ପୋଲ ପାଇଁ ଆଖୁ ଫସଲ ବନ୍ଧକ: ନାଉରିଆ ନିର୍ମାଣ କଲେ ବାଉଁଶ ପୋଲ

ଉପକୃତ ହେଲେ ଦୁଇ ଜିଲ୍ଲାର ବାସିନ୍ଦା

କୋଟପାଡ଼ : ନଦୀରେ ପୋଲ ନିର୍ମାଣ ‌ହୋଇ ନଥିବାରୁ ଦୁଇଟି ଜିଲ୍ଲାର ହଜାର ହଜାର ଗ୍ରାମବାସୀ ଯାତାୟାତ ସମୟରେ ହଇରାଣ ହେଉଛନ୍ତି। ଲୋକେ ଦେଶୀ ଡଙ୍ଗାରେ ବିପଦ ସଂକୁଳ ଭାବେ ନଦୀ ପାର ହୋଇଥାନ୍ତି। କିନ୍ତୁ ବର୍ଷାଦିନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଦୁଇ ଜିଲ୍ଲାବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଜଣେ ବ୍ୟକ୍ତି ନିଜ ଆଖୁ ବାଡ଼ ବନ୍ଧକ ରଖି ୧ଲକ୍ଷ ଟଙ୍କାରେ ନିର୍ମାଣ କରିଛନ୍ତି ବାଉଁଶ ପୋଲ। ଏହି ପୋଲ ନିର୍ମାଣ ହେବା ପରେ ଦୁଇ ଜିଲ୍ଲାର ଲୋକେ ସୁବିଧାରେ ଯାତାୟାତ କରି ପାରୁଛନ୍ତି।

ଏଭଳି ମହତ୍‌ କାର୍ଯ୍ୟ କରି ବିଭିନ୍ନ ମହଲରେ ପ୍ରଶଂସିତ ହୋଇଛନ୍ତି କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଗୁମୁଡ଼ା ପଞ୍ଚାୟତ ଅନ୍ତର୍ଗତ ବାସୁଲି ଗ୍ରାମର ନାଉରିଆ ଜୟଦେବ ଭତ୍ରା।
କୋଟପାଡ଼ ବ୍ଲକ ଗୁମୁଡ଼ା ପଞ୍ଚାୟତର ବାସୁଲି ଏବଂ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର କଣ୍ଟାସରଗୁଡ଼ା ଗ୍ରାମକୁ ବିଭକ୍ତ କରୁଛି ଇନ୍ଦ୍ରାବତୀ ନଦୀ। କିନ୍ତୁ ଅଦ୍ୟାବଧି ଏହି ନଦୀ ଉପରେ ପୋଲ ନିର୍ମାଣ ହୋଇ ନଥିବାରୁ ଲୋକେ ବିପଦ ସଂକୁଳ ଭାବେ ଦେଶୀ ଡଙ୍ଗାରେ ନଦୀ ପାର ହେଉଛନ୍ତି। ଏହି ନଦୀ ଦେଇ ଗଲେ କୋଟପାଡ଼ ବ୍ଲକ ଅଳ୍ପ ବାଟ ହେଉଥିବାରୁ କୋଷାଗୁମୁଡ଼ା ବ୍ଲକ ସମେତ ନବରଙ୍ଗପୁର ଜିଲ୍ଲାର ହଜାର ହଜାର ଲୋକ ସ୍ବାସ୍ଥ୍ୟ, ଶିକ୍ଷା ଓ ଦୈନନ୍ଦିନ କାର୍ଯ୍ୟ ପାଇଁ କୋଟପାଡ଼ ଉପରେ ନିର୍ଭର କରିଥାନ୍ତି।

କୋଷାଗୁମୁଡ଼ା ବ୍ଲକର ଚିର୍ମା ନଦୀ ଘାଟରେ ଚାଲିଥିବା ପୋଲ ନିର୍ମାଣ କାମ ବହୁ ବର୍ଷ ହେଲା ସଂପୂର୍ଣ୍ଣ ହୋଇ ପାରୁ ନଥିବାରୁ ବାସୁଲି ନଦୀ ଘାଟରେ ଉଭୟ ଜିଲ୍ଲାର ଲୋକଙ୍କ ପ୍ରବଳ ଭିଡ଼ ଜମୁଛି। ବହୁ ବର୍ଷ ହେଲା ଏହି ନଦୀରେ ଜୟଦେବ ଡଙ୍ଗା ଚଳାଇ ପରିବାର ଚଳାଇ ଆସୁଛନ୍ତି। ଜୀବନ ସାରା ସେ ଉଭୟ ଗ୍ରାମର ଲୋକଙ୍କୁ ନଦୀ ପାରି କରୁଥିଲେ। ବର୍ତ୍ତମାନ ସେ ବୟସର ଅପରାହ୍ନରେ ଉପନୀତ। ଦେଶୀ ଡଙ୍ଗାଟି ଦଦରା ଅବସ୍ଥାରେ ଥିବାରୁ ନଦୀ ପାର ହେବା ସମୟରେ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ଜୟଦେବ କହିଛନ୍ତି। କିନ୍ତୁ ଦୁଇ ଜିଲ୍ଲାବାସୀଙ୍କ ସେବା କରିବାରେ ତାଙ୍କ ଆଗ୍ରହ କମି ନାହିଁ। ବର୍ଷା ଦିନ ପରେ ଯାତାୟାତ ପାଇଁ ନିଜସ୍ବ ଉଦ୍ୟମରେ ବାଉଁଶ ପୋଲ ନିର୍ମାଣ କରି ଆସୁଛନ୍ତି।
ପ୍ରାୟ ୩ବର୍ଷ ହେଲା ସେ ଏଭଳି ଉଦ୍ୟମ ଜାରି ରଖିଥିଲେ। ପ୍ରଥମ ବର୍ଷ ଗ୍ରାମବାସୀଙ୍କ ସହାୟତାରେ ବାଉଁଶ ପୋଲ ନିର୍ମାଣ କରାଯାଇଥିଲା। ଏହା ପରଠାରୁ ଦୁଇ ବର୍ଷ ହେଲା ଆଉ କେହି ସହାୟତା କରିନଥିଲେ। ଚଳିତ ବର୍ଷ ଜୟଦେବ ନିଜ ଆଖୁବାଡ଼ ବନ୍ଧକ ଦେଇ ପ୍ରାୟ ୧ଲକ୍ଷ ଟଙ୍କାରେ ନିର୍ମାଣ କରିଛନ୍ତି ବାଉଁଶ ପୋଲ। ଏହି ପୋଲ ନିର୍ମାଣ ହେବା ପରେ ଦୁଇଟି ଜିଲ୍ଲାର ଲୋକେ ସୁବିଧାରେ ଯାତାୟାତ କରି ପାରୁଛନ୍ତି। ଏଭଳି ମହତ୍‌ ଉଦ୍ୟମ କରି ସନ୍ତୁଷ୍ଟ ଲାଗୁଥିବା ଜୟଦେବ କହିଛନ୍ତି।

ଆଗାମୀ ଦିନରେ ସରକାର ଓ ପ୍ରଶାସନ ଜୟଦେବ ଭତ୍ରାଙ୍କ ଉଦ୍ୟମକୁ ସଫଳ କରିବାକୁ ଯାଇ ନିଶ୍ଚିତ ପୋଲ ନିର୍ମାଣ କରିବେ ବୋଲି ଅଞ୍ଚଳବାସୀ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର