ଝାରସୁଗୁଡ଼ା : ଆସନ୍ତା ୧୫ ତାରିଖରୁ କାର୍ଯ୍ୟକ୍ଷମ ହେବ ବେହେରାମାଲ ପ୍ରେକ୍ଷାଳୟ ବା ନବ ଦାସ ପ୍ରେକ୍ଷାଳୟ। ଖୁବ୍ ଶୀଘ୍ର ଏହି ବୃହତ୍‌ ପ୍ରେକ୍ଷାଳୟ ଉଦ୍‌ଘାଟନ ହେବା ପରେ ଲୋକଙ୍କ ବ୍ୟବହାର ପାଇଁ ଖୋଲାଯିବ। ନିର୍ମାଣ ଶେଷ ହେବା ପରେ ସ୍ବର୍ଗତ ନବ ଦାସଙ୍କ ନାମରେ ଏହି ପ୍ରେକ୍ଷାଳୟକୁ ନାମିତ କରିବାକୁ କାଉନ୍‌ସିଲ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ବେଳେ ଏବେ ଷ୍ଟିକରିଂ ଶେଷ ହୋଇଥିବା ନେଇ ପୌର ନିର୍ବାହୀ ଅଧିକାରୀ ମନୋଜ ତାଣ୍ଡି ସୂଚନା ଦେଇଛନ୍ତି। ତେବେ ଏହି ସ୍ଥାନରେ ପୂର୍ବରୁ ବେହେରାମାଲ ପ୍ରେକ୍ଷାଳୟ ନାମରେ କରାଯାଇଥିବା ଭିତ୍ତିପ୍ରସ୍ତରକୁ ଭାଙ୍ଗି ଦିଆଯାଇଥିବା ବି ଦେଖିବାକୁ ମିଳିଛି।

Advertisment

ସୂଚନା ଅନୁସାରେ, ଏହି ପ୍ରକଳ୍ପ ପାଇଁ ୨୦୧୩ ମସିହା ଅଗଷ୍ଟ ମାସରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ପ୍ରକଳ୍ପ ନିର୍ମାଣ ଆରମ୍ଭ ହେବା ବିଳମ୍ବ ହୋଇଥିଲେ ହେଁ ଗତବର୍ଷ ଶେଷ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ଏମ୍‌ସିଏଲ୍‌ର ସିଏସ୍‌ଆର ପାଣ୍ଠି ଓ ଜିଲ୍ଲା ଖଣିଜ ପାଣ୍ଠିରୁ ମୋଟ୍‌ ୧୪ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ଏହି ବୃହତ୍‌ ପ୍ରେକ୍ଷାଳୟ ନିର୍ମାଣ ହୋଇଛି। ଏଥିରେ ଏକାଥରକେ ମୋଟ୍‌ ୧୪୦୦ ଲୋକ ବସିପାରିବାର ବ୍ୟବସ୍ଥା ରହିଥିବା ବେଳେ ଶୀତତାପ ନିୟନ୍ତ୍ରିତ, ଅତ୍ୟାଧୁନିକ ଶବ୍ଦ ଓ ଲାଇଟ୍‌ ସଂଯୋଗୀକରଣ ବ୍ୟବସ୍ଥା ରହିଛି। ଶିଳ୍ପ ଓ ଖଣିଖାଦାନ ଭରା ଜିଲ୍ଲାରେ ଏକ ଉତ୍ତମ ପ୍ରେକ୍ଷାଳୟ ନଥିବାରୁ ବିଭିନ୍ନ କାର୍ଯ୍ୟକ୍ରମରେ ଲୋକେ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତେବେ ଏହି ପ୍ରେକ୍ଷାଳୟ କାର୍ଯ୍ୟକ୍ଷମ ହେବା ପରେ ଲୋକଙ୍କୁ ଆଉ ଅସୁବିଧା ହେବନାହିଁ ବୋଲି ପୌରପାଳିକା ପକ୍ଷରୁ କୁହାଯାଇଛି।

ପୂର୍ବରୁ ଏହି ପ୍ରେକ୍ଷାଳୟ ବେହେରାମାଲ କମ୍ୟୁନିଟି ହଲ୍‌ ନାମରେ ରହିଥିଲା। ତେବେ ନବ ଦାସଙ୍କ ଦେହାନ୍ତ ପରେ ଗତ ଫେବ୍ରୁଆରି ୩ ତାରିଖରେ ହୋଇଥିବା ପୌର ପରିଷଦ କାଉନ୍‌ସିଲ ବୈଠକରେ ଏହାକୁ ନବ ଦାସଙ୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା‌ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ତାଣ୍ଡି କହିଛନ୍ତି। ସେପଟେ, ବମ୍ବେ ଛକ ନିକଟରେ ୧ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ‌ ଏକ ସ୍ମାର୍ଟ ପାର୍କ ମଧ୍ୟ ନିର୍ମାଣ କରାଯାଇଛି। ତେବେ ଏହାକୁ ମଧ୍ୟ ନବ ଦାସଙ୍କ ନାମରେ ନାମିତ କରିବାକୁ କାଉନ୍‌ସିଲ ବୈଠକରେ ନିଷ୍ପତ୍ତି ହୋଇଥିବା ଶ୍ରୀ ତାଣ୍ଡି କହିଛନ୍ତି।