିଆ ଯାନର ଧାଡି ଲମ୍ବିଥାଏ ପୂଜା ଉଦ୍ଦେଶ୍ୟରେ। ସମସ୍ତଙ୍କର ବିଶ୍ୱାସ, ଝାଡେଶ୍ୱର ମହାଦେବଙ୍କ ନିକଟରେ ନୂତନ ଯାନର ପୂଜର୍ଚ୍ଚୋନା କଲେ ଜୀବନରେ କେବେ କୌଣସି ଦୁର୍ଘଟଣା ଘଟେ ନାହିଁ।  ପ୍ରତିବର୍ଷ ଶିବ ଚତୁର୍ଦ୍ଦଶୀ ମନ୍ଦିରରେ ଧୂମ୍‌ଧାମରେ ପାଳିତ ହୁଏ। ଉକ୍ତ ଉତ୍ସବର ପରିପୂରଣ ପାଇଁ ସନ୍ନିକଟ ଗ୍ରାମମାନଙ୍କର ଗ୍ରାମବାସୀଙ୍କ ଅକୁଣ୍ଠ ଦାନ ପୂଜକଙ୍କୁ ସହାୟତା ପ୍ରଦାନ କରିଥାଏ। ଶିବଙ୍କର ମନ୍ଦିର ପାର୍ଶ୍ୱରେ ରହିଛି ଦେବୀ ସ୍ୱର୍ଣ୍ଣେଶ୍ୱରୀ କାଳୀଙ୍କର ପ୍ରସିଦ୍ଧ ମନ୍ଦିର। ବାସ୍ତବିକ ସେହି ଠାକୁରାଣୀଙ୍କୁ ଦେଖିଦେଲେ ସର୍ବାଙ୍ଗ ରୋମାଂଚିତ ହୋଇ ଉଠେ। କଥିତ ଅଛି, ସିଏ ମଧ୍ୟ ଏକ ପ୍ରତ୍ୟକ୍ଷ ଠାକୁରାଣୀ। ପ୍ରତିଦିନ ମନସ୍କାମନା ପୂରଣ, ମାନସିକ ପୂରଣ, ବାଳ ପକାଇବା, ଗାଡ଼ି ପୂଜା ତଥା ସେ ସ୍ଥାନକୁ ପରିଭ୍ରମଣ ଉଦ୍ଦେଶ୍ୟରେ ଅନେକ ଭକ୍ତ ସେଠାକୁ ଆସନ୍ତି। ଉକ୍ତ ଦୁଇ ମନ୍ଦିରରେ ଭକ୍ତମାନେ ପୂଜା କଲା ପରେ ଏକ ନୂତନ ଶାନ୍ତି ଖେଳିଯାଏ ନିଜ ମନ ମଧ୍ୟରେ।
publive-image
ମନ୍ଦିରର ଠିକ୍ ତଟ ଭାଗରେ ଯେଉଁ ନଦୀ ପ୍ରବାହିତା, ସେହି ନଦୀ ମଧ୍ୟ ରୂପସମ୍ଭାରର ଏକ ଗନ୍ତା ଘର। ନଦୀର ଦୁଇ ପାର୍ଶ୍ବର ବିସ୍ତୃତ ସୁଦୃଶ୍ୟ ଶ୍ୱେତ କୃଷ୍ଣ ବର୍ଣ୍ଣର ଚଟାଣ ଦ୍ୱାରା ପରିବ୍ୟାପ୍ତ। ଦୁଇ ପାଶ୍ୱର୍ସ୍ଥ ଚଟାଣ ମଧ୍ୟରେ କୁଳୁକୁଳୁ ନାଦରେ ବହି ଚାଲିଛି ପାହାଡ଼ି ଝରଣା। ପବିତ୍ର ମକର ସଂକ୍ରାନ୍ତିର ପରଦିନ ପ୍ରତିବର୍ଷ ସେହି ଅଂଚଳ ଉତ୍ସବ ମୁଖୁରା ହୋଇଉଠେ। ଏହା ସର୍ବଜନବିଦିତ ‘ଟମକିଆ’ ମେଳା ନାମରେ ପ୍ରସିଦ୍ଧ। ରଙ୍ଗବେରଙ୍ଗର ନୂଆନୂଆ ପୋଷାକ ସାଙ୍ଗକୁ ଦୋକାନ, ବଜାର, ବେଲୁନ୍ ବାଲାର ମନ କିଣା ବେଲୁନ୍, ଘୂର୍ଣ୍ଣନମାନ ଦୋଳି ଇତ୍ୟାଦି ଦର୍ଶକମାନଙ୍କୁ ଅଧିକ ଆକୃଷ୍ଟ କରେ। ନାହିଁ ନ ଥିବା ପନିପରିବା, ଭଳିକିଭଳି ପିଲାଙ୍କ ଖେଳନା, ବିଭିନ୍ନ ଜଳଖିଆ ଦୋକାନ, ବାଦାମ ବାଲାର ମୁସୁମୁସିଆ ବାଦାମ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଉଠେ। ସବୁଠାରୁ ଆକର୍ଷିତ କରେ ବୁଟଡାଳ। ସ୍ଥାନୀୟ କୃଷକମାନେ ନିଜ ବାଡ଼ି ବଗିଚାରେ ଯେଉଁ ବୁଟ ଲଗାଇଥା’ନ୍ତି, ତାହା ପାକଳ ହେବା ପୂର୍ବରୁ ଗଛ ମିଶା ଉଠାଇ ଧୋଇ ପରିଷ୍କାର କରନ୍ତି। ସେହି ବୁଟ ଗଛକୁ ସୁଲଭ ମୂଲ୍ୟରେ କୃଷକ ମାନେ ବିକ୍ରି କରନ୍ତି। ଅପରାହ୍ଣ ସମୟରେ ବିଭିନ୍ନ ଗ୍ରାମରୁ ବିଭିନ୍ନ ଦଳ ଟୁସୁ ମୂର୍ତିକୁ ଧରି ନୃତ୍ୟ ଓ ବାଦ୍ୟର ତାଳେତାଳେ  ସେହି ସ୍ଥାନକୁ ପହଂଚିଥାନ୍ତି। ସେମାନଙ୍କର ଟୁସୁ ଗୀତ ବାସ୍ତବିକ ଏକ ସ୍ୱତନ୍ତ୍ରତାର ଅଧିକାରୀ। ଟୁସୁ ଗୀତର ରସ, ତାଳ, ଲୟ ବାସ୍ତବିକ ମନଲୋଭା। ଚଟାଣକୁ ଲାଗି ପାହାଡୀ ଝରଣାର ଠିକ୍ ମଧ୍ୟ ଭାଗରେ ଏକ ଗଣ୍ଡ ରହିଛି। ସେହି ଗଣ୍ଡରେ ଭକ୍ତମାନଙ୍କ ଗହଣରେ ଟୁସୁ ମୂର୍ତିକୁ ବିସର୍ଜ୍ଜନ ଦିଆଯାଏ। ବାସ୍ତବିକ ଗୋଟିଏ ସ୍ଥାନରେ ଏକାଧିକ ଟୁସୁ ମୂର୍ତି ନୃତ୍ୟ, ଗୀତ ଓ ବାଦ୍ୟର ତାଳେତାଳେ ବିସର୍ଜ୍ଜନ ଦେବା ଏକ ମନକୁ ଆନ୍ଦୋଳିତ କରିବାର ଦୃଶ୍ୟ। ଏହି ଉତ୍ସବକୁ ଉପଭୋଗ କରିବାକୁ ବିଭିନ୍ନ ଅଂଚଳରୁ ଶହଶହ ଲୋକଙ୍କର ସୁଅ ଛୁଟିଥାଏ। ବିଶ୍ୱାସ କରାଯାଏ, ଦେବୀ ଟୁସୁଙ୍କୁ ନିଷ୍ଠାର ସହିତ ଯିଏ ଯାହା ମାଗିଥାଏ ସେ  ତାହା ପାଇଥାଏ। ଏହା ମଧ୍ୟ ବିଶ୍ୱାସ କରାଯାଏ, ଦେବୀ ଟୁସୁଙ୍କ ବିସର୍ଜନ ସମୟରେ ସେ ଜନ ସମାଜରୁ ତାଙ୍କ ସହିତ ନେଇଯାଆନ୍ତି ମୁଠାମୁଠା ଦୁଃଖ, କଷ୍ଟ, ଯନ୍ତ୍ରଣା, ରୋଗ ଓ ହତାଶାର ଆତ୍ମଦାହ।
ନଦୀର ଉଭୟ ପାଶ୍ୱର୍ରେ ସୁବିସ୍ତୃତ ପ୍ରସ୍ତର ଚଟାଣ। ନଦୀର ଠିକ୍ ମଧ୍ୟ ଭାଗରେ ରହିଛି ବିରାଟ ଆକାରର ଏକ ଲମ୍ବା ତଥା ଗୋଲାକାର ଶ୍ୱେତ ପ୍ରସ୍ତର। ଦେଖିବାକୁ ଠିକ୍ ଏକ ଲାଉ ସଦୃଶ। ପଥରଟି ମଝିରୁ ଠିକ୍ ଦୁଇ ଫାଳ ହୋଇ ରହିଛି। ସତେ ଯେପରି କେହି ପନିକି ସହାୟତାରେ ତାକୁ କାଟି ଦୁଇ ଫାଳ କରି ଦେଇଛି। ଏହି ପଥର ଲାଉକୁ ଦେଖିବାକୁ ଶହଶହ ଲୋକ ସେଠାକୁ ସେଦିନ ଆସନ୍ତି। ଲାଉକୁ ଛୁଇଁ ସମସ୍ତେ ପ୍ରଣାମ କରନ୍ତି। ସେହି ପଥର ଲାଉ ସନ୍ନିକଟ ପଡ଼ା କାଳକ୍ରମେ ‘ନାଉପଡା’ ନାମରେ ସର୍ବତ୍ର ପରିଚିତ ହେଲା। କିମ୍ବଦନ୍ତି କହେ, ଦ୍ୱାପର ଯୁଗରେ ଯେତେବେଳେ ପାଣ୍ଡବ ନିଜର ସତ୍ୟରକ୍ଷା ଉଦ୍ଦେଶ୍ୟରେ ବାର ବର୍ଷ ବନବାସ ଗମନ କଲେ, ଶେଷ ବର୍ଷଟି ସେମାନେ ବିଭିନ୍ନ ଛଦ୍ମବେଶରେ ଅଜ୍ଞାତ ବାସରେ କଟାଇ ଥିଲେ। ସେହି ସମୟରେ ସେମାନେ ଭାରତ ବର୍ଷର ବିଭିନ୍ନ ଅଂଚଳକୁ ପାଦରେ ଚାଲିଚାଲି ସମୟ ଅତିବାହିତ କରିଥିଲେ। ଏହିପରି ପଂଚଞ୍ଚପାଣ୍ଡବ ଓ ସ୍ତ୍ରୀ ଦ୍ରୌପଦୀ ବିଭିନ୍ନ ଅଂଚଳକୁ ଯାଇ ଦିନେ ଏଇ ନଦୀ କୂଳରେ ରାତ୍ରୀଯାପାନ କରିଥିଲେ। ଜ୍ୟେଷ୍ଠ ଭ୍ରାତା ଯୁଧିଷ୍ଠିର ଦ୍ରୌପଦୀଙ୍କୁ ସେଠାରେ ରୋଷେଇ କରିବାକୁ ଅନୁରୋଧ କରିଥିଲେ। ବିଭିନ୍ନ ଅଂଚଳ ବୁଲିବୁଲି ସେମାନେ କ୍ଷୁଧା ଅନୁଭବ କରୁଥାନ୍ତି। ତେଣୁ ରୋଷେଇ ସାମଗ୍ରୀ ସଂଗ୍ରହ ସକାଶେ ଭାଇମାନେ ନିକଟସ୍ଥ ବିଭିନ୍ନ ପଡା ବା କ୍ଷୁଦ୍ର ଗ୍ରାମକୁ ଗମନ କରିଥିଲେ। ଅନ୍ନ ସକାଶେ ଚାଉଳ ଓ ବ୍ୟଞ୍ଜନ ସକାଶେ ବିଭିନ୍ନ ପନିପରିବା ଧରି ଚାରି ଭାଇ ପହଂଚିଲେ। ଦ୍ରୌପଦୀ କାଠ ଚୂଲିରେ ରୋଷେଇ କରିବା ଆରମ୍ଭ କରି ଅନ୍ନବ୍ୟଞ୍ଜନ ପ୍ରସ୍ତୁତ କଲେ। ଶେଷରେ ଭାଇ ଭୀମ ଏକ ବଡ ଲାଉକୁ ବ୍ୟଞ୍ଜନ ସକାଶେ ନେଇ ଆସିଲେ।
ଦ୍ରୌପଦୀ କହିଲେ, ଭାଇ, ଆପଣ ଆସିବାକୁ ବିଳମ୍ବ କଲେ। ମୁଁ ରୋଷେଇ ସାରିଲିଣି, ଖାଇବେ ଆସନ୍ତୁ। ମାତ୍ର ଭୀମଙ୍କର ମନ ମାନିଲା ନାହିଁ। ଲାଉ ତରକାରୀ ଖାଇବାର ପ୍ରବଳ ଇଚ୍ଛା ଦ୍ରୌପଦୀଙ୍କ ନିକଟରେ ବ୍ୟକ୍ତ କଲେ। ବାଧ୍ୟ ହୋଇ ଦ୍ରୌପଦୀ ପୁଣି ଥରେ ବ୍ୟଞ୍ଜନ ପ୍ରସ୍ତୁତ କରିବାକୁ ସେଇ ଲାଉକୁ କାଟି ଦୁଇଫାଳ କଲେ। ଠିକ୍ ସେହି ସମୟରେ ସିନ୍ଦୁରା ଫାଟି ଆସୁଥାଏ। ଜ୍ୟେଷ୍ଠ ଭାଇ ଦୌପଦୀଙ୍କୁ ପୁଣିଥରେ ଲାଉ ବ୍ୟଞ୍ଜନ ପ୍ରସ୍ତୁତ କରିବାକୁ ବାରଣ କଲେ, କାରଣ ସକାଳ ହୋଇ ଆସିଲାଣି। ସେମାନେ ଅଜ୍ଞାତବାସରେ ଅଛନ୍ତି। ତେଣୁ ଶୀଘ୍ର ଖାଇ ସେ ସ୍ଥାନ ପରିତ୍ୟାଗ କରିବା କଥା। କେହି ସେମାନଙ୍କର ପରିଚୟ ଜାଣିଗଲେ ପୁଣି ବାର ବର୍ଷ ବନବାସ। ତେଣୁ ସେହି କଟାଯାଇଥିବା ଲାଉକୁ ଛାଡ଼ି ସେମାନେ ପ୍ରସ୍ତୁତ ହୋଇଥିବା ଅନ୍ନ ଓ ବ୍ୟଞ୍ଜନକୁ ଖାଇ ସେ ସ୍ଥାନ ପରିତ୍ୟାଗ କରି ଖିଚିଂ ନିକଟସ୍ଥ କୀଚକଗଡ ଉଦେ୍ଦଶ୍ୟରେ ପ୍ରସ୍ଥାନ କରିଥିଲେ । କାଳକ୍ରମେ ଦ୍ରୌପଦୀଙ୍କର କଟା ଦୁଇଫାଳ ଲାଉ ପ୍ରସ୍ତରର ରୂପ ଧାରଣ କରି ଅଦ୍ୟାବଧି ସେହି ନଦୀ ମଧ୍ୟରେ ଦଣ୍ଡାୟମାନ ହୋଇ ରହିଛି। ସେହି ପଥରର ଦୁଇ ପାର୍ଶ୍ବର  ଦେଇ ନଦୀର ଜଳ କୁଳୁକୁଳୁ ନାଦରେ ସଦା ସର୍ବଦା ପ୍ରବାହିତ। କେତେ ଯୁଗ ଅତିବାହିତ ହେଲାଣି, ମାତ୍ର ସେହି ପ୍ରସ୍ତରର କ୍ଷୟ ସାମାନ୍ୟତମ ହୋଇନାହିଁ। ସେହି କଟା ଲାଉକୁ ଦେଖିଲେ ଆଜି ମଧ୍ୟ ଦ୍ୱାପର ଯୁଗର ପଂଚଞ୍ଚପାଣ୍ଡବ, ଦ୍ରୌପଦୀ ତଥା ସେମାନଙ୍କର ବିଭିନ୍ନ ଲୀଳା ମାନସ ପଟରେ ସ୍ୱତଃ ଜାଗ୍ରତ ହୋଇଉଠେ। ଜାଗ୍ରତ ହୋଇ ଉଠେ ଏହି ସ୍ଥାନର ପବିତ୍ରତା। ନିରବତା ଭଙ୍ଗ କରି ମନ୍ଦିରର ଘଣ୍ଟା, ଘଣ୍ଟି, ବାଦ୍ୟ ତଥା ମହାମୃତ୍ୟୁଞ୍ଜୟ ମନ୍ତ୍ରର ଧ୍ୱନି ପ୍ରତ୍ୟହ ପ୍ରଭାତରୁ ଭକ୍ତ ମାନଙ୍କୁ ଆକର୍ଷିତ କରି ସେମାନଙ୍କର ମନୋବାଞ୍ଛା ପୂରଣ କରିବାର ଅଭୟ ପ୍ରଦାନ କରୁଥାଏ।  ବାସ୍ତବିକ ଏହି ସ୍ଥାନର ଗାରିମା ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନୀତ ହୋଇ ନ ଥିଲେ ମଧ୍ୟ ଏହା ଏକ ନିଆରା ସ୍ୱାତନ୍ତ୍ରତାର ଅଧିକାରୀ। ଏହି ଅନନ୍ୟ ଶୈବପୀଠ ‘ନାଉପଡା’ କିମ୍ବା ଖଣି ପାରିପାର୍ଶିକ ଉନ୍ନୟନ ପାଣ୍ଠିରୁ ସରକାରୀ ସହାୟତା ପାଇଲେ ନିଜର ସ୍ୱାତନ୍ତ୍ରତା ଓ ଗାରିମାକୁ ଯୁଗଯୁଗ ଧରି ବହନ କରି ସେହି ସମୟର ମୁକସାକ୍ଷୀ ଭାବରେ ରହି ପାରିବ ଏଥିରେ ତିଳେହେଲେ ସନ୍ଦେହର ଅବକାଶ ନାହିଁ।