ନୂଆପଡ଼ା: ନୂଆପଡ଼ା ଜିଲ୍ଲାର କୋମନା ଓ ନୂଆପଡ଼ା ବ୍ଲକ୍ରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଏଥିରେ ଆକ୍ରାନ୍ତ ହୋଇ କୋମନା ବ୍ଲକ୍ ଜଟଗଡ଼ ଗ୍ରାମର ଜଣେ ୬୦ ବର୍ଷର ବୃଦ୍ଧାଙ୍କ ମୃତ୍ୟୃ ହୋଇଛି। ଗାଁର ୧୫ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୧୦ଜଣ ନୂଆପଡ଼ା ମୁଖ୍ୟ ଡାକ୍ତରଖାନା ଓ ତରବୋଡ଼ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।
ସୂଚନା ଅନୁସାରେ, କୋମନା ବ୍ଲକ୍ ଜଟଗଡ଼ ଗ୍ରାମରେ ପ୍ରଥମେ କିଛି ଲୋକଙ୍କୁ ଝାଡ଼ାବାନ୍ତି ହୋଇଥିଲା। ସୋମବାର ଗ୍ରାମର ଲାଲଦେଇ ହଂସ (୬୦), ଅରୁଣ ନିଆଲ (୮୦) ଓ ତାଙ୍କ ପୁଅ ଚୈତନ୍ୟ ନିଆଲ (୩୭), ମଧୁ ପରାଭୁଏ (୩୪), ବିଶାଖା ଖର୍ସେଲ(୪୫), ଉଷା ପରାଭୋଏ (୩୫), ଭାଗୀରଥି ରାଉତ (୩୬), ମଧୁ ପ୍ରଧାନ (୪୫) ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ସହ ଗୁରୁତର ହେବାରୁ ନୂଆପଡ଼ା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଲାଲଦେଇ ହଂସଙ୍କ ମୃତ୍ୟୁ ହୋଇଥିଲା। ଝାଡ଼ାବାନ୍ତି ବ୍ୟାପିବାର ଖବର ପ୍ରଚାର ହେବା ପରେ ଏଡିଏମ୍ଓ ଗୋପାଳ ଚନ୍ଦ୍ର ମଲ୍ଲିକଙ୍କ ନେତୃତ୍ବରେ ଏକ ଡାକ୍ତରୀ ଦଳ ଜଟଗଡ଼ ଗ୍ରାମରେ ପହଞ୍ଚିଥିଲେ। ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ନୂଆପଡ଼ା ସିଡିଏମ୍ଓ ଚୌଧୁରୀ ଶୋଭାରାଣୀ ମିଶ୍ର ଓ ଉପଜିଲ୍ଲାପାଳ ରାମଚନ୍ଦ୍ର ଖଡ଼ିଆ ଗ୍ରାମରେ ପହଞ୍ଚି ସ୍ଥିତି ପରଖିଛନ୍ତି।
ଏ ସମ୍ପର୍କରେ ନୂଆପଡ଼ା ସିଡିଏମ୍ଓଙ୍କୁ ପଚାରିବାରୁ ଜଟଗଡ଼ ଗ୍ରାମରେ ବିଷାକ୍ତ ଖାଦ୍ୟ ଓ ପାଣି ଯୋଗୁ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/hjfhkf6hk46kfh5fhk65fhk6f5h4k6k.jpg)